ଅଧୁରା ରହିଗଲା ଜଗା ଦର୍ଶନ: କାର-ଟ୍ୟାଙ୍କର ଧକ୍କା, ୩ ମୃତ; ପଶ୍ଚିମବଙ୍ଗରୁ ଆ‌ସୁଥିଲେ ପୁରୀ

ସିମୁଳିଆ/ସୋର : ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କେତେ ଆଶା ନେଇ ଘରୁ ବାହାରିଥିଲେ। ହେଲେ, ଅଧାବାଟରେ କାଳଯମ ଜଗି ବସିଥିଲା ଯେମିତି! ଆଜି ସକାଳେ ବାଲେଶ୍ବର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ତାରିଣୀ ଛକ ନିକଟରେ ଦୁଇଟି କାର୍‌ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ହୋଇ ୩ଜଣଙ୍କ ମୃତ୍ୟୁ ହୋଇଛି। ୪ଜଣ ଆହତ ହୋଇଥିବା ଜଣାପଡ଼ିଛି। ଫଳରେ, ସେମାନଙ୍କ ଜଗା ଦର୍ଶନ ଅଧୁରା ରହିଛି।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ବେଣ୍ଡିଲ ଗ୍ରାମରୁ ୧୨ଜଣ ପୁରୁଷ ଓ ମହିଳା ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଡବ୍ଲୁବି ୫୮ବିଇ ୧୫୩୨ ନମ୍ବରର ଜାଇଲୋ ଓ ଡବ୍ଲୁବି ୨୪ ୱାଇ ୯୩୨୩ ସ୍କର୍ପିଓରେ ଆସୁଥିଲେ। ଆଜି ସକାଳ ୫ଟା ୩୦ରେ ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ତେଲ ଟ୍ୟାଙ୍କର(ଓଡି ୦୧ ଏକ୍ୟୁ ୦୭୩୧)ର ଡାହାଣ ପଟ ଆଗଚକ ଫାଟିଯିବାରୁ ଭାରସାମ୍ୟ ହରାଇ ସ୍କର୍ପିଓକୁ ଧକ୍କା ଦେଇଥିଲା। ଏଥିଯୋଗୁଁ ପଛରେ ଆସୁଥିବା ଜାଇଲୋଟି ମଧ୍ୟ ତେଲ ଟ୍ୟାଙ୍କରରେ ବାଡ଼େଇ ହୋଇଯାଇଥିଲା। ଫଳରେ, ଘଟଣାସ୍ଥଳରେ ସ୍କର୍ପିଓ ଡ୍ରାଇଭର ଇବ୍ରାହିମ ଗାଜି(୩୫) ଓ ପାର୍ବତୀ ଦାସ(୫୦)ଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ରାଜପଥ ରକ୍ତ ରଞ୍ଜିତ ହୋଇପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ସେଠାରୁ ୫ଜଣ ଗୁରୁତରଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ଅନ୍ୟଜଣେ ଗୁରୁତର ଶଙ୍କର ରାଓ(୪୫)ଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ୪ଜଣ ଆହତ ଚିକିତ୍ସିତ ହେବାପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଆହତମାନେ ହେଲେ ଶିବାନୀ ସାମୀ, ସରୋ ସାମୀ, ଭାବନା ସେରୱାଇ, ୱାସନ ସେରୱାଇ। ଉଭୟ ଗାଡ଼ିରେ ଥିବା ଦୁଇ ଶିଶୁଙ୍କ ସମେତ ଅନ୍ୟମାନେ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧିତ ଖବର