ବଲାଙ୍ଗୀର : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଏନ୍‌ଏଚ୍‌ ୫୭ର ଖାରି ନିକଟ ବଡ଼ବାହାଲି ଛକ ପାଖରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜ‌ଣେ ମହିଳା ପୁଲିସ ଇନ୍ସପେକ୍ଟରଙ୍କ କାର୍‌ ଧକ୍କାରେ ୩ଜଣଙ୍କ ଜୀବନ ଯାଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଏହି କାର୍‌ରେ ନିଜେ ପୁଲିସ ଅଧିକାରୀ ଥିବା ଏବଂ ଦୁର୍ଘଟଣାସ୍ଥଳରୁ ଫେରାର୍‌ ହୋଇଯିବା ଚର୍ଚ୍ଚାର ବିଷୟ ପାଲଟିଛି। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ମହିଳା ଇନ୍ସପେକ୍ଟରଙ୍କୁ ପୁଲିସ୍‌ ପଚରାଉଚରା କରିଥିବା ବେଳେ କାର୍‌ ଚଳାଉଥିବା ଡ୍ରାଇଭର୍‌ଙ୍କୁ ଗିରଫ କରିଛି। ଏହି ଦୁର୍ଘଟଣାକୁ ନେଇ ପ୍ରାୟ ୫ଘଣ୍ଟା ଧରି ରାସ୍ତାରୋକ ସହ ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

Advertisment

୫ ଘଣ୍ଟା ଧରି ଉତ୍ତେଜନା ଓ ରାସ୍ତାରୋକ
ମହିଳା ଇନ୍‌ସପେକ୍ଟରଙ୍କୁ ପଚରାଉଚରା
ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

publive-image

ମଙ୍ଗଳବାର ସକାଳ ପ୍ରାୟ ୬ଟା ୪୫ରେ ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଆସୁଥିବା ଏକ ଆର୍ଟିଗା କାର୍‌ (ଓଡି ୧୬ ଜେ ୧୩୫୫) ବାମ କଡ଼ରେ ଅଟକି ଥିବା ଅଟୋ ଓ ବାଇକ୍‌କୁ ଜୋର୍‌ରେ ଧକ୍କା ଦେଇଥିଲା। ଫଳରେ, ଘଟଣାସ୍ଥଳରେ ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ୍‌ ରାଘବପାଲି ଗାଁର ସତ୍ୟ ପ୍ରଧାନ(୪୫), ନାଡୁ ବିଶ୍ୱାଳ(୫୦), ଗୁଆବତି ନାଏକ(୪୫) ମୃତ୍ୟୁ ହୋଇଥିଲା। ସମସ୍ତ ମୃତକ ଓ ଆହତମାନେ ଗୋଟିଏ ଗାଁର ଅଟନ୍ତି। ୫ ଜଣ ଆହତଙ୍କୁ ସୋନପୁର ସଦର ଡାକ୍ତରଖାନା ଓ ଜଣକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଦୁର୍ଘଟଣା ଘଟାଇବା ପରେ କାରରେ ଥିବା ମହିଳା ଇନସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ଅନ୍ୟମାନେ ଫେରାର ମାରିଥିଲେ। ସ୍ଥାନୀୟ ଲୋକେ ଆର୍ଟିଗା କାର୍‌କୁ ଯାଞ୍ଚ କରିବା ପରେ ମହିଳା ଇନ୍‌ସପେକ୍ଟରଙ୍କ ୟୁନିଫର୍ମରୁ ତାଙ୍କ ପରିଚୟ ମିଳିଥିଲା। ଏପରିକି କାର୍‌ ବି ତାଙ୍କର ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକେ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ରାସ୍ତାରୋକ କରିଥିଲେ। କ୍ଷତିପୂରଣ ସହ ମହିଳା ଇନ୍‌ସପେକ୍ଟରଙ୍କୁ ଗିରଫ ଦାବି କରି ଲୋକେ ନାରାବାଜି କରିଥିଲେ। ଉପଜିଲ୍ଲାପାଳ ଈପ୍‌ସିତା ପ୍ରିୟଦର୍ଶୀ ମିଶ୍ର ଓ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀ ଆନ୍ଦୋଳକାରୀଙ୍କ ସହ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ।

ପ୍ରାଥମିକ ଅନୁସନ୍ଧାନ ପରେ ମହିଳା ଇନ୍ସପେକ୍ଟର ନିଜେ କାର୍‌ରେ ଥିବା ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡା ସ୍ବୀକାର କରିଛନ୍ତି। ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏହି ଦୁର୍ଘଟଣା ପାଇଁ ମହିଳା ଇନ୍‌ସପେକ୍ଟରଙ୍କ ଆର୍ଟିଗା କାର୍‌ ହିଁ ଦାୟୀ। ସଂଧ୍ୟାରେ କାର ଡ୍ରାଇଭର ଅଜୟ ଜେଠୀଙ୍କୁ ସୋନପୁର ପୁଲିସ ଗିରଫ କରିଛି। ସେହିପରି, ଘଟଣାସ୍ଥଳରୁ ଫେରାର୍‌ ମାରିଥିବା ମହିଳା ଇନ୍‌ସପେକ୍ଟରଙ୍କୁ ମଧ୍ୟ ପଚରାଉଚରା କରିବାକୁ ପୁଲିସ ଉଠାଇ ନେଇଛି। ଏହି ମାମଲାର ତଦନ୍ତ ଜାରି ରହିଥିବା ଏସ୍‌ପି କହିଛନ୍ତି।