ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ: କକା-ପୁତୁରା, ଅବସରପ୍ରାପ୍ତ ପୋଷ୍ଟମାଷ୍ଟରଙ୍କ ସମେତ ୪ ମୃତ, ୫ ଜଣ ଗୁରୁତର

ଗାଈ ଚରାଇବାକୁ ଯାଇଥିଲେ ଅବସରପ୍ରାପ୍ତ ପୋଷ୍ଟମାଷ୍ଟର

ବରପାଲି/ସୁନ୍ଦରଗଡ଼/ଯୁଯୁମୁରା: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ‌ହେଲେ ବୃହସ୍ଵତୀ ଦୀପ (୫୫), ଅବଧୂତ ଦୀପ (୩୬), ଭକ୍ତ ଚରଣ କାଲୋ (୩୫) ଓ ଅଚ୍ୟୁତ ରହନା (୬୫)। ବୃହସ୍ପତୀ ଓ ଅବଧୂତ ସଂପର୍କରେ କକା-ପୁତୁରା ଥିବା ବେଳେ ଅଚ୍ୟୁତ ୧୦ ବର୍ଷ ହେବ ପୋଷ୍ଟ ମାଷ୍ଟର ଭାବେ ଚାକିରିରୁ ଅବସର ନେଇଥିଲେ।

ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ପାଟ କୁଳୁଣ୍ଡା ପଞ୍ଚାୟତ ବୋରିକେଲ ନୂଆଁଟିକ୍ରା ଠାରେ ଅପରାହ୍ନ ୩ଟା ସମୟରେ ବଜ୍ରପାତ ହେବାରୁ ୭ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏସଂପର୍କିତ ଖଵର ପାଇ ପାଟକୁଳୁଣ୍ଡା ସରପଞ୍ଚ ପ୍ରେମରାଜ ତାଣ୍ଡି, ଗ୍ରାମର ସ୍ବେଚ୍ଛାସେବୀ ଶେଷଦେଵ ସାହୁ, ମନୋରଞ୍ଜନ ସାହୁ, ସୁଦର୍ଶନ ପଧାନ, କୁନା ପଧାନ, ସୁରେନ୍ଦ୍ର ନାଏକ ପ୍ରମୁଖ ବରପାଲି ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ରକୁ ଗାଡ଼ିରେ ତୁରନ୍ତ ଚିକିତ୍ସା ପାଇଁ ଆଣିଥିଲେ । ଏଠାରେ ଡାକ୍ତର ନିପନ ଦେବତା ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟମାଙ୍କୁ ଚିକିତ୍ସା କରାଯାଇ ଗୁରୁତର ଥିବାରୁ ବରଗଡ଼ ମୁଖ୍ୟ ଡାକ୍ଟରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ମୃତ ହୋଇଥିବା ୨ଜଣ ବ୍ୟକ୍ତି ସମ୍ପର୍କରେ କାକା ପୁତୁରା ହେବେ । ସେମାନେ ହେଲେ ବୃହସ୍ଵତୀ ଦୀପ ଓ  ଅଭଦୂତ ଦୀପ। ଆହତ ବ୍ୟକ୍ତି ମାନେ ହେଲେ ମହେନ୍ଦ୍ର ନାଗ (୪୫), ପରମା ଦୀପ(୫୦), ସନ୍ତୋଷ କୁମ୍ଭାର(୨୫), ସଂକେତ ଦୀପ(୪୫) ଓ ଦୁଲ୍ଲଭ ଗଡ଼ତିଆ(୪୫)।

ପ୍ରକାଶ ଥାଉକି ୧୪/୧୫ଜଣ ବ୍ୟକ୍ତି ବୋରିକେଲ ନୂଆଁଟିକ୍ରା ଛକ୍ ନିକଟରେ ଧାନ ରୋଉଥିବା ସମୟରେ ହଠାତ ଘଡଘଡି ସହ ବଜ୍ରପାତ ହୋଇ ବର୍ଷା ହୋଇଥିଲା ଏଣୁ ନିକଟରେ ଥିବା ଏକ ଝୁପୁଡି ଗୃହରେ ଲୁଚିଥିବା ସମୟରେ ବଜ୍ରପାତ ହୋଇଥିଲା ଏବଂ ଏମାନେ ସମସ୍ତେ ଆଘାତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ପ୍ରାଣବାୟୁ ଚାଲିଯାଇଥିଲା । ଘଟଣାର ଖବରପାଇ ବରପାଲି ଅତିରିକ୍ତ ତହସିଲଦାର ଅର୍ଜୁନ କୁମାର ମାଝୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚି ଦେଖିଥିଲେ । ପରେ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ବଜ୍ରପାତରେ ମୃତ୍ୟୁବରଣ କରିଥିବା ଦୁଇଜଙ୍କ ସହ ଆହତ ବ୍ୟକ୍ତିମାନକୁ ଭେଟିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ଆଶ୍ଵାସନା ଦେଇଟିଲେ ଏବଂ ଡାକ୍ତର ତଥା ତହସିଲଦାରଙ୍କ ସହିତ ଆଲୋଚନା କରି ରେଡ଼କ୍ରସ ପାଣ୍ଠି ଓ ସରକାରୀ ସହାୟତା ଯୋଗାଇଦେବା ପାଇଁ କହିଥିଲେ । ଏଥିରେ ବିଧାୟକ ନୋମିନି ଟିକେତ ମହତ୍ତମ, ଗୁଳଠୁ ମେହେର ପ୍ରମୁଖ ବହୁ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଦୁର୍ଘଟଣା ବିଷୟରେ ମୃତ ବୃହସ୍ଵତୀ ଦୀପର ପୁଅ ବିନୋଦ ଦୀପ ଓ ଅଭଦୂତ ଦୀପର ସ୍ତ୍ରୀ ସୌଦାମିନୀ ଦୀପ ବରପାଲି ଥାନାରେ ଅଭିଯୋଗ ପରେ ପୁଲିସ ଏହାର ତଦନ୍ତ ପୂର୍ବକ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ମୃତକ ଦ୍ବୟକୁ ବରଗଡ଼ ପଠାଇଥିଲେ । ସେହିପରି ୧୧ଟି ଛେଳି ଓ ଗୋଟିଏ ଗାଈ ମଧ୍ୟ ମୃତ ହୋଇଥିବା ସୂଚନା ମିଳିଛି ।

ଯୁଯୁମୁରା ଥାନା ମହୁଲପାଲି ଗାଁର ଅଚ୍ୟୁତ ରହନା ଆଜି ଘର ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଗାଈ ଚରାଉଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ସେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଯୁଯୁମୁରା ବ୍ଲକ ଛାମୁଣ୍ଡା ପଞ୍ଚାୟତ ବଡ଼ମାଲ ଅଞ୍ଚଳରେ ଶନିବାର ଅପରାହ୍ନ ପ୍ରାୟ ତିନିଟା ୪୫ରେ ବଜ୍ରାଘାତରେ ୮ ଛେଳି ମୃତ୍ୟୁ ଘଟିଛି। ମେଘପାଲ ପଞ୍ଚାୟତ ରାଣତାଲର ଆଲୋକ ବୁଡ଼ ତାଙ୍କ ଛେଳି ଚରାଇବାକୁ ଆସିଥିଲେ। ତେବେ ଆଲୋକଙ୍କର କିଛି ଅସୁବିଧା ହୋଇନାହିଁ।

କିଞ୍ଜିର କେଲା ଥାନା ଅନ୍ତର୍ଗତ ବନ୍ଧବାହାଲ ଗ୍ରାମରେ ବଜ୍ରପାତ ଘଟି ଜଣେ ବିବାହିତ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତକ ଜଣକ ହେଲେ ଭକ୍ତ ଚରଣ କାଲୋ (୩୫) ଛତିଶଗଡ଼ ରାଜ୍ୟ ତୁମଲା ଥାନା ଅନ୍ତର୍ଗତ ରାଇଡିଘାଟ ଗ୍ରାମର । ସେ ତାଙ୍କ ଶସ୍ୱର୍ ଘର ବିଲରେ ଚାଷକାମ କରୁଥିବା ସମୟରେ ବର୍ଷା ଓ ବଜ୍ରପାତ ହେଉଥିବା ଦେଖି ଘର ଆସିବା ସମୟ ବେଳେ ବଜ୍ରପାତ ର ଶିକାର ହୋଇଥିଲେ।ପରିବାର ଲୋକେ ତାଙ୍କୁ କିଞ୍ଜିରକେଳା ଡାକ୍ତରଖାନା କୁ ଆଣିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭକ୍ତ ଚରଣ ଜଣେ ଅତ୍ୟନ୍ତ ମେଲାପି ତଥା ମିଷ୍ଟଭାଷୀ ହୋଇଥିବାରୁ ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର