ଟ୍ରାକ୍ଟର-ଟ୍ରକ୍‌ ଧକ୍କାରେ ୩ ଶ୍ରମିକ ମୃତ

ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମ ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଚିପସ୍‌ ବୋଝେଇ ଟ୍ରାକ୍ଟରକୁ ଦ୍ରୁତଗତିରେ ଆସି ମାଲ୍ ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୩ଜଣ ଶ୍ରମିକ ଆହତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଛି। ଦୁର୍ଘଟଣା ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ କାଲିମେଳାରୁ ଚିପସ୍‌ ନେଇ ଗୋଟିଏ ଟ୍ରାକ୍ଟର ମାଲକାନଗିରି ଅଭିମୁଖେ ଆସୁଥିଲା। ତେବେ ମାଲକାନଗିରି ଠାରୁ ଅଳ୍ପଦୂରରେ ଏମ୍‌ଭି-୧୭ ନିକଟରେ କୌଣସି କାରଣରୁ ଟ୍ରାକ୍ଟର ଅଟକି ରହିଥିବାବେଳେ ଶ୍ରମିକମାନେ ଡାଲାରେ ବସିଥିଲେ। ଏହି ସମୟରେ ଗୁଣ୍ଟୁରରୁ ସିମେଣ୍ଟ ନେଇ ମାଲକାନଗିରି ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ (ଏପି ୦୭ପିଏଚ୍‌ ୦୬୬୬) ନିୟନ୍ତ୍ରଣ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଯାହାଫଳରେ ଇଂଜିନ ଆଉ ଟ୍ରାକ୍ଟର ଡାଲା ଅଲଗା ହୋଇଯାଇଥିଲା। ସେହିପରି ଟ୍ରକ୍‌ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାତି ପ୍ରାୟ ୧୧ଟାରେ ଏହି ଦୁର୍ଘଟଣା ଘଟିଥିବାବେଳେ ୬ଜଣ ଶ୍ରମିକ ଆହତ ହୋଇଥିଲେ। ନିକଟସ୍ଥ ଗ୍ରାମବାସୀ ଦୁର୍ଘଟଣା ସଂପର୍କରେ ଜାଣିବାପରେ ମାଲକାନଗିରି ଥାନାକୁ ଖବର ଦେଇଥିଲେ। ଆମ୍ବୁଲାନସ୍‌ ନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମାଲକାନଗିରି ନିକଟସ୍ଥ କେନ୍ଦୁଗୁଡ଼ା ଗାଁର ରୁଦ୍ର ନାୟକ ଏବଂ ଗୌଡ଼ଗୁଡ଼ା ଗାଁର କିଶୋର ଗୌଡ଼ଙ୍କ ମୃତ୍ୟୁ ହୋଇଯାଇଥିଲା। ପ୍ରାଥମିକ ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ନ ଆସିବାରୁ ଗୌଡ଼ଗୁଡ଼ା ଗାଁର ଲକ୍ଷ୍ମଣ ଗୌଡ଼ଙ୍କୁ ରାତିରେ ହିଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଅନ୍ୟ ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ସୂଚନା ମିଳିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭର ନରେଶ ପୂଜାରୀଙ୍କୁ ଗିରଫ କରିଛି। ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ରାମ ପ୍ରସାଦ ନାଗ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର