ପୁରୀ : ବିଜେପି ୨୦୨୪ ନିର୍ବାଚନରେ ଶାସନକୁ ଆସିବ। ଦୁର୍ଗା ପୂଜାପରେ ନିର୍ବାଚନ ନେଇ ଜୋରଦାର ଲଢ଼େଇ ହେବ। ଗାଁ’ ଗାଁରେ ମୋଦୀଙ୍କ ବିକାଶର ନାରା ବାଜିବ। ଆମ ନାଆରେ ଗୋଡ଼ ଦେଇ ନଦୀ ପାର ହୋଇଥିବା ବିଜେଡିର ପତନ ହେବ। ପୁଣିଥରେ ଓଡ଼ିଶାରେ ପଦ୍ମ ଫୁଟିବ। ପୁରୀରେ ଚାଲିଥିବା ତିନିଦିନିଆ ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ ଦିବସରେ ଆଜି ‌ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବୁଥ, ପଞ୍ଚାୟତ ସ୍ତରରୁ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

Advertisment

ପୁରୀ ବଳିଆପଣ୍ଡାସ୍ଥିତ ହୋଟେଲ ବ୍ଲୁ ଲିଲିଠାରେ ଚାଲିଥିବା ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଗୁରୁବାର ଦିନ ଶେଷ ହୋଇଛି। ତିନିଦିନ ଧରି କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ନେତା, ରାଜ୍ୟ ନେତାମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଧାୟକ, ସାଂସଦ, ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ୨୦୨୪ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେଇଛନ୍ତି। ୧୫ଟି ଅଧିବେଶନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ନେତାମାନେ କିଭଳି ନିର୍ବାଚନ ବୈତରଣୀକୁ ପାର ହେବେ, ତାର ଖସଡ଼ା ପ୍ରସ୍ତୁତ କରିଛନ୍ତି।

ବିଜେପିର ଦମ୍ଭୋକ୍ତି, ୨୦୨୪ରେ ଶାସନକୁ ଆସିବୁ
ବୁଥ, ପଞ୍ଚାୟତ ସ୍ତରରୁ ଲଢ଼େଇ ପାଇଁ ଗୁରୁମନ୍ତ୍ର

publive-image

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କହିଛନ୍ତି, ସେ ପଞ୍ଚାୟତ ନିର୍ବାଚନ ହେଉ କି ସାଧାରଣ ନିର୍ବାଚନ, ସବୁଥିରେ ବିଜେପିର ଲୋକପ୍ରିୟତା ବଢ଼ିଛି। ସେହି ତୁଳନାରେ ବିଜେଡିର ଲୋକପ୍ରିୟତା କମିଛି। କୋଭିଡ୍‌ ବେଳେ ଟିକାକରଣ, ଚିକିତ୍ସା ସେବା କଥା ହେଉ କି ବିଦେଶରୁ ଲୋକଙ୍କୁ ଉଦ୍ଧାର, ସବୁ କାମ ପାଇଁ ଆଜି ସାରା ଦେଶରେ ମୋଦୀଙ୍କ ଲୋକପ୍ରିୟତା ବଢ଼ିଛି। ସାରା ଦେଶର ୯୦ ପ୍ରତିଶତ ଲୋକ ମୋଦୀଙ୍କୁ ଭଲ ପାଉଛନ୍ତି। ଓଡ଼ିଶାରେ ବି ମୋଦୀଙ୍କ ଲୋକପ୍ରିୟତା ବଢ଼ିଛି। ସେ ଦୃଷ୍ଟିରୁ ଆମେ ଦୃଢ଼ତାର ସହ କହୁଛି, ୨୦୨୪ ନିର୍ବାଚନରେ ଓଡ଼ିଶାରେ ସରକାର ଗଢ଼ିବୁ, ଏଥିରେ ଦ୍ବିମତ ନାହିଁ। ବିଧାୟକ ରବିନାରାୟଣ ନାୟକ କହିଛନ୍ତି, ୨୦୨୪ରେ ବିଜେପି ଶାସନକୁ ଆସିବ। ମୋଦୀ ସରକାର ଯେଉଁଭଳି ଲୋକାଭିମୁଖୀ , ବିକାଶମୂଳକ କାର୍ଯ୍ୟ କରୁଛନ୍ତି, ତାହା ନିଶ୍ଚିତ ଲୋକଙ୍କ ବିଶ୍ବାସଭାଜନ ହେବ ଓ ଆମକୁ ବିଜୟ ଆଣିଦେବ। ବିଜେଡି ଆମ ଡଙ୍ଗାରେ ବସି ପାର ହୋଇଛି। ବିଜେଡି ଏବେ କେଉଁଭଳି କାମ କରୁଛି, ଲୋକେ ଜାଣିଛନ୍ତି, ୨୦୨୪ରେ ଏହାର ଜବାବ ଦେବେ।

ମୋଦୀ ସରକାରଙ୍କ ପରିମାଣଦାୟୀ ନୀତି ପ୍ରସଙ୍ଗର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଥିବା ବେଳେ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ମୋଦୀ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ନୀତି ସଂପର୍କରେ ଆଲୋଚନା କରିଥିଲେ। ରାଷ୍ଟ୍ରୀୟ ସାଧାରଣ ସଂପାଦକ(ସାଂଗଠନ) ବି.ଏଲ୍ ସନ୍ତୋଷ ପାର୍ଟିର ସଂଗଠନକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ। ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି, ରାଜ୍ୟରେ ଛିଣ୍ଡୁଥିବା ଦଳ ହେଉଛି ବିଜେଡି ଏବଂ ବଢ଼ୁଥିବା ଦଳ ହେଉଛି ବିଜେପି। ୨୦୨୪ ମସିହାରେ ବିଜେପି ଓଡ଼ିଶାରେ ‌ଯେଭଳି ଶାସନକୁ ଆସିବ ସେ ନେଇ ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ଖସଡ଼ା ପ୍ରସ୍ତୁତ ହୋଇଛି ଓ ସେହି ଅନୁଯାୟୀ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଜାତୀୟ କାଉନ୍‌ସିଲ ସଦସ୍ୟ ମଧୁସୂଦନ ସିଂଘାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।