ରାଉରକେଲା: ମା’ ହତ୍ୟାକାରୀକୁ ମାରି ପ୍ରତିଶୋଧ ନେଲା ପୁଅ। ପରେ ପୁଣି ବାପା ହତ୍ୟାର ବଦ୍‌ଲା ନେବା ପାଇଁ ହତ୍ୟାକାରୀ ଉପରେ ଗୁଳି ଚଳାଇଛି। ଦୁଇ ପରିବାର ମଧ୍ୟରେ ୩ ଦଶନ୍ଧି ଧରି ଚାଲିଥିବା ଶତ୍ରୁତା ଯୋଗୁ ସୋମବାର ରାଉରକେଲା ସହରର ଜନଗହଳିପୂର୍ଣ୍ଣ ଟ୍ରାଫିକ୍‌ ମାର୍କେଟ୍‌ ତାରିଣୀ ମନ୍ଦିର ସମ୍ମୁଖରେ ଘଟିଛି ଗୁଳିକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ଗୁଳିମାଡ଼ରେ ଜେଲ୍‌ ଫେରନ୍ତା ଆଭେଶ ରାୟ (୩୮) ଗୁରୁତର ହୋଇଛନ୍ତି। ତାଙ୍କ ପିଠିରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଓ ପରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ପରେ ଆଭେଶଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା‌ ଜଣାପଡ଼ିଛି। ପ୍ଲାଣ୍ଟସାଇଟ୍‌ ପୁଲିସ୍‌ ଘଟଣାସ୍ଥଳରୁ ଦୁଇଟି ‌ଖୋକା ଜବତ କରିଛି। ଡିଏସ୍‌ପି ନିର୍ମଳ ମହାପାତ୍ର, ପ୍ଲାଣ୍ଟସାଇଟ୍‌ ଥାନା ଅଧିକାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଗୁଳିକାଣ୍ଡ ଘଟଣାରେ ସାଗର ସାହୁ ଓ ତା’ର ସହଯୋଗୀ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ। ଗୁଳିମାଡ଼ ପରେ ଦୁହେଁ ବାଇକ୍‌ରେ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବାକୁ ପ୍ଲାଣ୍ଟସାଇଟ୍‌ ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖବର ଲେଖାହେବା ପର୍ଯ୍ୟନ୍ତ ପୁଲିସ ଫେରାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିପାରିନି। 

Advertisment

ଜେଲ ଫେରନ୍ତା ଯୁବକଙ୍କୁ ଗୁଳିମାଡ଼, ଆକ୍ରମଣକାରୀ ଫେରାର
୨୭ ବର୍ଷ ପରେ ଚତୁର୍ଥ ହିଂସା, ଇସ୍ପାତ ସହରରେ ଚାଞ୍ଚଲ୍ୟ

ସୂଚନା ମୁତାବକ ଆହତ ଆଭେଶ, ଫେରାର ଅଭିଯୁକ୍ତ ସାଗର ଓ ତା’ର ସହଯୋଗୀ ଟ୍ରାଫିକ୍‌ ମାର୍କେଟ୍‌ ନିକଟସ୍ଥ ବସ୍ତିରେ ରହନ୍ତି। ୩ ଦଶନ୍ଧି ହେଲା ଉଭୟ ପରିବାର ମଧ୍ୟରେ କଳହ ଲାଗି ରହିଥିଲା। ଫେରାର ସାଗର ସାହୁର ବାପା ଭଗବାନ ସାହୁ ୧୯୯୭ରେ ନିଜ ସହଯୋଗୀ ସହ ଟ୍ରାଫିକ୍‌ ମାର୍କେଟ୍‌ରେ ଆଭେଶର ବଡ଼ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପ୍ରତିବାଦ କରିବାରୁ ଭଗବାନ ଓ ତା’ର ସହଯୋଗୀ ମିଶି ଆଭେଶର ମା’ଙ୍କୁ ଘଟଣାସ୍ଥଳରେ ହତ୍ୟା କରିଥିଲେ। ଦୁଇ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଟ୍ରାଫିକ ମାର୍କେଟ୍‌ରେ ଉତ୍ତ୍ୟକ୍ତ ଲୋକ ନିଆଁ ଲଗାଇ ଦେଇଥିଲେ। ବାଳକ ଥିବା ଅଭେଶ ମା’ର ହତ୍ୟା ନିଜ ଆଖିରେ ଦେଖିଥିଲା। କିଛି ବର୍ଷ ପରେ ଅଭିଯୁକ୍ତମାନେ ଜେଲ୍‌ରୁ ବାହାରିବାରୁ ପ୍ରତିଶୋଧ ନେବାକୁ ଯାଇ ଆଭେଶ ନିଜ ସହଯୋଗୀ ସହ ମିଶି ଟ୍ରାଫିକ୍‌ ମାର୍କେଟ୍‌ର ସେହି ସ୍ଥାନରେ ଭଗବାନ ସାହୁ ଏବଂ ତା’ର ସହଯୋଗୀ ପି. ପାଣିଗ୍ରାହୀଙ୍କୁ ହତ୍ୟା କରିଥିଲା।

ପ୍ଲାଣ୍ଟସାଇଟ୍‌ ପୁଲିସ ଆଭେଶ ଓ ତା’ର ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜେଲ୍‌ରେ ସଜା କାଟୁଥିବା ଅଭେଶ ଗତ କିଛିମାସ ପୂର୍ବରୁ ଜାମିନରେ ବାହାରି ବିର୍ସା ଛକରେ ଅଟୋ ଲାଇନ୍‌ମ୍ୟାନ୍‌ କାମ କରୁଥିଲା। ସୋମବାର ସକାଳ ପ୍ରାୟ ୯ଟାରେ ଟ୍ରାଫିକ୍‌ ମାର୍କେଟ୍‌ ନିକଟରେ ଆଭେଶ ଏକାକୀ ଛିଡ଼ା ହୋଇଥିଲାବେଳେ ପିତା ହତ୍ୟାର ପ୍ରତିଶୋଧ ପାଇଁ ସୁଯୋଗ ଉଣ୍ଡୁଥିବା ସାଗର ଓ ତା’ର ସହଯୋଗୀ ପହଞ୍ଚି ତା’ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁଇଟି ଯାକ ଗୁଳି ପିଠିରେ ବାଜିବା ପରେ ଆଭେଶ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲା।