ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ୩ ମୃତ, ୩ ଆହତ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମ ନିକଟରେ ଠିଆ ହୋଇଥିବା ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କ ସୂଚନା ଅନୁଯାୟୀ କାଲିମେଳାର କୌଣସି କାମ ସାରି ଟ୍ରାକ୍ଟର ଫେରୁଥିବା ବେଳେ ଏମଭି-୧୭ ଗ୍ରାମ ନିକଟରେ ଠିଆ ହୋଇଥିଲା। ତେବେ ହଠାତ୍ କାଲିମେଳା ପଟରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଟ୍ରାକ୍ଟରକୁ ଶକ୍ତ ଧକ୍କା ଦେଇଥିଲେ। ଟ୍ରାକ୍ଟରରେ ବସିଥିବା ଶ୍ରମିକ ଏବଂ ଡ୍ରାଇଭର ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ପରେ ମାଲକାନଗିରି ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ କୋରାପୁଟ ମେଡିକାଲରେ ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ କେନ୍ଦୁଗୁଡା ଗ୍ରାମର ରୁଦ୍ର ନାୟକ, ଗୌଡଗୁଡା ଗ୍ରାମର କିଶୋର ଗୌଡ ଏବଂ ଲକ୍ଷ୍ଣଣ। ଅନ୍ୟ ତିନି ଜଣ ଆହତ ହୋଇ ମାଲକାନଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ଏହି ଘଟଣାକୁ ନେଇ ପୁଲିସ ଅଧିକା ତଦନ୍ତ କରୁଛି।

ସମ୍ବନ୍ଧିତ ଖବର