ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଚାରିନଙ୍ଗଳ ଛକରେ ଶନିବାର ସକାଳେ ଏକ ଟ୍ରକ ପଛରେ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା​ ଦେବାରୁ ୩ ଜଣଙ୍କ ଜୀବନ ଚାଲିଯାଇଛି। ୪ ଜଣ ଗୁରୁତର ହୋଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ ହେଲେ ଛତିଆ ଅଞ୍ଚଳର ମାନସ ଦେହୁରୀ (୩୫), ଶୁଖୁଆ ବ୍ୟବସାୟୀ ମମତା ବେହେରା (୪୭) ଓ ମମି ବେହେରା (୪୦)। ଶୁଖୁଆ ବିକାଳି ଗୀତା ବେହେରା (୩୫), କମଳି ବେହେରା (୬୦), ଲକ୍ଷ୍ମୀ ବେହେରା(୫୦) ଓ ଗୁରା ବେହେରା(୫୧) ଓ ପିକ୍‌ଅପ୍‌ ଡ୍ରାଇଭର ସରଜୁ ସିଂ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Advertisment

ଛତିଆ ଅଞ୍ଚଳରୁ ଶନିବାର ଭୋର ସମୟରେ ଏକ ପିକଅପ୍‌ ଭ୍ୟାନ୍‌ (ଓଡି ୦୪ ଇ ୧୨୩୧) ଜାତୀୟ ରାଜପଥ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଭିମୁଖେ ଯାଉଥିଲା। ବାଲିଚନ୍ଦ୍ରପୁର ଛକ ନିକଟରେ ଶୁଖୁଆ ବ୍ୟବସାୟୀମାନେ ଏହି ଭ୍ୟାନ୍‌କୁ ଅଟକାଇ ଡାଲାରେ ବସି ପଞ୍ଚୁପାଣ୍ଡବ ଅଭିମୁଖେ ଯାଉଥିଲେ। ସକାଳୁ ଘନ କୁହୁଡ଼ି ଥିଲା। ଦ୍ରୁତଗତିରେ ଯାଉଥିବା ପିକଅପ୍‌ ଭ୍ୟାନ୍‌ଟି ଚାରିନଙ୍ଗଳ ଛକରେ ରାସ୍ତାକଡ଼ରେ ଠିଆହୋଇଥିବା ଏକ ଟ୍ରକ ପଛରେ ଧକ୍କା ଦେଇଥିଲା। ଫଳରେ ଡାଲାରେ ବସିଥିବା ଲୋକେ ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଖବର ପାଇ ଥାନାଧିକାରୀ ରମାକାନ୍ତ ମୁଦୁଲି ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ହିଁ ମାନସ ଦେହୁରୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ମମତା ବେହେରା ଓ ମମି ବେହେରାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୪ ଜଣଙ୍କ ମଧ୍ୟରୁ ଗୀତା ବେହେରାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ମମତାଙ୍କ ଶବ ବ୍ୟବଚ୍ଛେଦ ପରେ ସତ୍କାର ପାଇଁ ତାଙ୍କ ପୁତୁରା ପୁରୀ ସ୍ୱର୍ଗଦ୍ୱାରକୁ ନେଇଯାଇଥିଲେ। ମମିଙ୍କ ଶବକୁ ବାଲିଚନ୍ଦ୍ରପୁରକୁ ଅଣା ଯାଇଥିଲା। ତାଙ୍କ ସ୍ବାମୀ ମାନସିକ ରୋଗାକ୍ରାନ୍ତ ଓ ଦୁଇ ଛୋଟ ପୁଅ ଅଛନ୍ତି। ଯୁବ ସମାଜସେବୀ ଗିରୀଶ ପରିଡ଼ାଙ୍କ ସହାୟତାରେ ଅନ୍ୟ ଶୁଖୁଆ ବ୍ୟବସାୟୀମାନେ ପଟ୍ଟାମୁଣ୍ଡାଇ କେନାଲ ପାର୍ଶ୍ୱରେ ମମିଙ୍କ ଶେଷକୃତ୍ୟ କରିଥିଲେ। ଏନେଇ ଥାନା କେସ ନମ୍ବର ୧୨୦/୨୩ ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି।

ଏହି ଦୁର୍ଘଟଣା ପରେ ଶୁଖୁଆ ବ୍ୟବସାୟୀ ଓ ସେମାନଙ୍କ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବସ୍ତିରେ ଆଜି କାହାରି ଘରେ ଚୁଲି ଜଳି ନାହିଁ। ଖିଆପିଆ ନାହିଁ। ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପ୍ରାୟ ୭୦ ବର୍ଷରୁ ଅଧିକ ହେବ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୬୦ ପରିବାର ପିଲାଛୁଆଙ୍କୁ ଧରି ଏଠାକୁ ଆସି ଘରଭଡ଼ା ନେଇ ଶୁଖୁଆ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ୨୮ ବର୍ଷ ପୂର୍ବରୁ ଏମିତି ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ଗୋପପୁର ଛକଠାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ପରେ ବସ୍ତିର ସମସ୍ତ ପରିବାର ଏକାଠି ହୋଇ ମା ତାରିଣୀଙ୍କ ମେଳା ଆରମ୍ଭ କରିଥିଲେ। ଗତ ମାର୍ଚ୍ଚ ୨୧ ତାରିଖ ଦିନ ଏହି ମେଳା ହୋଇଥିଲା। ଆଜି ପୁଣି ଏକ ସଡ଼କ ଦୁର୍ଘଟଣାରେ ବସ୍ତିର ଦୁଇଜଣଙ୍କ ଜୀବନ ଯିବା ପରେ ସମସ୍ତେ ନିର୍ବାକ ହୋଇଯାଇଛନ୍ତି।