ଅଂଶୁଘାତରେ ୩ ମୃତ

ପ୍ରଚଣ୍ଡ ଖରାରେ ଟଳି ପଡ଼ିଲେ ବୃଦ୍ଧ
ଟମକା : ଟମକା ଥାନା ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ଫୁଲଝର ଛକ ନିକଟରେ ଗୁରୁବାର  ମଧ୍ୟାହ୍ନରେ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ‌ବ୍ୟକ୍ତି ଚିତ୍ରୀ ପଞ୍ଚାୟତ ତଥା ଚିତ୍ରୀ ଗାଁର ନକୁଳ ଚରଣ ସାମଲଙ୍କ ପୁଅ ଜଟାଧାରୀ(୬୫)। କିଛିଦିନ ହେ‌ଲା ଜଟାଧାରୀ କୋରେଇ ଥାନା ଅଧୀନ ରଗଡ଼ି ନିକଟସ୍ଥ କଡ଼ମା ଗାଁରେ ଘର କରି ପରିବାର ସହିତ ରହୁଥିଲେ। ରଜରେ ନିଜ ପୈତୃକ ଗାଁ ଚିତ୍ରୀକୁ ବୁଲି ଆସିଥିଲେ। ଆଜି ଫୁଲଝର ଛକକୁ ଯାଉଥିବା ବେଳେ ତାଙ୍କର ହଠାତ୍‌ ମୃତ୍ୟୁ ହୋଇଥିଲା। କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଉଛି। ଟମକା ଥାନାରେ ଏ ନେଇ ୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯିବ ବୋଲି ତଦନ୍ତ ଅଧିକାରୀ ସ୍ନେହଲତା ଗିରି ସୂଚନା ଦେଇଛନ୍ତି।

ଅଂଶୁଘାତରେ ପରିବା ବ୍ୟବସାୟୀ ମୃତ

ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କଣ୍ଢେଇକେଲା ଫାଣ୍ଡି ଅନ୍ତର୍ଗତ ଚିଖିଲି ଗ୍ରାମର ଚୂଡ଼ାମଣି ଉର୍ମା (୪୫)ଙ୍କ ଅଂଶୁଘାତରେ ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଛି। ଚୂଡ଼ାମଣି ଜଣେ ପରିବା ବ୍ୟବସାୟୀ। ‌ସେ ବୁଧବାର ଭୁକ୍ତା ସାପ୍ତାହିକ ବଜାରକୁ ଯାଇ ଦିନ ୨ଟା ସମୟରେ ଘରକୁ ଫେରି ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତାଙ୍କୁ ପରିବାର ଲୋକ ଚାଟିପାଲି ଡାକ୍ତରଖାନାକୁ ନେଇଥିଲେ। ପରେ ଲଖନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ରେଙ୍ଗାଲି ଥାନାରେ ଏକ ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ କଣ୍ଢେଇକେଲା ଫାଣ୍ଡି ଅଧିକାରୀ ସୁଶାନ୍ତ କିଶାନଙ୍କୁ ପଚାରିବାରୁ କହିଲେ ଶବ ବ୍ୟବଚ୍ଛେଦ ପରେ ତାଙ୍କର ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ପ୍ରାଥମିକ ତଦନ୍ତରୁ ଅଂଶୁଘାତ ଜନିତ ମୃତ୍ୟୁ ପରି ମନେ ହେଉଛି। ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି।

ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁୁ !
ହାଟଡ଼ିହି : ହାଟଡ଼ିହି ବ୍ଲକ୍‌ ଢେଙ୍କା ପଞ୍ଚାୟତ ଝଣଝଣା ମୌଜା କ୍ରସର ପଡ଼ିଆ ନିକଟରେ ଜଣେ ବ୍ୟକ୍ତିଙ୍କ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି। ସଢା ଗ୍ରାମର ରାମଚନ୍ଦ୍ର ଜେନା (୬୨) ଢେଙ୍କା ଫୁଟବଲ ପଡ଼ିଆ ଆଡ଼େ କୌଣସି କାମରେ ଯାଇ ପେରୁଥିବା ବେଳେ ଏଭଳି ଅଘଟଣ ଘଟିଛି। ଫେରିବା ବେଳେ ଝଣଝଣା ମୌଜା  କ୍ରସର ପଡ଼ିଆ ନିକଟରେ ପଡ଼ି ଯାଇଥିଲେ। କିଛି ବାଟୋଇ ତାଙ୍କୁ ଅଚେତ ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ସୋସୋ ପୁଲିସକୁ ଜଣାଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପ୍ରବଳ ଖରା ଓ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ସୋସୋ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧିତ ଖବର