ଗୋପାଳପୁର : ବିବାହର ପରମ୍ପରା ଅନୁସାରେ ଜ୍ବାଇଁକୁ ବାଟବରଣ ବା ସ୍ବାଗତ୍‌ ପାଇଁ ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ଲୌହଦାନବ ଭଳି ପବନ ବେଗରେ ମାଡ଼ିଆସିଲା ଗୋଟିଏ ସ୍କର୍ପିଓ। କନ୍ୟାପକ୍ଷର କେତେଜଣଙ୍କୁ ନିମି‌ଷକେ ଘୋଷାଡ଼ି ନେଇଗଲା। ଫଳରେ, ଜଣେ ନାବାଳିକା ଓ ୨ଜଣ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଏହିଭଳି ଏକ ଦୁର୍ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତାରାଶି ଘୋଷଣା କରିଛନ୍ତି। ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମୃତକମାନେ ହେଲେ, ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବନଗରର ବି.ସ୍ୱପ୍ନା ରେଡ୍ଡୀ (୨୨), ବି.ସଞ୍ଜୁ ରେଡ୍ଡୀ (୨୩) ଏବଂ ୧୨ ବର୍ଷର ନାବାଳିକା ପି.ଭାରତୀ ରେଡ୍ଡୀ। ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ମୃତକମାନଙ୍କ ସମେତ କନ୍ୟାପକ୍ଷର ୩୦ରୁ ଅଧିକ ମହିଳା ଓ ପୁରୁଷ ସଦସ୍ୟ ଜ୍ବାଇଁଙ୍କୁ ସ୍ବାଗତ କରିବା ଲାଗି ରାସ୍ତା ଉପରେ ଛିଡ଼ା ହୋଇଥିଲେ। ମାଣ୍ଡିଆପଲ୍ଲୀ ଗ୍ରାମର ଆଦି ଆମ୍ମାଙ୍କ ପୁଅ ଦେବରାଜ ଓ ଲାଞ୍ଜିପଲ୍ଲୀ କେଶବନଗରର ବାସୁଦେବ ‌‌ରେଡ୍ଡୀଙ୍କ ଝିଅ ରୋଜାଙ୍କ ବାହାଘର ପାଇଁ ଅପେକ୍ଷା ସହିତ ସମସ୍ତେ ଖୁସି‌ରେ ଥିଲେ। ଠିକ୍‌ ଏହି ସମୟରେ ଏକ ଧଳାରଙ୍ଗର ସ୍କର୍ପିଓ (ସିଜି-୧୫ସିଟି-୮୫୦୦) ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପଟୁ ଦ୍ରୁତଗତିରେ ଆସି କନ୍ୟାଯାତ୍ରୀ ଭିଡ଼ ଉପରେ ମାଡ଼ିଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କନ୍ୟାପକ୍ଷର କିଛି ଲୋକଙ୍କୁ ଏହା କିଛିଦୂର ଘୋଷାଡ଼ି ନେଇ ପୋଲ ଖଣ୍ଟ, କେତେକ ଘରର କାନ୍ଥରେ ପିଟି ହୋଇଥିଲା। ବଡ଼ସାହି ଭିତରେ ଗାଡ଼ିକୁ ପୂରାଇ ଡ୍ରାଇଭର୍‌ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଭାରସାମ୍ୟ ହରାଇ ସୀତାଆମ୍ମାଙ୍କ ଘରର ବାରଣ୍ଡା ଉପରକୁ ମାଡ଼ିଯାଇ ପୁଣି ତଳକୁ ଖସି ପଡ଼ିଥିଲା। ଭୟରେ ସ୍କର୍ପିଓ ଚାଳକ ସମେତ ୩ରୁ ୪ ଜଣ ଖସି ସେଠାରୁ ଚମ୍ପଟ୍ ମାରିଥିଲେ।

ଆହତମାନଙ୍କୁ ଗ୍ରାମବାସୀ ଓ ପୁଲିସ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ଆଣିଥିଲେ। ତେବେ ସ୍ବପ୍ନା, ସଞ୍ଜୁ ଓ ଭାରତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତମାନେ ହେଲେ, ସିଏଚ୍.ପ୍ରଭାକର ରେଡ୍ଡୀ (୩୦), ଡି.ରବି ରେଡ୍ଡୀ (୧୬), ବି.ପଦ୍ମା ରେଡ୍ଡୀ (୪୫), କେ.ପର୍ଶୁରାମ ରେଡ୍ଡୀ (୪୫), ଅଞ୍ଜଳି ରେଡ୍ଡୀ (୧୭), ପି.ଜ୍ୟୋତି (୩୦), ଆର.ସୋନାଲି ରେଡ୍ଡୀ (୧୭), ଚିନ୍ନା (୪୫), ସିଏଚ.ରାଜୁ ରେଡ୍ଡୀ (୩୭), ରବି ଦାସ, ପି.ରମାଦେବୀ, କେ.ରାଜା ରେଡ୍ଡୀ ଓ ପି.ପ୍ରସାଦ ରେଡ୍ଡୀ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି କନ୍ୟା ଓ ବରପକ୍ଷ ଶୋକରେ ଭାଙ୍ଗିପଡ଼ିଥିଲେ। ଆଉ ଖୁସିର ମାହୋଲ୍ ନିମିଷକରେ ଦୁଃଖରେ ପରିଣତ ହୋଇଯାଇଥିଲା। କାନ୍ଦବୋବାଳିରେ ବଡ଼ ମେଡିକାଲ ବି ଫାଟି ପଡ଼ିଥିଲା।

ଅନ୍ୟପକ୍ଷରେ, ମୃତ ସ୍ବପ୍ନା ରେଡ୍ଡୀଙ୍କ ଦିଅର ବି.ପ୍ରସାଦ ରେଡ୍ଡୀଙ୍କ ଏତଲା କ୍ରମେ ଗୋପାଳପୁର ଥାନାରେ କେସ୍ ନମ୍ବର ୫୭/୨୩ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ ସ୍କର୍ପିଓକୁ ଜବତ କରିଛି। ଏହାସହ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି ବୋଲି ଥାନାଧିକାରୀ ଶାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଚାଳକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମାଣ୍ଡିଆପଲ୍ଲୀ ଗ୍ରାମବାସୀ ଦାବି କରିଛନ୍ତି।