ସାଇବର ଠକେଇରେ ଇଂଜିନିୟରିଂ ଛାତ୍ର, ତମାଣ୍ଡୋରୁ ଉଠାଇନେଲା ଅଇଁଠାପାଲି ପୁଲିସ

ଲକ୍ଷାଧିକ ଟଙ୍କା, ସିମ୍ କାର୍ଡ, ମୋବାଇଲ୍ ଓ ଲାପଟପ୍ ଜବତ

ଭୁବନେଶ୍ବର/ସମ୍ବଲପୁର : ଶୁକ୍ରବାରରୁ ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘରୋଇ ଇଂଜିନିୟରିଂ କଲେଜର ୪ଛାତ୍ର ନିଖୋଜ ହେବା ଘଟଣାର ପର୍ଦ୍ଦାଫାସ ହୋଇଛି। ନିଖୋଜ ୪ ଇଂଜିନିୟରିଂ ଛାତ୍ର କେଉଁଠି ହଜିଯାଇନଥିଲେ କି ଅପହରଣ ହୋଇନଥିଲେ। ବରଂ ସାଇବର ଠକେଇରେ ସଂପୃକ୍ତ ଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲାର ଅଇଁଠାପାଲି ଥାନା ପୁଲିସ ଭୁବନେଶ୍ବରରୁ ଗିରଫ କରିଥିଲା। ୨ରୁ ୩ଦିନ କାଳ ଅଇଁଠାପାଲି ଥାନା ପୁଲିସ ୪ ଇଂଜିନିୟରିଂ ଛାତ୍ର ସମେତ ମୋଟ ୫ଜଣ ଅଭିଯୁକ୍ତଙ୍କୁ ହେପାଜତରେ ରଖିଥିଲା। ମଙ୍ଗଳବାର ଦିନ ୨ ଇଂଜିନିୟରିଂ ଛାତ୍ର ସମେତ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣଙ୍କୁ ନୋଟିସ୍ ଦେଇ ଛାଡ଼ିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ଛୋଟ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଜନତା ମାର୍କେଟ ଷ୍ଟେସନ ରୋଡ୍‌ର ଭିଶାଲ ପାଣ୍ଡେ, ବିହାର ଜାମ୍ମୁଲର ଶେଖର ଗୌତମ ଓ ଝାଡ଼ଖଣ୍ଡ ଖଗା ଥାନା ଅଧୀନ ମାଲାନ୍ଦି ଗାଁର ରେହମତ୍ ଅନସାରି ଓରଫ୍ ଛୋଟୁ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଖବର ଅନୁଯାୟୀ, ଗତ ୧୩ତାରିଖରେ ଗିରଫ ଇଂଜିନିୟରିଂ ଛାତ୍ରମାନଙ୍କ ପରିବାର ଲୋକେ ତମାଣ୍ଡୋ ଥାନାରେ ନିଖୋଜ ହେବା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏକ ଘରୋଇ ଇଂଜିନିୟରିଂ କଲେଜ୍‌ରେ ପାଠ ପଢ଼ୁଥିବା ଏହି ୪ ଛାତ୍ର ଗୋଟିଏ ରୁମ୍‌ରେ ରହୁଥିବା ବେଳେ ଗତ ୧୧ତାରିଖରୁ ସେମାନଙ୍କ ପରିବାର ଲୋକଙ୍କ ସହ କୌଣସି ଯୋଗାଯୋଗରେ ନଥିଲେ। ତେଣୁ ପରିବାର ଲୋକେ ବାଧ୍ୟ ହୋଇ ଭୁବନେଶ୍ବର ତମାଣ୍ଡୋସ୍ଥିତ ଭଡ଼ା ଘରେ ଯାଇ ଦେଖିବାରୁ ଘର ତାଲା ପଡ଼ିଥିଲା। ବାଧ୍ୟ ହୋଇ ସେମାନେ ତମାଣ୍ଡୋ ଥାନାର ଦ୍ବାରସ୍ଥ ହୋଇଥିଲେ। ପରେ ତମାଣ୍ଡୋ ଥାନା ପୁଲିସ ଘଟଣାର ତଦନ୍ତ କରି ଘଟଣାସ୍ଥଳକୁ ଯାଇଥିଲା। ଭଡ଼ା ଘର କବାଟ ଭାଙ୍ଗି ଭିତରେ ଛାନ୍‌ଭିନ୍ କରିଥିଲା। ଘର ଭିତରେ ଥିବା ଗ୍ୟାସ୍ ଚୁଲାଠୁ ଆରମ୍ଭ କରି ସମସ୍ତ ଲଗେଜ୍ ପୂରା ସଜଡ଼ା ହୋଇ ରହିଥିଲା। କିଛି ଡ୍ରେସ୍ ଓ ବ୍ୟାଗ୍‌ ଘର ଭିତରେ ନଥିବା ପରିବାର ଲୋକେ ସୂଚନା ଦେଇଥିଲେ। ପୁଲିସ ନିଶ୍ଚିତ ହୋଇଥିଲା ଯେ ୪ ଛାତ୍ର କେଉଁଆଡ଼େ ଯାଇଛନ୍ତି। ଏହା ପରେ ଫୋନ ନମ୍ବର ଟ୍ରାକ୍ କରିବାରୁ ସମସ୍ତଙ୍କର ମୋବାଇଲ୍ ଫୋନ୍ ଲୋକେସନ୍ ସମ୍ବଲପୁର ଦେଖାଇଥିଲା। ତେଣୁ ତମାଣ୍ଡୋ ଥାନା ପୁଲିସ ସମ୍ବଲପୁର ପୁଲିସ ସହ ଯୋଗାଯୋଗ ଆରମ୍ଭ କରିଥିଲା। ମାତ୍ର ନିଖୋଜ ଛାତ୍ରମାନଙ୍କ ପରିବାର ଲୋକେ ତମାଣ୍ଡୋ ଥାନା ପୁଲିସର ତଦନ୍ତର ଅସନ୍ତୋଷ ପ୍ରକାଶ କରି ଗତକାଲି ସିପିଙ୍କ ଦ୍ବାରସ୍ଥ ହୋଇଥିଲେ। ପରେ ପୁଲିସ ଘଟଣାର ଅଧିକ ଖୋଳତାଡ଼ କରି ନିଖୋଜ ଛାତ୍ରମାନେ ଅଇଁଠାପାଲି ପୁଲିସ ଦ୍ବାରା ଗିରଫ ହୋଇଥିବା ସୂଚନା ଦେଇଥିଲା। ଏନେଇ ଡିସିପି ଉମାଶଙ୍କର ଦାଶ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

କ’ଣ ଥିଲା ଅଭିଯୋଗ?
ସମ୍ବଲପୁର ଅଇଁଠାପାଲି ଥାନା ଅନୁଗୁଳିଆପଡ଼ାର ସରୋଜ ଦାଶ(୪୭) ଗତ ୫ତାରିଖରେ ଏକ ପର୍ସନାଲ୍ ଲୋନ୍ ପାଇଁ ନାଭି ଫାଇନାନ୍ସ ନାମକ କମ୍ପାନିକୁ ଆବେଦନ କରିଥିଲେ। ପରେ ଅନ୍‌ଲାଇନ୍‌ରେ ୩ଲକ୍ଷ ୯୦ହଜାର ଟଙ୍କାର ଲୋନ୍ ଆବେଦନ କରିବା ପରେ ବ୍ୟାଙ୍କ୍‌କୁ ଯାଇ ବଳକା କାଗତଜପତ୍ର କାମ ସାରିବାକୁ ଯାଇଥିଲେ। ମାତ୍ର ସେଠାରେ ବ୍ୟାଙ୍କ୍ ଲିଙ୍କ କଟିଯିବାରୁ ସରୋଜ ଘରକୁ ଫେରିଆସିଥିଲେ। ପରେ ଅନଲାଇନରେ ନାଭି ଫାଇନାନ୍ସର ହେଲ୍ପଲାଇନ୍ ନମ୍ବର ଖୋଜି ଯୋଗାଯୋଗ କରିଥିଲେ। ମାତ୍ର ଉକ୍ତ ନମ୍ବରରୁ କୌଣସି ଉତ୍ତର ଆସିନଥିଲା। ଏହାର କିଛି ସମୟ ପରେ ୭୩୧୯୭୬୦୩୦୩ ନମ୍ବରରୁ ଏକ ଫୋନ୍ ସରୋଜଙ୍କ ପାଖକୁ ଆସିଥିଲା। ଉକ୍ତ ବ୍ୟକ୍ତି ନିଜକୁ ନାଭି ଫାଇନାନ୍ସର କର୍ମଚାରୀ ବୋଲି କହି ଲୋନ୍‌ ଆବେଦନ ପାଇଁ ଆଉ କିଛି ପ୍ରକ୍ରିୟା ବାକି ଥିବା କହିଥିଲା। ଏହାରି ସୁଯୋଗରେ ଚତୁରତାର ସହ ସରୋଜଙ୍କ ମୋବାଇଲ୍‌ରେ ଏନି ଡେସ୍କ୍ ଆପ୍ ଡାଉନଲୋଡ୍‌ କରାଇଥିଲା। ଏହା ପରଦିନ ସରୋଜ ଆବେଦନ କରିଥିବା ଲୋନ୍ ତାଙ୍କ ଆକାଉଣ୍ଟକୁ ଆସିଥିଲା। ଏହାର ଅଧଘଣ୍ଟା ଭିତରେ ତାଙ୍କ ଆକାଉଣ୍ଟ୍‌ରୁ ସଙ୍ଗେ ସଙ୍ଗେ ପ୍ରାୟ ୨ଲକ୍ଷ ଟଙ୍କା କଟିଯାଇଥିଲା। ପରେ ମୁମ୍ବାଇସ୍ଥିତ ଆଇଡିବିଆଇ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ତାଙ୍କୁ ଫୋନ୍ କରି ଆକାଉଣ୍ଟ୍ ଅଚଳ କରାଇଥିଲେ। ଏନେଇ ସରୋଜ ୬ତାରିଖ ସନ୍ଧ୍ୟାରେ ଅଇଁଠାପାଲି ପୁଲିସ ପାଖରେ ଅଭିଯୋଗ କରିଥିଲେ।

ପୁଲିସ ଉକ୍ତ ନମ୍ବରକୁ ଟ୍ରାକ୍ କରି ଭୁବନେଶ୍ବରରୁ ଠାବ କରିବା ପରେ ସମସ୍ତଙ୍କୁ ୧୧ତାରିଖରେ ଗିରଫ କରିଥିଲା। ଅଭିଯୁକ୍ତଙ୍କ ପାଖରୁ ପ୍ରାୟ ନଗଦ ୧ଲକ୍ଷ ୧୩ହଜାର ଟଙ୍କା ଜବତ କରିଥିବା ବେଳେ ୩୫ରୁ ଊର୍ଦ୍ଧ୍ବ ସିମ୍ କାର୍ଡ, ୯ଟି ମୋବାଇଲ୍ ଓ ଲାପଟପ୍ ଜବତ କରିଥିଲା।

ଠକେଇର ମାଷ୍ଟରମାଇଣ୍ଡ ଥିଲା ଛୋଟୁ
ଅଇଁଠାପାଲି ପୁଲିସ ଗତ ୧୧ତାରିଖ ୪ ଇଂଜିନିୟରିଂ ଛାତ୍ରଙ୍କ ବ୍ୟତୀତ ଛୋଟୁ ଓରଫ ରେହମତ୍ ଅନସାରି ନାମକ ଜଣେ ଯୁବକକୁ ଗିରଫ କରିଥିଲା। ସେ ଅଷ୍ଟମ ପାସ୍ ହୋଇଥିବା ବେଳେ ଝାଡ଼ଖଣ୍ଡ ଜମ୍‌ତରା ଗ୍ୟାଙ୍ଗ୍ ସହ ମିଶି ସାଇବର ଠକେଇ କରୁଥିଲା। ସେ ଠକେଇର ସବୁ କଳା କୌଶଳ ଜାଣିବା ପରେ ଏହି ୪ ଇଂଜିନିୟରିଂ ଛାତ୍ରଙ୍କ ସହ ମିଶି ଭୁବନେଶ୍ବରର ଏକ ଭଡ଼ା ଘରେ ଠକେଇ କରୁଥିଲା। ତା’ ନାଁରେ ପୂର୍ବରୁ ମାଳମାଳ ଅଭିଯୋଗ ରହିଥିବା ବେଳେ ସେ ଜାମ୍‌ତରା ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ଜଣାପଡ଼ିଛି। ସେ ଏହି ଠକେଇର ମାଷ୍ଟରମାଇଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି। ସେ ଝାଡ଼ଖଣ୍ଡରେ ରହି ଏହି ଭଳି ବିଭିନ୍ନ ରାଜ୍ୟରେ ମାଳମାଳ ଠକେଇ କରିଥିବା ଜଣାପଡ଼ିଛି। ତାକୁ ଠକେଇର ସହଯୋଗ କରିଥିବାରୁ ୨ ଇଂଜିନିୟରିଂ ଛାତ୍ର ଭିଶାଲ ଓ ଶେଖରକୁ ମଧ୍ୟ ଗିରଫ କରାଯାଇଥିବା ବେଳେ ପୁଲିସ ତ୍ରିନେତ୍ର ଓ ଆଦିତ୍ୟକୁ ନୋଟିସ୍ ଦେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର