ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଚିହ୍ନଟ ହୋଇଛନ୍ତି ପ୍ରଥମ ଡେଙ୍ଗୁ ରୋଗୀ। ଦୁଇ ଦିନରେ ୩ଜଣ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଲୋକଙ୍କ ଚିନ୍ତା ବଢ଼ିଛି। ଜଣେ ବ୍ରହ୍ମପୁରରୁ ଚିହ୍ନଟ ହୋଇଥିବା ବେଳେ ଆଉ ଦୁଇଜଣଙ୍କ ମଧ୍ୟରେ ଜଣେ ଚିକିଟି ଓ ଅନ୍ୟଜଣେ ଶେରଗଡ଼ ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ଏବେ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ ରହୁଛି। ଫଳରେ ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ସୃଷ୍ଟି ହୋଇ ତାହା ରୋଗର କାରଣ ସାଜିବ ବୋଲି କୁହାଯାଉଛି। ଏଣୁ ମଶାମରା ଅଭିଯାନକୁ ବ୍ୟାପକ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ଡେଙ୍ଗୁ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଡେଙ୍ଗୁ ଚିହ୍ନଟ ହୋଇଥିବା ଅଞ୍ଚଳକୁ ଯାଇ ସେଠାକାର ପରିମଳ ବ୍ୟବସ୍ଥା ଯାଞ୍ଚ କରାଯାଇଛି। ସେହିପରି ପୂର୍ବରୁ ଘରକୁ ଘର ବୁଲି ଲୋକ ଡେଙ୍ଗୁ ମଶା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ତାହା ସଫା କରାଯାଇଥିଲା। ଏହା ସହିତ ଦୀର୍ଘଦିନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ପାଣି ଜମା ନରଖିବାକୁ ସଚେତନ କରାଯାଇଥିଲା। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ସ୍ବତନ୍ତ୍ର ୱାର୍ଡ଼ର ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ଜଣ ରୋଗୀଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ଦୁଇଜଣ ପୁରୁଷ। ସମସ୍ତେ ବାହାର ଅଞ୍ଚଳରୁ ଆସିଛନ୍ତି। ବ୍ରହ୍ମପୁରର ଗୋସାଇଁ ନୂଆଗାଁ ଅଞ୍ଚଳର ରୋଗୀ ଜଣଙ୍କ ଭୁବନେଶ୍ବରରୁ ଆସିଥିବା ବେଳେ ଚିକିଟିର ରୋଗୀ ଆନ୍ଧ୍ର ପ୍ରଦେଶ ଓ ଶେରଗଡ଼ର ରୋଗୀ ବେଙ୍ଗାଲୁରୁରୁ ଆସିଥିବା ସୂଚନା ଦିଆଯାଇଛି।
ଗଞ୍ଜାମ ଜିଲ୍ଲାରେ ଗତବର୍ଷ ୧୬୧ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ୨୦୨୧ରେ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ୨୦୨୦ରେ ମାତ୍ର ୯ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ୨୦୧୯ରେ ୩୦୭ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୫୫ ପଜିଟିଭ୍ ଚିହ୍ନଟ ହୋଇଥିଲେ।