ପୁରୀ : ଗଞ୍ଜାମ ଛତ୍ରପୁରରୁ ପୁରୀକୁ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଦମ୍ପତିଙ୍କର ମଙ୍ଗଳାଘାଟ ହୋଟେଲ ଷ୍ଟର୍ଲିଂ ଛକ ମଧ୍ୟରେ ଓମ୍କାରେଶ୍ବର ମନ୍ଦିର ସମ୍ମୁଖରେ ଏକ ବସ୍ ଧକ୍କାରେ ମୃତ୍ୟୁହୋଇଛି। ତାଙ୍କ ସହ ମଙ୍ଗଳାଘାଟ ଅଞ୍ଚଳର ଜଣେ ଯୁବକଙ୍କର ମଧ୍ୟ ମୃତ୍ୟୁହୋଇଛି। ଏହି ଦୁର୍ଘଟଣା ଘଟାଇଥିବା ବସ୍ଟିକୁ ବାସେଳିସାହି ଥାନା ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।
ମାର୍କଣ୍ଡେଶ୍ବରସାହି ରାଧାଗୋବିନ୍ଦ ଲେନ୍ ସୌମ୍ୟରଞ୍ଜନ ଦାଶଙ୍କର ବାସେଳିସାହି ଥାନା ଅନ୍ତର୍ଗତ ଓମ୍କାରେଶ୍ବର ମନ୍ଦିରରେ ବିବାହ ପାଇଁ ନିର୍ବନ୍ଧ ହେଉଥିଲା। ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ଗଞ୍ଜାମ ଛତ୍ରପୁର ପଣ୍ଡାସାହିର ସତ୍ୟନିରଞ୍ଜନ ଦାଶ((୫୫) ଓ ତାଙ୍କ ପତ୍ନୀ ଗାୟତ୍ରୀ ଦାଶ(୫୦) ମଧ୍ୟ ଯୋଗଦେବାକୁ ଆସିଥିଲେ। ସେମାନେ ସୋମବାର ଅପରାହ୍ନରେ ପୁରୀ ମଙ୍ଗଳାଘାଟ ଷ୍ଟଲିଂ ଛକ ବାଇପାସ୍ ରାସ୍ତାର ଓମ୍କାରେଶ୍ବର ମନ୍ଦିରରେ ସୌମ୍ୟରଞ୍ଜନଙ୍କର ନିର୍ବନ୍ଧ ଭୋଜି ଖାଇବାପରେ ସମ୍ପର୍କୀୟ ପ୍ରୀତମ ରଞ୍ଜନ ଦାଶଙ୍କ ଘରକୁ ଏକ ସ୍କୁଟି ଯୋଗେ ବାହାରୁଥିଲେ। ମନ୍ଦିରଠାରୁ ବାଇପାସ୍ ରାସ୍ତାଟି ଉଚ୍ଚତାରେ ଥିବାରୁ ଗାୟତ୍ରୀ ପୂର୍ବରୁ ଯାଇ ଏହାର ଡିଭାଇଡର ପାଖରେ ଅପେକ୍ଷା କରିଥିଲେ। ସତ୍ୟନିରଞ୍ଜନ ଓ ମଙ୍ଗଳାଘାଟର ରାକେଶ ନନ୍ଦ(୨୦) ଦୁହେଁ ଓଡି-୧୩-ଏସ୍-୩୪୮୧ ନମ୍ବର ବିଶିଷ୍ଟ ଏକ ସ୍କୁଟିରେ ରାସ୍ତା ଉପରକୁ ଉଠିବା ସମୟରେ ଷ୍ଟର୍ଲିଂ ଆଡ଼ୁ ଆସୁଥିବା ଓଡି-୧୩-ଏସ୍-୨୧୮୫ ନମ୍ବର ବିଶିଷ୍ଟ ଏକ ଟୁରିଷ୍ଟ ବସ୍ ସେମାନଙ୍କୁ ଧକ୍କା ଦେବାସହ ଡିଭାଇଡର ପାଖରେ ଛିଡ଼ା ହୋଇଥିବା ଗାୟତ୍ରୀଙ୍କୁ ମଧ୍ୟ ଧକ୍କା କରିଥିଲା। ଫଳରେ, ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।
ଏହି ଖବର ପାଇ ବାସେଳିସାହି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟି ଓ ବସ୍ଟିକୁ ଜବତ କରିବା ସହ ଡ୍ରାଇଭରକୁ ମଧ୍ୟ ଅଟକ ରଖିଛି। ଘଟଣାସ୍ଥଳରୁ ତିନି ଜଣଙ୍କ ମୃତଦେହ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଟ୍ରାଫିକ୍ ଥାନା ଏନେଇ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଛେଉଣ୍ଡ ହୋଇଗଲେ ଏକମାତ୍ର ଝିଅ ମାମୁନି
ସତ୍ୟ ନିରଞ୍ଜନ ଛତ୍ରପୁରରେ କୋକୋକୋଲା କମ୍ପାନିର ଡିଷ୍ଟ୍ରିବ୍ୟୁଟର ଥିଲେ। ତାଙ୍କ ଝିଅ ମାମୁନି ଛୋଟବେଳରୁ ହିଁ ଅସୁସ୍ଥ ଥିଲେ। ମାମୁନିଙ୍କର ହୃଦୟରେ ଗୋଟିଏ ଛୋଟ କଣା ଥିବାରୁ ତିନିଥର ଅସ୍ତ୍ରୋପଚାର ପରେ ସେ ଏବେ ସୁସ୍ଥ ହୋଇଥିଲେ। ଏଥିପାଇଁ ଗତ କିଛିଦିନ ପୂର୍ବେ ସତ୍ୟନିରଞ୍ଜନ ତାଙ୍କ ପତ୍ନୀ ଗାୟତ୍ରୀ ଓ ଝିଅ ମାମୁନି ସିମାଞ୍ଚଳକୁ ଯାଇ ସେଠାରେ ଚୁଟି ପକାଇ ଫେରିଥିଲେ। ନିକଟରେ ମାମୁନି ଡାକ୍ତରୀ ଏଣ୍ଟ୍ରାନ୍ସ ଦେଇ ସଫଳ ହୋଇଥିଲେ। ତେଣୁ ଏହି ଖୁସିରେ ସେମାନେ ଆସନ୍ତାକାଲି ଅଲାରନାଥଙ୍କ ଦର୍ଶନ କରିବାକୁ ଯାଇଥା’ନ୍ତେ। ଗତକାଲି ସେ ଗୁଣପୁରରେ ମାମୁନିଙ୍କୁ ଛାଡ଼ି ଆଜି ପୁରୀରେ ସୌମ୍ୟରଞ୍ଜନଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଆରପାରିକୁ ଚାଲିଯାଇଛନ୍ତି।
ଅନ୍ୟପଟେ ସେମାନଙ୍କୁ ପ୍ରୀତମରଞ୍ଜନଙ୍କ ଘରେ ଛାଡ଼ି ଦେବାପାଇଁ ସତ୍ୟନିରଞ୍ଜନ ଜଣେ ପରିଚିତ ଯୁବକ ରାକେଶଙ୍କୁ ଫୋନ୍ କରି ଡକାଇଥିଲେ। ରାକେଶ ଏକ ଖଜା ଦୋକାନରେ କାମ କରନ୍ତି। ଘରେ ଶୋଇଥିବା ବେଳେ ଫୋନ୍ ପାଇବାରୁ ଏହି ଦମ୍ପତିଙ୍କୁ ଛାଡ଼ିଦେବାପାଇଁ ନିଦରୁ ଉଠି ସେ ଓମ୍କାରେଶ୍ବର ମନ୍ଦିରକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/acccp.jpg)