ଭଞ୍ଜନଗର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବଡ଼ ନଦୀରେ ବର୍ଷା ଜଳ ପ୍ରବାହିତ ହୋଇ ଜଳସ୍ତର ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ପାଣିରେ ଗାଧୋଇବାକୁ ଯାଇ ଦୁଇ ଜଣଙ୍କ ମୃତ୍ୟୁ ଭଳି ଦୁଖଦ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ କୁଲାଡ ଗ୍ରାମ ତେଲିସାହିର ମମତା ସାହୁ(୩୫) ବଡ଼ ଭାଉଜ ସହ ଗ୍ରାମ ନିକଟ ବଡ଼ନଦୀକୁ ଗାଧେଇବାକୁ ଯାଇଥିଲେ। ଏହି ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମମତାକୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୁଲିସ୍ ମମତାଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ କେସ୍ ନମ୍ବର ୩୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିବା ଏଏସ୍ଆଇ ହରସି ଜେନା ପ୍ରକାଶ କରିଛନ୍ତି। ସେହିପରି ତାରସିଂ ଥାନା ତଥା ଗାଲେରୀ ଫାଣ୍ଡି ଅଧୀନ ବଦାଙ୍ଗି ଗ୍ରାମର ବାବୁଲା ମଲ୍ଲିକ ଗ୍ରାମ ନିକଟ ବାରନାଳିଆ ବଡ଼ ନଦୀକୁ ବୁଧବାର ସନ୍ଧ୍ୟାରେ ଶୌଚ ହେବାକୁ ଯାଇଥିବା ବେଳେ ନଦୀର ସ୍ରୋତରେ ଭାସି ପଳାଇଥିଲେ। ପରିବାର ଏବଂ ଗ୍ରାମାବାସୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ବାବୁଲାଙ୍କ କୌଣସି ସନ୍ଧାନ ମିଳି ପାରିନଥିଲା। ପୂର୍ବତନ ସରପଞ୍ଚ ସୁନୀଲ ବ୍ରହ୍ମଚାରୀ, ଇନ୍ଦ୍ରମଣି ଗୌଡ଼, ମରାଟୀ ଦଳବେହେରା, ପ୍ରିୟବ୍ରତ ବେହେରା ପ୍ରମୁଖ ବହୁ ଖୋଜାଖୋଜି କରିଥିବା ପ୍ରକାଶ କରିଛନ୍ତି। ଗୁରୁବାର ପୂର୍ବାହ୍ନ ସମୟରେ ଭଞ୍ଜନଗର ଥାନା ଅଧୀନ କୁଲାଡ଼ ଗୌଡ଼ସାହି ନିକଟ ବଡ଼ନଦୀରେ ଥିବା ଏକ ଗଛରେ ଫସିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଏବଂ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ବାବୁଲାକୁ ଉଦ୍ଧାର କରିଥିଲେ। ଏହାକୁ ନେଇ ପୁଲିସ୍ କେସ ନମ୍ବର ୩୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
ତାରସିଂ ଥାନା ତଥା ଗାଲେରୀ ଫାଣ୍ଡି ଅଧୀନ ଜଡାହାତୁଣୀ ଗ୍ରାମରେ ଗତକାଲି ରାତିରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତକାଲି ସୂର୍ଯ୍ୟମଣୀ ପାଣିଗ୍ରାହୀଙ୍କ ପତ୍ନୀ ପ୍ରେମଲତା ପାଣିଗ୍ରାହୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ସମୟରେ ଏକ ବିଷଧର ସାପ କାମୁଡିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ପ୍ରେମଲତା ଖାଇ ପିଈ ରାତିରେ ଶୋଇଥିବା ସମୟରେ ରାତି ପ୍ରାୟ ୨ ଟା ସମୟରେ ହଠାତ୍ ଚିତ୍କାର କରି ଉଠିଥିଲେ। ଏହି ସମୟରେ ଏକ ସାପ ଘର ଯାଉଥିବା ପରିବାର ଲୋକ ଦେଖିଥିଲେ। ତୁରନ୍ତ ତାଙ୍କ ଗାଲେରୀ ଓ ସେଠାରୁ ଭଞ୍ଜନଗର ମେଡିକାଲ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଏନେଇ ପୁଲିସ୍ କେସ୍ ନମ୍ବର ୧୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।