ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ପ୍ରାଣ ହରାଇଲେ ୩ ମହିଳା

ଆହତଙ୍କୁ ଚିକିତ୍ସା, ୪ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର

ବ୍ରହ୍ମପୁର/କୋଟଗଡ଼ : ଯେଉଁ ଖୁସିରେ ବରଯାତ୍ରୀ ଦଳ ସହ ଘରୁ ବାହାରିଥିଲେ ମାତ୍ର କିଛି ମିନିଟ୍‌ ଭିତରେ ତାହା ମିଳେଇଗଲା। ତା’ପରେ କାନ୍ଦବୋବାଳି ଫାଟିଗଲା ସାରା ଅଞ୍ଚଳ। କନ୍ଧମାଳ ଜିଲ୍ଲାର ଉପାନ୍ତ ବ୍ଲକ୍ କୋଟଗଡ଼ ଅଞ୍ଚଳରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ଯୋଗୁ ଏହିଭଳି ଏକ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି। ଏହି ଦୁର୍ଘଟଣାରେ ୩ଜଣ ମହିଳା ପ୍ରାଣ ହରାଇଛନ୍ତି। ଗୁରୁତର ଅବସ୍ଥାରେ ଥିବା ୪ ଜଣଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।

ଶୁକ୍ରବାର ସକାଳ ପାଖାପାଖି ୧୨ଟା ସମୟର ଘଟଣା। କୋଟଗଡ଼ ଥାନା ଓରା ପଞ୍ଚାୟତର ଆଟାଲି ଗ୍ରାମରୁ ୬୦ରୁ ଊର୍ଦ୍ଧ୍ବ ବରଯାତ୍ରୀ ଏକ ୪୦୭ ଭ୍ୟାନ(ଓଡ଼ି୧୨ଡି୬୮୮୦)ରେରେ ମଦାଙ୍ଗି ଗ୍ରାମକୁ ଭୋଜି ଖାଇବାକୁ ଆସୁଥିଲେ। ଶ୍ରୀରାମପୁର ପଞ୍ଚାୟତର କୁଟିବାଲି ଘାଟିରେ ଗାଡ଼ିଟିର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଡାଲାରେ ବସିଥିବା ସମସ୍ତ ଯାତ୍ରୀ ଗାଡ଼ିରୁ ଫିଙ୍ଗି ହୋଇ କିଏ କୁଆଡ଼େ ପଡ଼ିଥିଲେ। ଭ୍ୟାନ୍‌ରେ ବସିଥିବା ସମସ୍ତ ଯାତ୍ରୀ ଆହତ ହୋଇଥିବାବେଳେ ସମସ୍ତଙ୍କୁ ତୁରନ୍ତ ପ୍ରଥମେ କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ, ସେତେବେଳକୁ ତିନିଜଣ ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା। ମୃତକଙ୍କ ମଧ୍ୟରେ ଅଟାଲି ଗ୍ରାମର ଜଣେ ଯୁବତୀ ଅନାମାୟୀ ଗୁଣ୍ଡ୍ରାମାଝୀ(୧୯), ମେରାଗୁଡ଼ାଲୁ ଗୁଣ୍ଡ୍ରାମାଝୀ(୫୦) ଓ ସସ୍ମିତା ଗୁଣ୍ଡ୍ରାମାଝୀ(୩୫) ବୋଲି ଜଣାପଡ଼ିଛି। ସେହିଭଳି ମହଷୀର୍ ଗୁଣ୍ତ୍ରାମାଝି, କୁମାରୀ ମଳିକ, ଚୁଆଯାନୁ କାର୍ଜୀମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ଏହି ଚାରି ଜଣଙ୍କୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି। ୩୪ ଜଣ ଆହତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି। ତେବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି କାହାର ଓ କେଉଁ ଗ୍ରାମର ଜଣାପଡ଼ିନଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର