୨ ଶିଶୁକନ୍ୟାଙ୍କୁ ନେଇ ବାପଘରକୁ ଯାଉଥିଲେ ମହିଳା, କେସିଙ୍ଗା ନିକଟରେ କାର୍ ଦୁର୍ଘଟଣା ନେଲା ଜୀବନ

ପୁତୁରା ଗୁରୁତର, କାର୍ ଚାଳକ ଆହତ

କେଶିଙ୍ଗା: ଦୁଇ ପିଲାଙ୍କୁ ନେଇ ଜଣେ ମହିଳା ଶାଶୁଘରରୁ ବାପଘରକୁ ଯାଉଥିବା ବେଳେ ଏକ ଦ୍ରୁତଗାମୀ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ତାଳଗଛକୁ କାର୍ ଧକ୍କା ଦେଇଛି । ଏଥିରେ କାର୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ମହିଳାଙ୍କ ସମେତ ୨ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥରେ ଚାଂଚେର ନିକଟରେ ଏହି ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଆନନ୍ଦିନୀ ମିଶ୍ର (୩୮), ରୋଜି ଦାସ ଓ ଏଲି ଦାସ । ଉଭୟ ଶିଶୁକନ୍ୟାଙ୍କର ବୟସ ୧୧ ବୋଲି ଜଣାଯାଇଛି । ପୁତୁରା ବିକାଶ ମିଶ୍ର ଗୁରୁତର ହୋଇଥିବା ବେଳେ କାର୍ ଚାଳକ ଅରୁଣ ବିଶି ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଆନନ୍ଦିନୀ ମିଶ୍ର ଆଜି ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ରହୁଥିବା ନିଜ ଶାଶୂ ଘରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ସ୍ଥିତ ବାପ ଘରକୁ ଏକ କାରରେ ଯାଉଥିଲେ । ସାଥିରେ ନିଜର ୨ ଝିଅ, ପୁତୁରା ଓ କାର ଚାଳକ ମଧ୍ୟ ଥିଲେ । ସେମାନେ ୨୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ କେସିଙ୍ଗା ନିକଟ ଚାଂଚେର ନିକଟରେ ଦ୍ରୁତଗତିରେ ଯାଉଥିବା କାରଟି ଭାରସାମ୍ୟ ହରାଇ ଏକ ତାଳଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାର୍ ଭିତରେ ଥିବା ୫ ଜଣ ଗୁରୁତର ହୋଇଥିଲେ ।

ଦୁର୍ଘଟଣାର ଅଳ୍ପ ସମୟ ପରେ ଭବାନୀପାଟଣାରୁ କେସିଙ୍ଗା ଫେରୁଥିବା ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ପୁଲିସ ୫ ଜଣଙ୍କୁ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଆନନ୍ଦିନୀ, ରୋଜି ଓ ଏଲିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବିକାଶ ଗୁରୁତର ଥିବା ବେଳେ ଅରୁଣ ଆହତ ଅଛନ୍ତି ବୋଲି ପୁଲିସ କହିଛି ।

ସୂଚନାଯୋଗ୍ୟ, ଆନନ୍ଦିନୀ ସନ୍ଧ୍ୟା ପୂର୍ବରୁ ବାପ ଘରକୁ ପହଂଚିଯିବେ ବୋଲି ଆଶା ରଖିଥିଲେ । ସେହିଭଳି ୨ ଶିଶୁକନ୍ୟା ରୋଜି ଓ ଏଲି ମଧ୍ୟ ମାମୁ ଘରେ ବହୁତ ବୁଲିବେ ବୋଲି ଅଶା ରଖିଥିଲେ । ସେମାନେ ସମସ୍ତେ ଆଉ ୩୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ ଟିଟିଲାଗଡ଼ ପହଂଚିଥାନ୍ତେ । କିନ୍ତୁ ତାହା ହୋଇପାରିଲା ନାହିଁ । ରିପୋର୍ଟ ଲେଖାଯିବା ବେଳକୁ ଆନନ୍ଦିନୀଙ୍କ ବାପ ଘର ଏବଂ ଶାଶୂଘରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର