ରାଉରକେଲା: ଭୁଜାଲି, ଅସ୍ତୁରାରେ ପ୍ରାଣାନ୍ତକ ଆକ୍ରମଣ କରିଥିବା ୩ ଜଣଙ୍କୁ ଆଜି ଜେଲ୍ ଦଣ୍ଡାଦେଶ ହୋଇଛି। ମାମଲାର ବିଚାର କରି ରାଉରକେଲା ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତଥା ସହକାରୀ ଦୌରାଜଜ୍ ବିଷ୍ଣୁଦେବ ଜେନା ଏହି ଆଦେଶ ଦେଇଛନ୍ତି। ଦୋଷୀମାନଙ୍କୁ ୧ ବର୍ଷ ୭ ମାସ ଜେଲଦଣ୍ଡ ଓ ୧ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଦୋଷୀମାନେ ହେଉଛନ୍ତି ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମ ଝୁମ୍ପୁଡ଼ିର ମହମ୍ମଦ ପରଭେଜ(୨୭), ବିଶ୍ରା ଡାହାର ରୋଡ୍ ପାଣ୍ଡେ କଲୋନିର ଅରବିନ୍ଦ ଶର୍ମା(୨୮) ଓ ମାଲଗୋଦାମ ରେଲୱେ ଗେଟ୍ ଅଞ୍ଚଳର ସୁଶାନ୍ତ ସାହୁ ଓରଫ୍ ରାମୁ (୩୦)। ଅଭିଯୋଗକାରୀ ମାଲଗୋଦାମର ରାଜୁ ସାହୁଙ୍କ ସପକ୍ଷରେ ଅତିରିକ୍ତ ସରକାରୀ ଓକିଲ ସନ୍ତୋଷ ନାୟକ ଓ ନିରଞ୍ଜନ ମହନ୍ତ ମାମଲା ପରିଚାଳନା କରିଥିଲେ।
ମାଲଗୋଦାମରେ ସପରିବାର ବାସ କରନ୍ତି ରାଜୁ ସାହୁ। ଗତ ୨୦୧୪ ମସିହା ଜୁନ ୯ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା। ପତ୍ନୀ ଅସୁସ୍ଥ ଥିବାରୁ ରାଜୁ ଔଷଧ କିଣିବାକୁ ଯାଇଥିଲେ। ଔଷଧ କିଣି ଘରକୁ ଫେରୁଥିବା ସମୟରେ ମାଲଗୋଦାମ ମେଡ଼ରୋଡ୍ ଛକରେ ତିନି ଦୋଷୀଙ୍କ ସମେତ ଆଉ ୩ ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇଥିଲେ। ରାଜୁ କିଛି ବୁଝିବା ପୂର୍ବରୁ ଜଣେ ଅଭିଯୁକ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ରଖିବାରୁ ଭୟଭୀତ ହୋଇ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ପରେ ଦୋଷୀ ରାମୁ ଏକ ଅସ୍ତୁରାରେ ଆକ୍ରମଣ କରିଥିଲେ। ଏଥିରେ ରାଜୁ କ୍ଷତାକ୍ତ ହେବା ସହ ଜୀବନ ବିକଳରେ ଦୌଡ଼ି ପଲାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ପରଭେଜ ହାତରେ ଭୁଜାଲି ଧରି ଦୌଡ଼ାଇବା ସହ ପ୍ରଣାନ୍ତକ ଆକ୍ରମଣ କରିଥିଲା। ଭୁଜାଲି ଚୋଟରେ ରାଜୁ ରାସ୍ତାରେ ପଡ଼ିଯିବାପରେ ଅନ୍ୟ ଅଭିଯୁକ୍ତମାନେ ପହଞ୍ଚି ତାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଅସ୍ତୁରା, ଭୁଜାଲିରେ ବାରମ୍ବାର ଆକ୍ରମଣ କରିଥିଲେ। ଠିକ୍ ଏତିକିବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସେଠାରେ ପହଞ୍ଚିଯିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଗୁରୁତର ଆହତ ରାଜୁଙ୍କୁ ଏକ ଅଟୋରେ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଏନେଇ ଉଦିତନଗର ଥାନାରେ ଏତଲା ହେବାପରେ ପୁଲିସ ତଦନ୍ତକରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।