ପାପଡ଼ାହାଣ୍ଡି/ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗ୍ରାମରକ୍ଷୀଙ୍କୁ ନେଇ ଯାଉଥିବା ବସ୍ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ୨୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ମୃତକ ୩ ଜଣ ଶେଷା ରାଓ, ରବି ବିଷୋୟୀ ଓ ଜଗବନ୍ଧୁ ‌ଗୌଡ଼ ବୋଲି ସୂଚନା ମିଳିଥିଲେ ହେଁ ପୁଲିସ ପକ୍ଷରୁ ମୃତାହତ ମାନଙ୍କ ପରିଚୟ ପ୍ରକାଶ କରାଯାଇନାହିଁ।

Advertisment

ଆସନ୍ତା ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଥିବାରୁ ନିର୍ବାଚନ ଡ୍ୟୁଟି ପାଇଁ ନବରଙ୍ଗପୁର ପୁଲିସ ରିଜର୍ଭ କାର୍ଯ୍ୟାଳୟରୁ ୩୬ ଜଣ ଗ୍ରାମରକ୍ଷୀଙ୍କୁ ନେଇ ଏକ ବସ୍ (ଓଡି-୦୫କେ-୦୧୦୫) କୋଷାଗୁମୁଡ଼ା ବ୍ଲକ୍ ଅଭିମୁଖେ ବାହାରିଥିଲା। ବସ୍‌ଟି ପାପଡ଼ାହାଣ୍ଡି ଦେଇ କୋଷାଗୁମୁଡ଼ା ଅଭିମୁଖେ ଯାଉଥିବା ସମୟରେ ପାପଡ଼ାହାଣ୍ଡି ବ୍ଲକର ସୋରିଷପଦର ନିକଟରେ ଥିବା ଏକ ବୁଲାଣିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ ବସ୍ ତଳେ ୩ ଜଣ ଗ୍ରାମରକ୍ଷୀ ଚାପି ହୋଇଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ବାସିନ୍ଦା, ପାପଡ଼ାହାଣ୍ଡି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆ‌ହତ ମାନଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୃତକ ମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାପଡ଼ାହାଣ୍ଡି ମେଡିକାଲରେ ୨୮ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଥିମଧ୍ୟରୁ ୫ ଜଣ ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ୩ ଜଣ ଶେଷା ରାଓ, ରବି ବିଷୋୟୀ ଓ ଜଗବନ୍ଧୁ ‌ଗୌଡ଼ ବୋଲି ସୂଚନା ମିଳିଥିଲେ ହେଁ ପୁଲିସ ପକ୍ଷରୁ ମୃତାହତ ମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ଗ୍ରାମରକ୍ଷୀ ମାନେ ତେନ୍ତୁଳିଖୁଣ୍ଟି, ଖାତିଗୁଡ଼ା ଓ ନବରଙ୍ଗପୁର ଥାନାର ବୋଲି ଜଣାପଡିଛି।

ଖବର ପାଇ ଜିଲ୍ଲାପାଳ ଡଃ. କୋମଳ ଲୋଚନ ମିଶ୍ର, ଏସପି ପି.ଏସ୍. ପୁର୍ଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପାପଡ଼ାହାଣ୍ଡି ଏସଡିପିଓ, ତହସିଲଦାର ଯୋଗେଶ୍ବର ଭୋଇ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ପାପଡ଼ାହାଣ୍ଡି ଥାନା ଆଇଆଇସି ଶୁଭେନ୍ଦୁ ଶବର ପ୍ରମୁଖ ଘଟଣା ସ୍ଥଳ ଓ ନବରଙ୍ଗପୁର ଡାକ୍ତରଖାନାରେ ପହଞ୍ଚି ଆହତ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ରାତି ପ୍ରାୟ ୧୦.୩୦ଟାରେ ପାପଡ଼ାହାଣ୍ଡି ଡାକ୍ତରଖାନାରେ ଆହତ ସମସ୍ତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।