ଭୁବନେଶ୍ବର: ରାଜ୍ୟରେ କୋଭିଡ-୧୯ ମହାମାରୀର ନୂଆ ଭାରିଆଣ୍ଟ ‘ଓମିକ୍ରନ’ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭିଡ଼କୁ ଏଡାଇବା ପାଇଁ ପ୍ଲାନେଟାରିୟମ୍ ଗୁଡ଼ିକୁ ଆଗାମୀ ୩ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ବରସ୍ଥିତ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ବୁର୍ଲାସ୍ଥିତ ଏପିଜେ ଅବ୍ଦୁଲ କଲାମ୍ ପ୍ଲାନେଟାରିୟମ୍ ଡିସେମ୍ବର ୩୧ ତାରିଖ ଠାରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ପାଇଁ ବନ୍ଦ ରହିବ।
ତେବେ ନୂଆବର୍ଷ ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ବିଏମ୍ସି ଡିସେମ୍ବର ୩୧ ତାରିଖ ଠାରୁ ୨୦୨୨ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛି । ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ଼ ଆଶଙ୍କାକୁ ଏଡାଇବାକୁ ଆଗାମୀ ୩ ଦିନ ଭକ୍ତଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ।
ବିଏମ୍ସିର କଟକଣା ଅନୁସାରେ ଡିସେମ୍ବର ୩୧ ଠାରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ୱାରା, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । କାରଣ ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ଼ ପରିଲିକ୍ଷିତ ହୋଇଥାଏ । ତେଣୁ ଅଯଥା ଭିଡ଼ ଏଡାଇବାକୁ ଏଭଳି ନିଷ୍ପତ୍ତି ନେଇଛି ବିଏମ୍ସି । ତେବେ ଏହି ସମୟରେ ଧର୍ମାନୁଷ୍ଠାନରେ ଠାକୁରଙ୍କ ରୀତିନୀତି ପୂର୍ବଭଳି ଜାରି ରହିବ ବୋଲି ବିଏମସିର ଗାଇଡଲାଇନରେ ଦର୍ଶାଯାଇଛି ।