୫୫ ନମ୍ବର ଜାତୀୟ ରାଜପଥରେ ୪ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌; ୩ ମୃତ, ଜଣେ ଗୁରୁତର

ଛେଣ୍ଡିପଦା/ବଡ଼କେରା(ଅନୁଗୁଳ): ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଜଣେ ବାଇକ୍‌ ଆରୋହୀଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍‌ଣ ସମୟରେ ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ସାନ୍ତରାପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି।  ମୃତକମାନେ ହେଲେ କୁଲେଇ ଗ୍ରାମର ସିପୁ ପ୍ରଧାନ(୨୬), ସୁନୀଲ ସାହୁ(୨୫) ଓ ମାନସ ବେହେରା(୨୭)।

ସୂଚନା ଅନୁସାରେ ୫୫ ନମ୍ବର ଜାତୀୟ ରାଜପଥ ଜରପଡା ଥାନା ସାନ୍ତରାପୁର ଗ୍ରାମ ନିକଟରେ ପିକ୍‌ଅପ୍‌ ଧକ୍କାରେ ବାଇକ୍‌ରେ ଥିବା ୩ ଜଣ ଅରୋହୀଙ୍କ ମୃତ୍ୟ ଘଟିଛି। ଆଜି ଅପରାହ୍ନ ସାଢ଼େ ୩ ଟାରେ ଏକ ବାଇକ(ପଲସର)ରେ ୪ ଜଣ ଲୋକ ଅନୁଗୁଳ ଜିଲ୍ଲା ବଡକେରା ଆଡୁ ଜରପଡାଆଡକୁ ଆସୁଥିଲେ। ବିପରୀତ ପାର୍ଶ୍ବରୁ ଅନୁଗୁଳ ଅଭିମୁଖେ ଯାଉଥିବା ପିକ୍‌ଅପ୍‌ (ଓଡ଼ି୧୯କ୍ୟୁ-୫୦୫୨) ବାଇକ୍‌ ଆରୋହୀ ଲୋକମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା  ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି।

ଦୁର୍ଘଟଣା ପରେ ପିକ୍‌ଅପ୍‌ ଡ୍ରାଇଭର ଫେରାର ହୋଇଯାଇଛି। ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଖବରପାଇ ଜରପଡା ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର