ସମ୍ବଲପୁର : ଦୁଇଟି ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସମ୍ବଲପୁର ଜିଲ୍ଲା ସଦର ଥାନା ମିର୍ଗାମୁଣ୍ଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମାନେଶ୍ବର ରାସନପୁରର ସତ୍ୟ ନାରାୟଣ ନେଟୀ(୨୬) ଓ ଆକାଶ ଝାଙ୍କର(୨୪)। ଏନେଇ ସଦର ଥାନା ପୁଲିସ୍ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁସାରେ, ଗୁରୁବାର ସକାଳୁ ଆକାଶଙ୍କୁ ନେଇ ସତ୍ୟ ନାରାୟଣ ଯୁଯୁମୁରା ଥାନା ଗଡ଼ଗଡ଼ବାହାଲସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଦିନ ପ୍ରାୟ ୩ଟା ବେଳେ ମିର୍ଗାମୁଣ୍ଡା ନିକଟ ବୁଲାଣିରେ କୌଣସି ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସେହିପରି ବରଗଡ଼ ଜିଲ୍ଲା ପଦ୍ମପୁର ଥାନା କୁଡ଼ାପାଲି ଗ୍ରାମର ଶଙ୍କର ସାହୁ(୫୫) ଗତ ୨୬ ତାରିଖରେ ପଦ୍ମପୁରରୁ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ। ଏହି ସମୟରେ ଗାଁ ନିକଟରେ ହିଁ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ଏହି ଘଟଣାରେ ତାଙ୍କ ମୁଣ୍ଡ ତଥା ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପଦ୍ମପୁର ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/accident-1.jpg)