ବାହାଘର ଭୋଜି ଖାଇ ସାରି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ବସ୍‌‌, ସ୍ବାମୀ-ସ୍ତ୍ରୀ-ଝିଅ ମୃତ

ଗୋଲାମୁଣ୍ଡା: ବାହାଘର ଭୋଜିି ଖାଇ ସାରି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ବସ୍ ସହିତ ମୁହାଁମୁହିଁ ହୋଇଛନ୍ତି ଏକ ପରିବାରର ୩ ଜଣ ସଦସ୍ୟ। ଏହି ଦୁର୍ଘଟଣାରେ ସ୍ବାମୀ ଏବଂ ସ୍ତ୍ରୀଙ୍କ ସହିତ ସେମାନଙ୍କର ଝିିଅର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡ଼ା ଗାଁ ନିକଟରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ତୁରେଛଡ଼ା ଗାଁର କୃଷ୍ଣଚନ୍ଦ୍ର ବାଗ, ସୁକେଶୀ ବାଗ ଓ ସେମାନଙ୍କର ଝିଅ ସୁପ୍ରିୟା ବାଗ (୫) ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଲିପିଗୁଡ଼ା ଗାଁକୁ କନ୍ୟାବିଦା କରିବାକୁ ଯାଇଥିଲେ। ଗତକାଲି ବିବାହ ସମାରୋହର ଆୟୋଜନ ହୋଇଥିଲା। ଆଜି ସେମାନେ ଭୋଜି ଖାଇ ସାରି ଅପରାହ୍ନ ପ୍ରାୟ ୨ଟାରେ ଘରକୁ ଫେରୁଥିଲେ। କିନ୍ତୁ ଦୁଃଖର ବିଷୟ କେଗାଁରୁ କେସିଙ୍ଗା ଅଭିମୁଖେ ଯାଉଥିବା ବସ ‘ଜୟ ଜଗନ୍ନାଥ’ ଡୁଙ୍ଗୁରିଗୁଡା ନିକଟରେ କୃଷ୍ଣଚନ୍ଦ୍ର, ସୁକେଶୀ ଓ ସୁପ୍ରିୟାଙ୍କୁ ଧକ୍କା ଦେଇଥିଲା। ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚଳାଉଥିବା କୃଷ୍ଣଚନ୍ଦ୍ର  ଓ ବାଇକରେ ବସିଥିବା ସୁକେଶୀ ଓ ସୁପ୍ରିୟା ତଳେ ପଡ଼ି ଯାଇଥିଲେ। 

ତେବେ ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଛୋଟ ଝିଅ ସୁପ୍ରିୟାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ସୁପ୍ରିୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ଗୋଲାମୁଣ୍ଡା ପୁଲିସ ପହଁଚି ଥିବା ମୃତଦେହ ଜବତ କରିଛି। ସେହିଭଳି ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଓ ବସ୍‌କୁ ମଧ୍ୟ ପୁଲିସ ଜବତ କରିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ତୁରେଛଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।  

ସମ୍ବନ୍ଧିତ ଖବର