ଭୁବନେଶ୍ବର: ଜଳବାୟୁ ସୁରକ୍ଷା ଉପରେ ଆଧାରିତ ‘ପୁନଶ୍ଚ ପୃଥିବୀ’ର ତନିଦିନିଆ ସମ୍ମିଳନୀ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ଅତିଥିମାନେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ଭବିଷ୍ୟତ ଜୀବନ ପାଇଁ ପରିବେଶର ସୁରକ୍ଷାକୁ ସମସ୍ତେ ଗୁରୁତ୍ବ ଦେବା ଉଚିତ୍‌ ବୋଲି ଅତିଥିମାନେ ପରାମର୍ଶ ଦେଇଛନ୍ତି। ଉଦ୍‌ଯାପନୀ ଅବସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ଉପରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ। ସେ ‘ସମ୍ବାଦ’ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। 

Advertisment

ସ୍ଥାନୀୟ ହୋଟେଲ ‘ସ୍ବସ୍ତି ପ୍ରିମିୟମ୍‌’ରେ ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସମାରୋହର ଉଦ୍‌ଯାପନୀ ଅଧିବେଶନରେ ବୁଧବାର ‘ଇଷ୍ଟର୍ଣ୍ଣ ମିଡିଆ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ, ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ଏବଂ ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ସମାରୋହରେ ପରିବେଶ ପାଇଁ କାମ କରୁଥିବା ବିଭିନ୍ନ କ୍ଷେତ୍ରରୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। 

ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଥିଲେ ଯେ ‘ସମ୍ବାଦ’ ଗ୍ରୁପ ନିଜର ବିଭିନ୍ନ ଅନୁଷ୍ଠାନ ଯେପରିକି ସମ୍ବାଦ ଖବରକାଗଜ, କନକ ନ୍ୟୁଜ, ରେଡିଓ ଚୋକଲେଟ, ସମ୍ବାଦ ଡିଜିଟାଲ ମାଧ୍ୟମରେ ଆମ ସମୟର ପ୍ରମୁଖ ସମସ୍ୟା ଯେପରିକି ଜଳବାୟୁ ପରିବର୍ତ୍ତନ, ସ୍ଥାୟୀତ୍ବ,, ଦାୟିତ୍ବବାନ ଜୀବନଯାପନ ଆଦି ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି। ଆମେ ଆଜି ମାନବ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ସନ୍ଧିକ୍ଷଣରେ ଛିଡ଼ା ହୋଇଛୁ। ଜଳବାୟୁ ପରିବର୍ତ୍ତନ ଆଉ ଭବିଷ୍ୟତର ଏକ ସମସ୍ୟା ହୋଇ ରହିନାହିଁ, ଆଜି ଏହା ଏକ ବାସ୍ତବିକତାରେ ପରିଣତ ହୋଇଛି। ତାପମାତ୍ରା ବୃଦ୍ଧି, ଅତ୍ୟଧିକ ବୃଷ୍ଟିପାତ ଓ ପରିବେଶଗତ ଅସନ୍ତୁଳନ ଆମ ଜୀବନ, ଅଭିବୃଦ୍ଧି ଓ ଉତ୍ପାଦନକୁ ପ୍ରଭାବିତ କରୁଛି। କିନ୍ତୁ ଏସବୁ ଆହ୍ବାନ ଆମପାଇଁ ଏକ ସୁଯୋଗ ମଧ୍ୟ ଆଣିଦେଇଛି ଯେ ବିକାଶ କେବଳ ଅଭିବୃଦ୍ଧିର ଏକ ଦୌଡ଼ ନୁହେଁ, ବରଂ ଏହା ସନ୍ତୁଳିତ, ସମାନତା ଓ ନବୀକରଣର ଏକ ମିଳିତ ଯାତ୍ରା। ଏହି ସମ୍ମିଳନୀ ଏହି ବାର୍ତ୍ତା ଦେଉଛି ଯେ ଆର୍ଥିକ ଅଭିବୃଦ୍ଧି ଓ ପରିବେଶ ସୁରକ୍ଷା ଏକାଠି ଆଗେଇବା ଉଚିତ ଏବଂ ଆମର ମିଳିତ ଭବିଷ୍ୟତ ବିକାଶ ଓ ପ୍ରକୃତି ମଧ୍ୟରେ ଆମେ ନିର୍ମାଣ କରୁଥିବା ଭାରସାମ୍ୟ ଉପରେ ନିର୍ଭର କରିବ। ଏ କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି- କେବଳ ସୂଚନା ଦେବା ନୁହେଁ, ବରଂ କାର୍ଯ୍ୟ କରିବାକୁ ଅନୁପ୍ରାଣିତ କରିବା। ସମ୍ବାଦ ଗ୍ରୁପ କେବଳ ରିପୋର୍ଟଂରୁ ଉପରକୁ ଉଠି ଏକ ପରିବର୍ତ୍ତନ ଆଣିବାକୁ ଯୁବପିଢିଙ୍କୁ ଅନୁପ୍ରାଣିତ କରିବାକୁ ଉଦ୍ୟମ କରୁଛି ।

ପରିବେଶ ସମ୍ମାନ ପୁରସ୍କାର

  • ସୁଧାଂଶୁ ‌କୁମାର ଚୌଧୁରୀ
  • ଝିରାଗା ଏକ୍କା
  • ଅଶୋକ କୁମାର ପରିଡ଼ା
  • ମନୋଜ କୁମାର ଦାସ
  • ସୁବାଷ ଚନ୍ଦ୍ର ନାୟକ
  • ପ୍ରଦୀପ ପଣ୍ଡା
  • ଡ. ପ୍ରବୀର କୁମାର ଦାସ
  • ଚିନ୍ମୟ ଦାସ
  • ରମେଶ ଚନ୍ଦ୍ର ମିଶ୍ର
  • ଶୁଭ୍ରାଂଶୁ ସତପଥୀ

rs

ସମ୍ମିଳନୀର ଦ୍ବିତୀୟ ଦିନ ମଙ୍ଗଳବାର ଭାରତର ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂହ କହିଥିଲେ, ଜଳବାୟୁ ଆମକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଅବଗତ କରାଇଥାଏ। ଏକବିଂଶ ଶତାବ୍ଦୀ ମରୁଡ଼ିର ଶତାବ୍ଦୀ। ଆମର ନଦୀ ଶୁଖିବାରେ ଲାଗିଛି। ଆମେ ଆମର ବର୍ତ୍ତମାନକୁ ଦେଖିବାର ଆବଶ୍ୟକତା ସହିତ ଭଲ ଭବିଷ୍ୟତ ପାଇଁ ଅତୀତ ଉପରେ ଦୃଷ୍ଟି ପକାଇବା ଜରୁରୀ। ସମ୍ପ୍ରତି ମୃତ୍ତିକା, ଜଳ, ପରିବେଶ ବିଗିଡ଼ି ଯାଇଛି। ବେଦରେ ନଦୀ ଏବଂ ପ୍ରକୃତି ସମ୍ପର୍କରେ ହାଯାଇଛି। ସାଢ଼େ ୧୨ ହଜାର ବର୍ଷ ତଳେ ଅଥର୍ବ ବେଦ ଲେଖାଯାଇଥିଲା। ଏଥିରେ କୁହାଯାଇଛି, ହେ ପୃଥିବୀ ମା’ ଯିଏ ଆପଣଙ୍କୁ ପୀଡ଼ା ଦେଉଛି ଆପଣ ତାକୁ ବଧ କରନ୍ତୁ। ଏଥିରେ ଉଲ୍ଲେଖ କରାଯାଇଛି, ନଦୀମାନଙ୍କୁ କୌଣସି ପ୍ରତିବନ୍ଧକ ନଦେଇ ସେମାନଙ୍କର ଗତିକୁ ସ୍ବାଧୀନତା ଦିଆଯିବା ଉଚିତ୍। ପ୍ରତ୍ୟେକ ବର୍ଷା ବିନ୍ଦୁକୁ ପୋଷଣ କରନ୍ତୁ ଏବଂ ତାର ସଂରକ୍ଷଣ କରନ୍ତୁ। ସେଇ ଅନୁଯାୟୀ ନିଜର ଜୀବନର ଗତିପଥକୁ ସୁସଂଯୋଜିତ କରନ୍ତୁ।

mg

ତିନିଦିନିଆ ସମାରୋହରେ ଜଳବାୟୁ ସୁରକ୍ଷା ଦି‌ଗରେ କାର୍ଯ୍ୟରତ ବ୍ୟକ୍ତି ବିଶିଷ୍ଟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ପରିବେଶବିତ୍‌ ମେନକା ସଞ୍ଜୟ ଗାନ୍ଧୀ ଉଦ୍‌ଘାଟନୀ ଅବସରରେ ଯୋଗ ଦେଇ କହିଥିଲେ, ବିଶ୍ବ ତାପନ ପାଇଁ ଆମେ ପାଶ୍ଚାତ୍ୟ ଦେଶମାନଙ୍କୁ ଦାୟୀ କରି ଏବଂ ଶିଳ୍ପାୟନକୁ କବଚ କରି ଖସିଯିବାକୁ ଚେଷ୍ଟା କରୁଛୁ। ହେଲେ ବିଶ୍ବ ତାପନ ପାଇଁ ଭାରତ, ଚୀନ୍‌ ଓ ବ୍ରାଜିଲ ଏହି ତିନି ଦେଶ ବହୁମାତ୍ରା‌ରେ ଦାୟୀ। ବିଶ୍ବ ତାପମାତ୍ରା ବଢ଼ାଉଥିବା ‘ମି‌ଥେନ୍‌’ର ସବୁଠାରୁ ବଡ଼ ଉତ୍ପାଦକ ହେଉଛନ୍ତି ଏହି ସବୁ ଦେଶ। ପଶୁଜାତ ଖାଦ୍ୟ ଓ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନରେ ଏହି ତିନି ଦେଶ ଅଗ୍ରଣୀ ଭୂମିକା ନେଉଥିବା ବେ‌ଳେ ଏମାନେ ମିଶି ବିଶ୍ବର ୭୦% ମିଥେନ୍‌ ନିର୍ଗତ କରିଥାନ୍ତି। ବ୍ରାଜିଲ୍‌ ଆମାଜନ୍‌ ଜଙ୍ଗଲକୁ ଜାଳି ଗୋପାଳନ କରୁଛି। ଚୀନ୍‌ ଅଧିକ ପରିମାଣରେ କୁକୁଡ଼ା (ଚିକେନ୍‌) ଓ ଚାଉଳ ଉତ୍ପାଦନ କରୁଛି। ସେହିଭଳି ଭାରତ ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ସର୍ବାଧିକ ମାଂସ ରପ୍ତାନି କରୁଥିବା ରାଷ୍ଟ୍ର ମଧ୍ୟ। ଏହି ତିନି ଦେଶ ବିଶ୍ବ ତାପନ ପାଇଁ ଉତ୍ତରଦାୟୀ। ଅଥଚ ନିଜ ଦୁର୍ବଳତା ଲୁଚାଇବାକୁ ବିଶ୍ବ ତାପନ ପାଇଁ ଅଙ୍ଗାରକାମ୍ଳ ଓ ଶିଳ୍ପାୟନକୁ ଦାୟୀ କରି ଖସିଯିବାକୁ ଚେଷ୍ଟା କରୁଛନ୍ତି। 

bp

ଉଦ୍‌ଘାଟନୀ ଦିବସର ପ୍ରଥମ ଅଧିବେଶନରେ ଭାରତର ବନ ପୁରୁଷ, ପରିବେଶବିତ୍ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଯାଦବ ପାୟେଙ୍ଗ କହିଥିଲେ,  ମୁଁ ୧୫ ବର୍ଷ ବୟସରୁ ମୋ କାର୍ଯ୍ୟ ଆରମ୍ଭ କରିଥିଲି। ମୁଁ ଏବେ ଏକ ଜଙ୍ଗଲ ତିଆରି କରି ପାରିଛି। ପିଲା ଦିନୁ ମୋର ପ୍ରାଣୀ, ପକ୍ଷୀ, ଗଛ ଏବଂ ଜଙ୍ଗଲ ପ୍ରତି ଭଲ ପାଇବା ଥିଲା। ଏହା ମତେ ୧୫ ବର୍ଷ ବୟସରେ ଏକ ଜଙ୍ଗଲ ସୃଷ୍ଟି କରିବାର ପ୍ରେରଣା ଯୋଗାଇ ଦେଇଥିଲା। ୧୯୮୫ ମସିହାରେ ମୁଁ ଡକ୍ଟର ଯଦୁନାଥ ପେଶୱା ନାମକ ‌ଜଣେ ବୈଜ୍ଞାନିକଙ୍କ ଦ୍ବାରା ପରିବେଶ ସମ୍ପର୍କରେ ଶୁଣିବା ପରେ ତାଙ୍କ ଦ୍ବାରା ବେଶ୍ ଉଦ୍‌ବୁଧ ହୋଇଥିଲି। ସେ ମତେ ଗଛ ଲଗାଇବା ପାଇଁ ପ୍ରେରଣା ଦେଇଥିଲେ। ୧୯୭୯ରେ ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ ବନ୍ୟା ଆସିଥିଲା ମୁଁ ତାହା ଦେଖିବା ପାଇଁ ଯାଇଥିଲି। ବନ୍ୟାରେ ବହୁ ଗଛ ପ୍ରାଣୀ ନଷ୍ଟ ହୋଇଥିଲେ। ଏହା ମୋ ମନରେ ଗଭୀର ଖୋପାତ କରିଥିଲା। ମୁଁ ଚିନ୍ତା କରିଥିଲି ଆମେ ତ ଦିନେ ନା ଦିନେ ମରିବା। ସେ ସମୟରେ ମୋ ମନକୁ ଗଛ ଲଗାଇବା କଥା ଆସିଥିଲା। ମୁଁ ପ୍ରଥମେ ଅଳ୍ପ ଅଳ୍ପ ଗଛ ଲଗାଇବା ଆରମ୍ଭ କରିଥିଲି। ୩୦ ବର୍ଷ ମଧ୍ୟରେ ୧୩୬୦ ଏକର ଜମିରେ ମୁଁ ଗଛ ଲଗାଇଥିଲି। ମୋର ଏହି ଜଙ୍ଗଲ ଅତି ସୁନ୍ଦର। ଏହା ଉପରେ ବହୁ ବୃତ୍ତଚିତ୍ର ନିର୍ମିତ ହୋଇଛି।

PH

ପ୍ରଥମ ଦିନର ଏକ ଦ୍ବିତୀୟ ଅଧିବେଶନରେ ଆମ ପାଇଁ ବିକାଶ ଯେତିକି ଜରୁରି; ପରିବେଶ ସୁରକ୍ଷା ବି ସେତିକି ଜରୁରି। ଏଣୁ ବିକାଶ ସହ ସମାନ୍ତରାଳ ଭାବେ ପରିବେଶ ସୁରକ୍ଷା ହେବା ଦରକାର। ଏ ଦିଗରେ ସାମୂହିକ ସହଭାଗିତା ଓ ସଚେତନତା ଜରୁରି। ରାଜ୍ୟ ସରକାର ବି ନିର୍ବାଚନ ଇସ୍ତାହାରରେ ପରିବେଶକୁ ସ୍ଥାନ ଦେଇଛନ୍ତି। ଏହାକୁ ଆମେ ଗ୍ରିନ୍ ଇସ୍ତାହାର କହୁଛୁ। ଯାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ବୋଲି କହିଥିଲେ ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

gr

ପ୍ରଥମ ଦିନର ଉଦ୍‌ଯାପନୀ ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଥିଲେ, ଜଳବାୟୁ ପରବର୍ତ୍ତନ ବଡ଼ ଆହ୍ବାନ ସୃଷ୍ଟି କରିଛି। ତାହାର ମୁକାବିଲା କରିବାକୁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ବିକାଶ କଥା ଆସିଲେ ବିନାଶ ହେବା ଏକପ୍ରକାର ଥୟ। ତଥାପି ଆମକୁ ଇକୋ-ସିଷ୍ଟମ୍‌କୁ ନଷ୍ଟ ନ କରି ଅର୍ଥନୀତିକୁ ସୁଦୃଢ଼ କରିବାକୁ ପଡ଼ିବ। ଶିଳ୍ପ ପ୍ରତିଷ୍ଠା, ଖଣି ଖନନ ପରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମୟରେ ଜଙ୍ଗଲ ନଷ୍ଟ ରୋକିବା ଦିଗରେ ଯଥାସମ୍ଭବ ଉଦ୍ୟମ ହେଉଛି। ରାଜ୍ୟ ସରକାରଙ୍କ ୧୧ଟି ବିଭାଗ ମିଳିତ ଭାବେ ଏଦିଗରେ କାର୍ଯ୍ୟ କରୁଛନ୍ତି। ବନ ସୁରକ୍ଷା ସମିତି ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତୃଣମୂଳ ସ୍ତରରେ କମିଟି ଗଠନ ହୋଇଛି। ‘ଏକ ପେଡ୍‌ ମା’ କେ ନାମ’ ଅଭିଯାନରେ ଗୋଟିଏ ଦିନରେ ଦେଢ଼ କୋଟି ଗଛ ଲଗାଇ ଓଡ଼ିଶା ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। 

ss

ସେହିପରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରିବେଶ ସୁରକ୍ଷା ପାଇଁ ଚିନ୍ତିତ ଅଛନ୍ତି। ଆମକୁ ମଧ୍ୟ ପରିବେଶ ସୁରକ୍ଷା ଓ ସନ୍ତୁଳନ ଉପରେ ଗୁରୁତ୍ବ ଦେବାକୁ ହେବ। ‘ଫ୍ୟୁଚର ପ୍ରୁଫ୍‌ ଏଣ୍ଟର୍‌ପ୍ରାଇଜେସ୍‌: ରି ଇମାଜିନିଂ ଷ୍ଟାର୍ଟଅପ୍‌ସ ଫର ଦି ଫ୍ୟୁଚର୍‌’ ଅଧିବେଶନକୁ ସମ୍ବୋଧିତ କରି ସେ କହିଥିଲେ ଯେ ରାଜ୍ୟ ସରକାର ପରିବେଶ ଅନୁକୂଳ ଶିଳ୍ପକୁ ଗୁରୁତ୍ୱ ଦେଉଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ, ଇଭି, ସେମିକଣ୍ଡକ୍ଟର, ଅକ୍ଷୟ ଶକ୍ତି, ଗ୍ରୀନ ହାଇଡ୍ରୋଜେନ ଓ ଗ୍ରିନ ଅମୋନିଆ ଭଳି ନୂଆ ପିଢ଼ିର ଶିଳ୍ପ ଉପରେ ଧ୍ୟାନ ଦିଆଯାଉଛି।

ssir

ଉଦ୍‌ଘାଟନୀ ଅଭିଭାଷଣରେ ପରିବେଶ ସୁରକ୍ଷା ଦିଗରେ ନିଜର ଚିନ୍ତା ବ୍ୟକ୍ତ କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ତନୟା ପଟ୍ଟନାୟକ ଯେତେବେଳେ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର କରିବାର ଯୋଜନା କଲେ, ସେତେବେଳେ ମୁଁ ଏହାକୁ ଆକୁଣ୍ଠ ସମର୍ଥନ ଦେଇଥିଲି। କାରଣ ଏହା ପରିବେଶ ସୁରକ୍ଷା ଉପରେ ଆଧାରିତ। ସମ୍ବାଦ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ସେଥିମଧ୍ୟରୁ ‘ପୁନଶ୍ଚ ପୃଥିବୀ’ ଏକ ସଦ୍ୟତମ ଅଭିଯାନ। ଆଜିର ଏକମାତ୍ର ପ୍ରସଂଗ ହେଉଛି ପରିବେଶ। ଯାହାକୁ ନେଇ କୌଣସି ବିବାଦ ନାହିଁ। ଏହା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପରିବେଶର ପରିଭାଷାକୁ ନେଇ ଆମେ ବିଶେଷ ଚିନ୍ତା ନକରି ଏହାର ବିକାଶ ଦିଗରେ ଅଧିକ ସକ୍ରିୟ ହେବା ଆବଶ୍ୟକ। ଓଡ଼ିଶା ଏକ ପଛୁଆ ରାଜ୍ୟ। ଏହି ରାଜ୍ୟ ବିକାଶ ଦିଗରେ ଅଗ୍ରମତି କରିପାରିବ। କିନ୍ତୁ ଏଥିପାଇଁ କିଛି ବିନାଶ ମଧ୍ୟ କରିବାକୁ ପଡ଼ିବ। ବିନା ବିନାଶରେ ବିକାଶ ସମ୍ଭବ ନୁହେଁ। ଏଣୁ ଅଳ୍ପ ବିନାଶରେ ଅଧିକ ବିକାଶ କିପରି କରାଯାଇପାରିବ ସେନେଇ ମାନସ ଚିନ୍ତନ କରିବାର ଆବଶ୍ୟକତା ରହିଛି।  

tm

ଘରେ ଘରେ ଜଣେ ଜଣେ କ୍ଲାଇମେଟ୍‌ ଯୋଦ୍ଧା ସୃଷ୍ଟି କରିବାର ଲକ୍ଷ ନେଇ ଆମେ ୨୦୨୩-୨୪ ମସିହାରେ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲୁ। ଏହାପରେ ପରିବେଶ ପଞ୍ଚାୟତ ମାଧ୍ୟମରେ ଏହାକୁ ଆଗକୁ ନେବା ପାଇଁ ‘ସମ୍ବାଦ’ ପକ୍ଷରୁ ପ୍ରୟାସ ଜାରି ରହିଛି। ରାଜନେତା, ‌ମହିଳା, ଯୁବକ, ବୁଦ୍ଧିଜୀବୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଓଡ଼ିଶାର ଭବିଷ୍ୟତ, ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ଦିଗରେ ସଚେତନ କରିବା ପାଇଁ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏ କ୍ଷେତ୍ରରେ ଯେଉଁ ସବୁ ସମସ୍ୟା ରହୁଛି ବା ଲୋକଙ୍କ ମନରେ ପ୍ରଶ୍ନ ରହିଛି; ସେସବୁକୁ ଆମେ ‘ସମ୍ବାଦ’ ମାଧ୍ୟମରେ ପ୍ରକାଶ କରୁଛୁ। ସେଥିପାଇଁ ‘ସମ୍ବାଦ’ରେ ପୁନଶ୍ଚ ପୃଥିବୀ ଭାବରେ ଆମର ଏକ ସ୍ବତନ୍ତ୍ର ପୃଷ୍ଠା ମଧ୍ୟ ପ୍ରକାଶ ପାଉଛି ବୋଲି ତନୟା ପଟ୍ଟନାୟକ କହିଥିଲେ। 

Bhabani Sir

ସମାରୋହରେ ‘ସମ୍ବାଦ ଓ କନକ ନ୍ୟୁଜ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଥିଲେ ପୂରା ଦୁନିଆର ୩ଟି ଅଙ୍ଗକୁ ଆମେ ଦେଖୁଛୁ। ନିଶ୍ୱାସ, ବିଶ୍ୱାସ ଆଉ ଏହି ୨ଟିକୁ ସାଙ୍ଗରେ ନେଇଯାଉଥିବା ମଣିଷ। ଆମେ ଚାହୁଁଛୁ ଏହି ମହାଆନ୍ଦୋଳନରେ ଆମ ସହ ସାମିଲ ହୁଅନ୍ତୁ। ଆମ ସହ ଚାଲନ୍ତୁ। 

Punascha Pruthibi