ଚିକିତ୍ସା ଆରମ୍ଭ ହେବ କହି ଚାଲିଗଲେ ଡାକ୍ତର,ବାପାଙ୍କର ମୃତ୍ୟୁ ହେଲା: ତିନି ଝିଅ କଲେ ଅନ୍ତିମ ସଂସ୍କାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ତିନି ଉଉଣୀ ନିଜ ବାପାଙ୍କ ଶବକୁ କାନ୍ଧେଇ.ନେଇ ଅନ୍ତିମ ସଂସ୍କାର କରି ଚାରିଆଡେ ଚର୍ଚ୍ଚାରେ ରହିଛନ୍ତି। ଏହାରି ଭିତରେ ବାପାଙ୍କ ମୃତ୍ୟୁପଛର କାରଣ ସେମାନଙ୍କ ମନକୁ ଆନ୍ଦୋଳିତ କରୁଛି । ସରକାରୀ ଡାକ୍ତରଖାନାରେ ଉଚିତ ସ୍ୱାସ୍ଥ୍ୟସେବା ନପାଇ ବାପାଙ୍କ ମୃତ୍ୟୁ ହୋଇଥିବା ତିନି ଭଉଣୀ ଅଭିଯୋଗ ଆଣିଛନ୍ତି।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି କୋରାପୁଟ ମେଡିକାଲ କଲେଜ, ସବୁଠି ଚିକିତ୍ସାରେ ଚରମ ଅବହେଳା କରାଯାଇଥିବା ମୃତକଙ୍କ ଝିଅ ଅଭିଯୋଗ ଆଣିଛନ୍ତି । ଏମିତି କି ବାପାଙ୍କୁ ଚିକିତ୍ସା ପାଇଁ ମାଲକାନଗିରିରୁ କୋରାପୁଟ ନେବା ପାଇଁ ମାଗଣା ଆମ୍ବୁଲାନ୍‌ସ ମିଳି ନଥିଲା କି ମୃତ୍ୟୁ ପରେ ଶବ ଆଣିବା ପାଇଁ କୋରାପୁଟ ମେଡିକାଲ କଲେଜରେ ମିଳି ନ ଥିବା ମହାପ୍ରାୟଣ ସେବା । ଭାଇ ନଥିବାରୁ ୩ ଝିଅ ସଙ୍ଗୀତା, ସ୍ମିତା ଓ ସଶ୍ମିତା ବାପା ସୁକାନ୍ତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର କରି ରକ୍ଷଣଶୀଳ ସମାଜକୁ ପରିବର୍ତ୍ତନର ବାର୍ତ୍ତା ଦେଇଥିଲେ । ବାପାଙ୍କ କ୍ରିୟାକର୍ମ କରି ଯେତେ ଗର୍ବିତ, ବାପାଙ୍କୁ ଡାକ୍ତରଖାନାରୁ ସୁସ୍ଥ କରି ଫେରାଇ ନ ପାରି ସେତିକି ଦୁଃଖିତ ।

ସେମାନଙ୍କ ଅଭିଯୋଗ ଅନୁସାରେ, ଗତ ୧୭ ତାରିଖ ଦିନ ସୁକାନ୍ତ ପଟ୍ଟନାୟକ ଅସୁସ୍ଥ ଅବସ୍ଥାରେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଡାକ୍ତର କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ହେଲେ ରୋଗୀଙ୍କୁ କୋରାପୁଟ ନେବା ପାଇଁ ପରିବାରକୁ ମିଳି ନ ଥିଲା ମାଗଣା ଆମ୍ବୁଲାନ୍‌ସ । ବାପାଙ୍କୁ ସ୍ଥାନାନ୍ତର ପାଇଁ ୧୦୮ ଲେଖା ଥିବା ଆମ୍ବୁଲାନ୍‌ସକୁ ୪ ହଜାର ଟଙ୍କା ମୃତକଙ୍କ ଝିଅ ଦେଇଥିଲେ।

ମାଲକାନଗିରିରେ ତ ଠିକ୍‌ ସ୍ୱାସ୍ଥ୍ୟସେବା ମିଳି ନ ଥିଲା, କୋରାପୁଟ ମେଡିକାଲ କଲେଜରେ ମଧ୍ୟ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଝିଅ । ରୋଗୀ ଗୁରୁତର ଥିବା କହି ଆଡମିଶନ କରାଇ ଦେଲେ, ହେଲେ ଦିନ ୯ଟାରେ ଚିକିତ୍ସା ଆରମ୍ଭ ହେବ କହି ଡାକ୍ତର ଚାଲିଗଲେ । ପରେ ପ୍ରାଥମିକ ଚିକିତ୍ସା ପାଇଁ ଲେଖା ହୋଇଥିବା ଇଂଜେକ୍ସନ ଓ ସାଲାଇନ୍‌ ନିରାମୟ କେନ୍ଦ୍ରରେ ନମିଳିବାରୁ ବାହାରୁ କିଣିଥିଲେ ସୁକାନ୍ତଙ୍କ ଝିଅ । କିନ୍ତୁ ଝିଅମାନଙ୍କ ସବୁ ଚେଷ୍ଟା ବାପାଙ୍କ ମୃତ୍ୟୁ ପାଖରେ ହାର ମାନିଥିଲା । ମୃତ୍ୟୁ ପରେ ଶବକୁ କୋରାପୁଟରୁ ମାଲକାନଗିରି ଆଣିବା ପାଇଁ ମୃତକଙ୍କ ପରିବାରକୁ ମିଳି ନ ଥିଲା ମହାପ୍ରୟାଣ ଯୋଜନା । ମାଗଣା ଆମ୍ବୁଲାନ୍‌ସ ନମିଳିବାରୁ ୬ ହଜାର ଟଙ୍କା ଦେଇ ଘରୋଇ ଆମ୍ବୁଲାନ୍‌ସରେ ବାପାଙ୍କ ଶବକୁ ମାଲକାନଗିରି ଆଣିଥିଲେ ପରିବାର ।

ନିକଟରେ ମାଲକାନଗିରି ଡାକ୍ତରଖାନାରେ ଜିଲ୍ଲାପାଳ ନିଜ ସ୍ତ୍ରୀଙ୍କ ପ୍ରସବ କରାଇ ସୁସ୍ଥ ସରକାରୀ ସାସ୍ଥ୍ୟ ସେବାର ବାର୍ତ୍ତା ଦେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସୁକାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଝିଅଙ୍କ ଅଭିଯୋଗ ଉପାନ୍ତ ଅଂଚଳରେ ସ୍ୱସ୍ଥ୍ୟସେବାର ଅସଲ ଚିତ୍ରକୁ ସାମ୍ନାକୁ ଆଣିଛି ।

ସମ୍ବନ୍ଧିତ ଖବର