ଚମ୍ପୁଆ / ଚମକପୁର / ବେଗୁନିଆ / ସିକୋ / ବନ୍ତଳା : ୩ଟି ସ୍ଥାନ। ୩ଟି ହାତୀ। ସେମାନେ ବି ୩ ଜଣଙ୍କ ଜୀବନ ନେଇଯାଇଛନ୍ତି। ଏହିଭଳି ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ କେନ୍ଦୁଝର ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟ ଦୁଇଟି ଯଥାକ୍ରମେ ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାରେ ଘଟିଛି।

Advertisment

ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି, କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମ ମୁଣ୍ଡାସାହିର ଭୀମ ମୁଣ୍ଡା (୫୦)। ହାତୀ ପାଇଁ ସନ୍ଧ୍ୟା ପରଠାରୁ ବିଦ୍ୟୁତ୍‌ କାଟ ହେଉଥିବା ବେଳେ ରାତି ପ୍ରାୟ ୯ଟା ବେଳେ ପତ୍ନୀ ସୁଷମାଙ୍କ ସହିତ ଘର ଆଗରେ ବସିଥିଲେ ଭୀମ। ହଠାତ୍‌, ସ୍ଥାନୀୟ ଜଙ୍ଗଲରେ ରହୁଥିବା ଏକ ୨୩ଟିକିଆ ହାତୀପଲ ଗାଁ ଭିତରକୁ ପଶି ଆସିଥିଲେ। ହାତୀପଲକୁ ଦେଖି ପତ୍ନୀ ସୁଷମା ଦୌଡ଼ି ପଳାଇଥିଲେ। ଭୀମଙ୍କୁ ଏକ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେବାପରେ ଚାଲିଯାଇଥିଲା। ବନ କର୍ମଚାରୀ ପହଞ୍ଚି ଭୀମଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏକାଠି ବସିଥିଲେ, କିଛି ମୁହୂର୍ତ୍ତରେ ଯେ ସବୁକିଛି ଓଲଟପାଲଟ ହୋଇଯିବ, କେବେ କଳ୍ପନାରେ ଭାବି ନଥିଲେ ସୁଷମା। ସୁଷମା ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ୍‌ ସିକୋ ଅଞ୍ଚଳର ରତ୍ନାକର ବେହେରା । ଗତକାଲି ରାତିରେ ତାଙ୍କ ଖଳାରୁ କେହି ଦୁର୍ବୃତ୍ତ ଧାନ ଚୋରି କରିନେଉଥିବା ସନ୍ଦେହକରି ରତ୍ନାକର ଅନ୍ୟ ଜଣେ ବ୍ୟକ୍ତି ଦୀନବନ୍ଧୁଙ୍କୁ ସାଙ୍ଗରେ ନେଇ ସେଠାକୁ ଯାଇଥିଲେ। ହେଲେ, ଖଳା‌ରେ ଥିଲେ ଦୁଇଟି ହାତୀ। ଗୋଟିଏ ଦନ୍ତା ହାତୀ ଉଭୟଙ୍କୁ ଅଚାନକ ଆକ୍ରମଣ କରିଥିଲା। ରତ୍ନାକରଙ୍କ ଜଙ୍ଘକୁ ପାଦରେ ଦଳି ଦେଇଥିଲା। ସେହିଭଳି, ଦୀନବନ୍ଧୁଙ୍କୁ ଶୁଣ୍ଢରେ କିଛିଦୂର ଫୋପାଡ଼ି ଦେଇଥିଲା। ଚିତ୍କାର ଶୁଣି ଗାଁ ଲୋକ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ। ହେଲେ, ସେଠାରେ ଡାକ୍ତର ରତ୍ନାକରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୁରୁତର ଥିବା ଦୀନବନ୍ଧୁଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା। ଡିଏଫ୍‌ଓ ପୂର୍ଣ୍ଣିମା ପାଣ୍ଡିଆନ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ଓ ଆହତ ଦୀନବନ୍ଧୁ ପରିବାରକୁ ୫ହଜାର ଟଙ୍କାର ସହାୟତା ଘୋଷଣା କରିଥିଲେ। ଏହାପରେ ଗ୍ରାମବାସୀ ଶାନ୍ତ ହୋଇଥିଲେ।

ଅନ୍ୟଜଣେ ମୃତକ ହେଉଛନ୍ତି, ଅନୁଗୁଳ ବ୍ଲକ୍‌ ହମାମିରା ଗାଁର ନିତ୍ୟା ଗୋଛାୟତ(୫୫)। ନିତ୍ୟା ଗତକାଲି ନିକଟସ୍ଥ କନ୍ତାମିଲା ଗାଁକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲେ‌କେ ରାତିରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଆଜି ସକା‌ଳେ ଗାଁ ନିକଟସ୍ଥ ଥିବା ନାଳ ପାଖରେ ନିତ୍ୟାଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଦେହରେ ଅନେକ କ୍ଷତ ଥିଲା ଏବଂ ପାଖରେ ହାତୀ ମଳ ଓ ପାଦ ଚିହ୍ନ ବି ପଡ଼ିଥିଲା। ତେଣୁ, ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ନିତ୍ୟାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିଲାବେଳେ ତାଙ୍କ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।