ପୁରୀ: ଶାରଦୀୟ ପୂଜା ଅବସରରେ ଶ୍ରୀମନ୍ଦିର ପରିସର ମା’ ବିମଳାଙ୍କ ପୀଠରେ ନିଶାର୍ଦ୍ଧରେ ହୋଇଛି ଅଷ୍ଟମୀ ପୂଜା ନୀତିକାନ୍ତି। ମା’ ବିମଳାଙ୍କର ରାତି ସାଢ଼େ ଗୋଟାଏରେ ମଇଲମ ହେବା ପରେ ରାତି ୩ଟା ୨୦ରେ ମାଜଣା ବେଶ ହୋଇଥିଲା। ଭୋରୁ ସଙ୍ଖୁଡ଼ି ଭୋଗ ଓ ପଶୁ ପୋଷଣ ହୋଇଥିଲା। ସକାଳୁ ଧୁଆଧୋଇ ହୋଇ ଚୂନ ପାଣି ପଡ଼ିଥିଲା। ତ୍ରିଦିନାତ୍ମକ ପୂଜାରେ ତର୍ପଣ, ମାଜଣା, ବଳି, ଜପ ଓ ହୋମାଦି କର୍ମ ହୋଇଥିଲା। ଆଜି ମହାନବମୀ ନୀତି ପରେ ତ୍ରିଦିନାତ୍ମକ ପୂଜା ସମ୍ପନ୍ନ ହୋଇଛି।
ମହାପ୍ରଭୁ ପହୁଡ଼ ଯିବା ପରେ ଭିତରଶୋଧ କରାଯାଇ ମା’ ବିମଳାଙ୍କ ନିକଟରେ ସଙ୍ଖୁଡ଼ି ଓ ଆମିଷ ଭୋଗ ହୋଇଥିଲା। ଏହି ଭୋଗ ପ୍ରସ୍ତୁତି ପାଇଁ ବିମଳାଙ୍କ କୂଅ ନିକଟରେ ଅସ୍ଥାୟୀ ପାକଶାଳା ନିର୍ମିତ ହୋଇଥିଲା। ମା’ଙ୍କ ପୂଜା ପାଇଁ ସଙ୍ଖୁଡ଼ି ଓ ଆମିଷ ଭୋଗ ପ୍ରସ୍ତୁତି କରାଯାଇ ଗୁପ୍ତ ପୂଜା ବିଧି କରାଯାଇଥିଲା। ଆମିଷ ଓ ସଙ୍ଖୁଡ଼ି ଭୋଗ ପଶ୍ଚିମ ଦ୍ବାର ଦେଇ ଯାଆସ ହୋଇଥିଲା। ଏହି ପୂଜା ଅବସରରେ କମାର ସେବକଙ୍କ ଘରୁ ଖଡ୍ଗ ଆସିଥାଏ।
ପାଣିଆପଟ ସେବକଙ୍କ ଘରୁ ପୂଜାର୍ଚ୍ଚନା ପରେ ପନିକି ଆସିଥାଏ। ପୂଜା ତିନି ଦିନ ୨ଟି ଲେଖାଏଁ ବଳି ପଡ଼ିବାର ବିଧି ରହିଛି। ସେହି ଅନୁଯାୟୀ ଦେବୀଙ୍କ ଉଦ୍ଦେଶ୍ୟରେ ପଡ଼ୁଥିବା ବଳି ପ୍ରତୀକାତ୍ମକ ଭାବେ ମା’ କାକୁଡ଼ିଖାଇଙ୍କ ନିକଟରେ ପଡ଼ିଥିଲା। ମା’ କାକୁଡ଼ିଖାଇଙ୍କୁ ମା’ ବିମଳାଙ୍କ ପ୍ରତିନିଧି ଭାବେ ବିବେଚନା କରାଯାଇ ବଳି ବିଧି କରାଯାଇଥାଏ। ସଙ୍ଖୁଡ଼ି ଭୋଗ ପଶ୍ଚିମ ଦ୍ବାର ଦେଇ ବାହାରକୁ ଯିବା ପରେ ଚୂନ ପାଣି ପଡ଼ି ଶ୍ରୀମନ୍ଦିର ଦ୍ବାର ଫିଟାଯାଇଥିଲା।