ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ପୋଷ୍ଟମ୍ୟାନ୍‌ଙ୍କ ସମେତ ୩ ମୃତ, ଜଣେ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ଡିଆନାଳିରେ ଗତକାଲି ବିଳମ୍ବିତ ରାତ୍ରରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହେବା ଭଳି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତକମାନେ ହେଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଆମ୍ବୁଆପଡା ଗ୍ରାମର ତ୍ରିଲୋଚନ ମହାନ୍ତ (୪୪)। ସେ ଏବେ କେନ୍ଦୁଝର ମୁଖ୍ୟ ଡାକଘରରେ ପୋଷ୍ଟମ୍ୟାନ୍‌ ଭାବେ କାର୍ଯ୍ୟରତ ଥିଲେ । ଅନ୍ୟ ୨ ଜଣ ହେଲେ ପାଟଣା ଥାନା ସରାସକୋଲା ଗ୍ରାମର ରମାକାନ୍ତ ମହାନ୍ତ (୨୯) ଓ ରୁଧିଅପଡ଼ା ଗ୍ରାମର ସୁନୀଲ ଦାସ(୨୬)। ଅନ୍ୟ ଜଣେ ପାଟଣା ଥାନା ପଡ଼ିଆପଶି ଗ୍ରାମର କମଳାକାନ୍ତ ମହାନ୍ତ (୨୮) ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ତ୍ରିଲୋଚନ ମହାନ୍ତ ଓ କମଳାକାନ୍ତ ମହାନ୍ତ ଡ଼ିଆନାଳି ଗ୍ରାମର ଏକ ବିବାହ ଉତ୍ସବରୁ ବାହାରି ଏକ ବାଇକରେ ମଲ୍ଲୀପସି ଆଡକୁ ଯାଉଥିଲା ବେଳେ ମାଲିପସି ଆଡୁ ପାଟଣା ଡିଆନାଳୀ ଆଡକୁ ସୁନୀଲ ଦାସ ଓ ରମାକାନ୍ତ ମହାନ୍ତ ଅନ୍ୟ ଏକ ବାଇକ୍‌ରେ ଆସୁଥିଲେ। ଉଭୟ ବାଇକ ଡିଆନାଳି ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ବାଇକରୁ ଛିଟିକି ପଡି ୪ ଜଣ ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ଖବର ପାଇ ପାଟଣା ଦମକଳ ବାହିନୀ ପହଁଚି ସମସ୍ତଙ୍କୁ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ସେଠାରେ ତ୍ରିଲୋଚନ ମହାନ୍ତ, ରମାକାନ୍ତ ମହାନ୍ତ ଓ ସୁନୀଲ ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସଙ୍କଟାପନ୍ନ ଅବସ୍ଥାରେ କମଳାକାନ୍ତଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପାଟଣା ଥାନାରେ ଏ ନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜ୍ଜୁ ହୋଇ ଘଟଣାର ତଦନ୍ତ ଅବ୍ୟାହତ ରହିଛି। ଦୁର୍ଘଟଣାଗ୍ରସ୍ତ ବାଇକକୁ ଥାନାରେ ଜବତ କରାଯାଇଛି। ଏହି ଘଟଣା ସମ୍ପ୍ରତି ଅଞ୍ଚଳରେ ଶୋକାକୁଳ ଅଵସ୍ଥା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର