ଭେଡ଼େନ : ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ମଙ୍ଗଳବାର ଘଟିଥିବା ଗଣହତ୍ୟାକୁ ଚବିଶ ଘଣ୍ଟା ବିତି ସାରିଛି। କିନ୍ତୁ ଏହି ଘଟଣାରେ ପୁଲିସ୍‌ କାହାକୁ ଗିରଫ କରିନାହିଁ। ହତ୍ୟାର କାରଣ ସଂପର୍କରେ ବି ପୁଲିସ୍‌ କିଛି ‌ଠୋସ୍‌ ତଥ୍ୟ ଗୋଟାଇ ପାରିନାହିଁ। ଏହି ଗଣହତ୍ୟା ପାରିବାରିକ କହଳ କାରଣରୁ କି ଲୁଟ୍‌ପାଟ୍‌ ଉଦ୍ଦେଶ୍ୟରେ ଘଟିଲା, ତାହା ବି ସ୍ପଷ୍ଟ ହୋଇନାହିଁ।

Advertisment

ଗୋଟିଏ ହିସାବରେ କହିବାକୁ ଗଲେ, ପୁଲିସ୍‌ ବର୍ତମାନ ଯାଏଁ ତଥ୍ୟ ଗୋଟାଇବାରେ ଲାଗି ପଡ଼ିଛି। ମୃତ ଟଙ୍କଧରଙ୍କ ଘର ପଛପଟେ ଥିବା କେନାଲ୍‌ରୁ ଯେଉଁ କୋଦାଳ ଜବତ ହୋଇଥିଲା, ତାହା ହିଁ ପୁଲିସ୍‌ ପାଇଁ ଏକମାତ୍ର ସୁରାକ। କିନ୍ତୁ ପାଣି ସୁଅରେ ପଡ଼ିଥିବା କୋଦାଳରୁ ଫିଙ୍ଗର୍‌ ପ୍ରିଣ୍ଟ ମିଳିବା କଷ୍ଟକର। ତେଣୁ ପୁଲିସ୍‌ ଏହି ମାମଲା ଉପରୁ ପରଦା ଉଠାଇବା ଏକ ବଡ଼ ଚାଲେଞ୍ଜ ପାଲଟିଛି। ଅନ୍ୟପକ୍ଷରେ ବୁଧବାର ଶବ ବ୍ୟବଚ୍ଛେଦ ପରେ ଅପରାହ୍‌ଣ ୩ଟାରେ ଶୋକାକୁଳ ପରିବେଶ ଭିତରେ ଗୋଟିଏ ଜୁଇରେ ତିନି ଶବକୁ ଦାହ କରାଯାଇଥିଲା।

ଏହି ଘଟଣାରେ ପୁଲିସ ପ୍ରଥମେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବିଭିନ୍ନ ଦିଗରୁ ପୁଲିସ୍‌ ତଦନ୍ତ ଜାରି ରଖିଛି। ଜବତ କୋଦାଳ ଏବଂ ଭଂଗା ବାକ୍ସ ଜବତ କରି ପୁଲିସ୍‌ ତଦନ୍ତ ଚଳାଇଛି। ଗାଁ ସାରା ଘଟଣାକୁ ନେଇ ସ୍ତବ୍ଧ। ଟଙ୍କଧରଙ୍କ ପରିବାର ସହ ପାଖପଡ଼ୋଶୀଙ୍କ ସହ ଭଲ ସଂପର୍କ ଥିଲା। ଆଖପାଖ ଲୋକଙ୍କଠାରୁ ପୁଲିସ୍‌ ତଥ୍ୟ ଯୋଗାଡ଼ରେ ଲାଗି ପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ୧୨ଟାରେ ଘର ଭିତରୁ ଟଙ୍କଧର, ଦୁଇ ସ୍ତ୍ରୀ ଦ୍ରୌପଦୀ ଏବଂ ମାଧବୀଙ୍କ ରକ୍ତାକ୍ତ କ୍ଷତବିକ୍ଷତ ଶବ ଉଦ୍ଧାର ହୋଇଥିଲା।