ବ୍ରହ୍ମପୁର/ଘୁ ଉଦୟଗିରି: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହିତ ବଜ୍ରପାତ ହୋଇଛି। ଏଥିରେ ମହିଳାଙ୍କ ସମେତ ମୋଟ୍ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ନିରାକାରପୁର ଡୁବୁର ପ୍ରଧାନ, ପୋଲସରାର ଶାନ୍ତନୁ ଓ ଅମ୍ରିତା ପ୍ରଧାନ(୩୫)।
ସୂଚନା ଅନୁସାରେ ଡୁବୁର ପ୍ରଧାନ ଓ ଶାନ୍ତନୁ ପାଟପୁର ଗାନ୍ଧୀ ଛକ ନିକଟରେ ପଡ଼ିଥିବା ମିନାବଜାର କାମ କରୁଥିଲେ। ପ୍ରବଳ ଖରାରେ ଏମାନେ କାମ କରି ଥକି ଯିବାରୁ ନିକଟସ୍ଥ ଗୋଟିଏ ଆମ୍ବଗଛ ତଳେ ବିଶ୍ରାମ ନେଇଥିଲେ। ହେଲେ ଏହି ସମୟରେ ହଠାତ୍ ବିଜୁଳି ମାରିଥିଲା। ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଫଳରେ ସେହି ଆମ୍ବଗଛ ତଳେ ଡୁବୁର ଓ ଶାନ୍ତନୁ ରହି ଯାଇଥିଲେ। ଦୁଇ ଯୁବକ ଗଛ ନିକଟରେ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକ ପାଟପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲକୁ ନେଇଥିଲା। ହେଲେ ସେତେବେଳକୁ ଉଭୟଙ୍କୁ ମୃତ୍ୟୁ ହୋଇ ସାରିଥିଲା।
ସେହିପରି କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର କତିଙ୍ଗିଆ ଛକ ନିକଟରେ ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି।ପ୍ରାପ୍ତ ସୂଚନା ଅନୁସାରେ କତିଙ୍ଗିଆ ଛକ ନିକଟ ନିବାସୀ ମନୋଜ କୁମାର୍ ପ୍ରଧାନଙ୍କ ପତ୍ନୀ ଅମ୍ରିତା ପ୍ରଧାନ(୩୫)ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ମହିଳା ଜଣକ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ ଓ ଫେରିବା ସମୟରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ପବନ ସାଙ୍ଗକୁ ଘଡଘଡି ବିଜୁଳି ମାରିଥିଲା। ଠିକ୍ ସେହି ସମୟରେ ଅମ୍ରିତା ପ୍ରଧାନ କତିଙ୍ଗିଆ ଏଟିଏମ୍ ନିକଟ ଆମ୍ବ ଗଛ ତଳେ ରହିଥିବା ବେଳେ ହଠାତ ତାଙ୍କୁ ବିଜୁଳି ମାରିଥିଲା। ଫଳରେ ସେଠାରେ ହିଁ ସେ ପଡ଼ିଯାଇଥିଲେ ।ପରେ ଘଟଣା ସ୍ଥଳରେ ତାଙ୍କ ସ୍ବାମୀ ପହଞ୍ଚି ଆମ୍ବୁଲାନ୍ସ ଦ୍ବାରା ଘୁ ଉଦୟଗିରି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ ଓ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ତାଙ୍କର ଗୋଟିଏ ମାତ୍ର ୧୪ ବର୍ଷର ଝିଅ ରହିଥିବା ବେଳେ ଅଞ୍ଚଳରେ ଏବେ ଶୋକର ଛାୟା ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/fed5ad10-9527-4023-82cf-edb43054c6cd.jpeg)