ବୁର୍ଲା : ବୁର୍ଲା ଭିମସାରରେ ଉପର ମୁହାଁ ହେବାକୁ ଲାଗିଛି କରୋନା। ଆଜି ପୁଣି ଭିମସାରର ୫ ଜଣ ଡାକ୍ତର ଓ ୫୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି। ସଂକ୍ରମଣ ଯେଉଁ ମାତ୍ରାରେ ବ୍ୟାପୁଛି ଖୁବ୍ଶୀଘ୍ର ଏହା ପୂରା ଭିମସାରକୁ ବ୍ୟାପିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଆଜି ଭିମସାରରେ ୩ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ହସ୍ତଗତ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରୁ ଜଣେ ଭିମ୍ସାର୍ ଦ୍ୱିତୀୟ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ଦ୍ୱିତୀୟ ରୋଗୀ ଜଣକ ଝାରସୁଗୁଡ଼ା ମେଡିକାଲ୍ରୁ ସ୍ଥାନାନ୍ତର ହୋଇ ବୁର୍ଲା ଡାକ୍ତରଖାନାକୁ ଆସିଥିଲେ। ଭିମସାର କାଜୁଆଲ୍ଟିରେ ତାଙ୍କ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଅନ୍ୟଜଣେ ରୋଗୀ ବରଗଡ଼ କୋଭିଡ୍ ହସ୍ପିଟାଲ୍ରୁ ସ୍ଥାନାନ୍ତର ହୋଇ ବୁର୍ଲା ହସ୍ପିଟାଲକୁ ଆସୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦ୍ଵିତୀୟ କୋଭିଡ୍ ହସ୍ପିଟାଲରେ ଆଜି ୬୪ ଜଣ ରୋଗୀ ଥିବାବେଳେ ସେମାନଙ୍କ ମଧ୍ୟରେ ୩୨ ପୁରୁଷ ଓ ୩୨ ମହିଳା ଅଛନ୍ତି। ୭ ଜଣ ଆଇସିୟୁରେ ଥିବା ବେଳେ କାନାଡା ଫେରନ୍ତା ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଦ୍ଵିତୀୟ କୋଭିଡ୍ ହସ୍ପିଟାଲର ଇନଚାର୍ଜ ଡା. ୱାଇ ପି ସାହୁ ସୂଚନା ଦେଇଛନ୍ତି।