ସର୍ବଭାରତୀୟ ଡାକ ଓ ଦୂରସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ୩ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ

ସର୍ବଭାରତୀୟ କର୍ମକର୍ତା ଚୟନ: ଗଦାଧର ରଥ ଅତିରିକ୍ତ ମହାସଚିବ

ଭୁବନେଶ୍ୱର: ସର୍ବଭାରତୀୟ ଡାକ ଓ ଦୂରସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ତିନି ଦିନିଆ ପଞ୍ଚମ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତୀୟ ଡାକ ବିଭାଗର ବରିଷ୍ଠ ଉପମହା ନିର୍ଦେଶକ ଗୋପାଳ କୃଷ୍ଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜୁନ ୨୩ରୁ ୨୫ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହୋଇ ଯାଇଛି। ସେ ଅଧିକାରୀମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ମାଧ୍ୟମରେ କର୍ତ୍ତବ୍ୟ ସମ୍ପାଦନ ସମ୍ପର୍କରେ ସୂଚନା ଦେଇଥିଲେ।

ଜୁନ ୨୪ରେ ଅନୁଷ୍ଠିତ ଖୋଲା ଅଧିବେଶନରେ ଦିଲ୍ଲୀସ୍ଥିତ ଦୂରସଂଚାର ବିଭାଗ ଦିଲୀପ ପାଧ୍ୟେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧିକାରୀମାନଙ୍କ ସମସ୍ୟାକୁ ସହାନୁଭୂତିର ସହିତ ବିଚାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସଂଚାର ନିୟନ୍ତ୍ରକ ଲୋପାମୁଦ୍ରା ମହାନ୍ତି ଓ ନିର୍ଦ୍ଦେଶକ (ଡାକ ଲେଖା) ପ୍ରଶାନ୍ତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବୃଦ୍ଧି ଓ ସମ୍ମିଳନୀ ଦିବସର ଐତିହାସିକ ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଂଘର ସର୍ବ ଭାରତୀୟ ମହାସଚିବ ଧୂନା ରାମ ଯାଦବ ଅଧିକାରୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘର ଓଡିଶା ଶାଖାର ସମ୍ପାଦକ ଶ୍ରୀକାନ୍ତ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ସର୍ବଭାରତୀୟ ସଂଗଠନ ସମ୍ପାଦକ ତଥା ସମ୍ମିଳନୀର ଆବାହକ ଗଦାଧର ରଥ ଉପସ୍ଥିତ ଅତିଥି ଓ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ସଭାପତି ବିନୋଦ ନିଝାୱନ ସଭା ପରିଚାଳନା କରିଥିଲେ।

ଏହି ସମ୍ମିଳନୀରେ ଯୋଗଦେଇଥିବା ୨୨ଟି ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରୁ ଆସନ୍ତା ଦୁଇ ବର୍ଷ ପାଇଁ ସର୍ବଭାରତୀୟ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା। ଓଡିଶା ଶାଖାରୁ ସର୍ବ ଭାରତୀୟ ଅତିରିକ୍ତ ମହାସଚିବ ଭାବେ ଗଦାଧର ରଥ, ସାଙ୍ଗଠନିକ ସମ୍ପାଦକ ଭାବେ ଶ୍ରୀକାନ୍ତ ମହାପାତ୍ର ଓ ସଂଘର କେନ୍ଦ୍ରୀୟ ସଚିବାଳୟର ସଦସ୍ୟା ଭାବେ ପାର୍ବତୀ ପ୍ରସାଦ ମିଶ୍ର ନିର୍ବାଚିତ ହୋଇଛନ୍ତି। ସନ୍ଧ୍ୟାରେ ମାନସ ଦାଶ ଓ ସାଥୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର