କଟକ: କଟକ ବଡ଼ ଡାକ୍ତରଖାନା ମେଡିକାଲ୍ ଫାଣ୍ଡି ହାଜତରେ ଜଣେ ନାବାଳକଙ୍କୁ ପୁଲିସ ତିନିଦିନ ଅଟକ ରଖିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଜି ସାମ୍‌ନାକୁ ଆସିଛି। ସିଡବ୍ଲୁସି ଏଭଳି ଅଭିଯୋଗ ଆଣିଛି। ଆସନ୍ତାକାଲି ନାବାଳକଙ୍କୁ ହାଜର କରାଯାଇ ବୟାନ ରେକର୍ଡ କରାଯିବା ସହିତ ପୁଲିସ ବିରୋଧରେ ଏତଲା ଦେବ ସିଡବ୍ଲୁସି ସିଡବ୍ଲିସି ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ସାହେବଗଞ୍ଜ ଥାନା ରାଜମଲ ତିନିପାହାଡ଼ ଅଞ୍ଚଳର ଜଣେ ୧୨ ବର୍ଷୀୟ ନାବାଳକଙ୍କୁ କାବୁ କରି ବଡ଼ ଡାକ୍ତରଖାନା ମେଡିକାଲ୍ ଫାଣ୍ଡିରେ ଗଲା ତିନିଦିନ ହେବ ରଖାଯାଇଥିଲା। ଏହି ନାବାଳକ ଅନ୍ୟ କିଛି ଦୁର୍ବୃତ୍ତଙ୍କ ସହିତ ମିଶି ମୋବାଇଲ୍ ଚୋରି ଭଳି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ଥିଲା। ଅଭିଯୋଗ ଅନୁସାରେ, ନାବାଳକ ଜଣକ ତିନୋଟି ମୋବାଇଲ୍ ଚୋରି କରି ଅନ୍ୟ ଜଣେ ଦୁର୍ବୃତ୍ତକୁ ଦେଇଥିଲେ। ଏହାପରେ, ପୁଲିସ ଏହି ନାବାଳକଙ୍କୁ କାବୁ କରି ଗଲା ତିନିଦିନ ହେବ ମେଡିକାଲ୍ ଫାଣ୍ଡି ହାଜତ ଭିତରେ ଅଟକ ରଖିଥିଲା। ଆଜି ଏ ସଂକ୍ରାନ୍ତରେ ଚାଇଲ୍‌ଡ ଲାଇନ୍ ଖବର ପାଇବା ପରେ ଦିନ ପ୍ରାୟ ୧ଟା ବେଳେ ଚାଇଲ୍‌ଡଲାଇନ୍ ପକ୍ଷରୁ ସଦସ୍ୟ ଆର୍‌. ଡୋନାଲ୍‌ଡ ବେହେରା ପହଞ୍ଚି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ନାବାଳକ ହାଜତ ଭିତରେ ବସିଥିବା ବେଳେ ବାହାର ପଟୁ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ମାମଲାରେ ଉଭୟ ସିଡବ୍ଲୁସି ଓ ଚାଇଲ୍‌ଡଲାଇନ୍ ହସ୍ତକ୍ଷେପ କଲା ପରେ ହଟଚମଟ ସୃଷ୍ଟି ହୋଇଛି।

Advertisment

ସିଡବ୍ଲୁସି ସଦସ୍ୟ ଅମୀୟ ବିଶ୍ବାଳ କହିଛନ୍ତି ଯେ ଏହି ନାବାଳକଙ୍କୁ ପୁଲିସ ଚୋରି ଅଭିଯୋଗରେ ଧରିବାର ୨୪ ଘଣ୍ଟା ଭିତରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିବା କଥା। ଯେହେତୁ ଅପରାଧିକ ମାମଲା, ତେଣୁ ବୋର୍ଡରେ ହାଜର କରିଥା’ନ୍ତା। କିନ୍ତୁ ପୁଲିସ ତାଙ୍କୁ ତିନିଦିନ ଧରି ହାଜତରେ ଅଟକ ରଖିଥିବାରୁ ଶିଶୁ ସୁରକ୍ଷା ଆଇନର ଉଲ୍ଲଂଘନ କରାଯାଇଛି। ଆଜି ଏହି ଘଟଣାରେ ଚାଇଲ୍‌ଡଲାଇନ୍‌ ହସ୍ତକ୍ଷେପ କରିବା ପରେ ପୁଲିସ ନାବାଳକଙ୍କୁ ନେଇ ଚାଇଲ୍‌ଡଲାଇନ୍‌ରେ ଛାଡ଼ିଥିଲା। କିନ୍ତୁ ଶିଶୁ ସୁରକ୍ଷା ଆଇନର ଉଲ୍ଲଂଘନ ହୋଇଥିବାରୁ ଏବେ ଏହି ନାବାଳକ ଆଉ ଅଭିଯୁକ୍ତ ନୁହେଁ, ପୀଡ଼ିତ ହୋଇଯାଇଛନ୍ତି। ଆସନ୍ତାକାଲି ତାଙ୍କୁ ସିଡବ୍ଲୁସିରେ ହାଜର କରାଯିବ। ସିଡବ୍ଲୁସି ପକ୍ଷରୁ ପୁଲିସ ବିରୋଧରେ ଏତଲା ଦେବା ସହିତ ଡିସିପିଙ୍କୁ ଆସନ୍ତାକାଲି ଏ ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।