ଶୌଚ ହେବାକୁ ଯାଇଥିଲେ; ବଜ୍ରପାତରେ ନାବାଳକ ସମେତ ୩ ମୃତ

ଲୋଇସିଂହା: ଶୌଚ ହେବାକୁ ଯାଇଥିବା ପିଲାମାନଙ୍କ ଉପରେ ବଜ୍ର ପଡ଼ିଛି। ଏଥିରେ ଜଣେ ନାବାଳକ ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଆଜି ରାତି ପ୍ରାୟ ୯ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ପ୍ରଶାନ୍ତ ତାଣ୍ଡି (୨୭), କାହ୍ନୁ ମୁଣ୍ଡା (୧୮) ଓ ଚନ୍ଦନ ଝାଙ୍କର (୧୪)।

ସୂଚନା ଅନୁସାରେ ପ୍ରଶାନ୍ତ, କାହ୍ନୁ ଓ ଚନ୍ଦନ ଗାଁର ଅନ୍ୟ ସାଙ୍ଗମାନଙ୍କର ସହିତ ସନ୍ଧ୍ୟାରେ ଗାଁ ମୁଣ୍ଡରେ ଥିବା ପୋଖରୀ ଆଡ଼କୁ ଶୌଚ ହେବା ପାଇଁ ଯାଇଥିଲେ। ସାଙ୍ଗସାଥୀ ଗହଣରେ ସେମାନେ କଥାବାର୍ତ୍ତା କରୁଥିଲେ। ରାତି ପ୍ରାୟ ୯ଟା ବେଳକୁ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଜଡ଼ାମୁଣ୍ଡା ଗାଁକୁ ପହଞ୍ଚି ୩ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଦୁଇ ଜଣ ଯୁବକ ଓ ଜଣେ ନାବାଳକଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ, କାହ୍ନୁ ମୁଣ୍ଡାଙ୍କ ବଡ଼ ଭାଇ କାହ୍ନା ମୁଣ୍ଡାଙ୍କର ଗତବର୍ଷ ମୃତ୍ୟୁ ହୋଇଥିଲା। ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା କାହ୍ନାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ପ୍ରଶାନ୍ତଙ୍କ ବାପାଙ୍କର ମୃତ୍ୟୁ ବହୁ ବର୍ଷ ପୂର୍ବରୁ ହୋଇଛି। ତାଙ୍କର ୨ ସାନଭାଇ ଓ ମା’ ଅଛନ୍ତି । ଚନ୍ଦନ ଝାଙ୍କର ତାଙ୍କର ବାପା-ମା’ଙ୍କର ଏକ ମାତ୍ର ପୁଅ ଥିଲେ।

ସମ୍ବନ୍ଧିତ ଖବର