ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ବଡବାସିନୀ ଛକରେ ଗୁରୁବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଯାତ୍ରୀବାହୀ କାର୍ ତେନ୍ତୁଳିଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଉମରକୋଟ ଭିଲେଜ(ୟୁଭି)-୨୩ ଗ୍ରାମର ସତ୍ୟରଞ୍ଜନ ବେପାରୀ, ରାଇଘର ଛତାବେଡାର ସୁରେଶ ମଣ୍ଡଳ ଓ ଗୌରାଙ୍ଗ ରାୟ। ମୃତ ସତ୍ୟରଞ୍ଜନ ଓ ଗୌରାଙ୍ଗ ସମ୍ପର୍କରେ ଦୁଇ ସମୁଦି। ଏହି ଘଟଣାରେ ସତ୍ୟରଞ୍ଜନଙ୍କ ପତ୍ନୀ ତରୁଲତା ଗୁରୁତର ଆହତ ହୋଇଛି। ଉମରକୋଟ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ୟୁଭି-୨୩ ଗ୍ରାମର ସତ୍ୟରଂଜନ ବେପାରୀଙ୍କର କିଛି ଦିନ ହେଲା ପେଟବ୍ୟଥା ହେଉଥିଲା। ବୁଧବାର ରାତିରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସୁରେଶଙ୍କ କାର୍ ନଂ-(ଓଡି୨୪ଜି ୪୯୬୨) ରେ ତାଙ୍କୁ ଜଗଦଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାଥୀରେ ସତ୍ୟରଂଜନଙ୍କ ସମୁଦି ଗୌରାଙ୍ଗ ଓ ତାଙ୍କ ପତ୍ନୀ ତରୁଲତା ଯାଇଥିଲେ। ସୁସ୍ଥ ହେବା ପରେ ଗୁରୁବାର ରାତି ୧୦ଟାରେ ଡାକ୍ତର ସତ୍ୟରଞ୍ଜନଙ୍କୁ ଡିସଚାର୍ଜ କରିଥିଲେ। ସମସ୍ତେ କାର୍ ଯୋଗେ ଉମରକୋଟ ଅଭିମୁଖେ ବାହାରିଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ବଡ଼ବାସିନୀ ଗ୍ରାମ ଛକରେ ଭାରସାମ୍ୟ ହରାଇ କାର୍ଟି ପୋଖରୀ ନିକଟରେ ଥିବା ତେନ୍ତୁଳି ଗଛରେ ଜୋରରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ଏହି ସମୟରେ କାର ପଛରେ ଆସୁଥିବା ଯୁବକମାନେ ଦୁର୍ଘଟଣା ସମ୍ପର୍କରେ ସତ୍ୟରଞ୍ଜନଙ୍କ ମୋବାଇଲରୁ ପରିବାରକୁ କଲ୍ କରି ଜଣାଇଥିଲେ। ଗୁରୁତର ତରୁଲତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା
ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ଝରିଗାଁ ଉମରକୋଟ ରାସ୍ତାରେ ଦୁର୍ଘଟଣାରେ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତିନି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।