ଅସ୍ତରଙ୍ଗ: ପୁରୀଜିଲ୍ଲା ଅସ୍ତରଙ୍ଗସ୍ଥିତ ପୀରଜାହାନିଆ ଠାରେ ଆଜି ୩ ଜଣ ଯୁବକ ସମୁଦ୍ରରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଅନ୍ୟ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଛି। କିନ୍ତୁ ତୃତୀୟ ବ୍ୟକ୍ତିଙ୍କର ଖୋଜଖବର ନାହିଁ। ସମସ୍ତେ ଜଗତସିଂହପୁର ଜିଲ୍ଲାର ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାରୁ ଆସିଥିବା ଏକ ଟିମ୍ର ୩ ଜଣ ବଣଭୋଜି ସାରି ସମୁଦ୍ରରେ ଗାଧେଇବା ବେଳେ ବୁଡ଼ିଯାଉଥିଲେ। ଜଣଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କଲା ବେଳେ ଅନ୍ୟ ଦୁଇଜଣ ଭାସିଯାଇଥିଲେ। ଭାସିଯାଉଥିବା ଯୁବକଙ୍କ ମଧ୍ୟରୁ ଜଣକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାରେ ସେ ମୃତ ବୋଲି ଖବର ମିଳିଛି। କିନ୍ତୁ ଡାକ୍ତର ତାଙ୍କୁ ମୃତ ନା ଜୀବିତ ଘୋଷଣା ନକରି ଛରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରିଛନ୍ତି।
ପ୍ରକାଶ ଥାଉକି, ବେଳାଭୂମିରେ ଅଘଟଣ କିଛି ନୂଆ କଥା ନୁହେଁ। ସ୍ଥାନୀୟ ପ୍ରଶାସନର ସଚେତନତା ଅଭାବରୁ ପୂର୍ବରୁ ବହୁବାର ଅଘଟଣ ଘଟିଛି। ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁ ହେଉ ବା ପର୍ଯ୍ୟଟକଙ୍କ ସଜାଗ ଯୋଗୁ ଅଘଟଣ ଘଟିବା ବନ୍ଦଥିଲା। ଏଭଳି ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ସମୁଦ୍ରକୂଳର ଅଘଟଣ ସ୍ଥାନରେ ସଚେତନତା ଫଳକ ନଲାଗିବା, ଲାଇଫ୍ ଗାର୍ଡ ବ୍ୟବସ୍ଥା ନଥିବା ଓ ପ୍ରଶାସନର ଅପାରଗତାରୁ ବହୁ ସମୟରେ ଅଘଟଣ ଘଟି ଅମୁଲ୍ୟ ଜୀବନ ଚାଲିଯିବା ସମସ୍ତେ କହିଛନ୍ତି।
ବେଳାଭୂମିରେ ଆଜି ସାଢେ ୪ଟାରେ ଏଭଳି ଘଟଣା ଘଟି ଅଦ୍ୟାବଧି ଅନ୍ୟଜଣେ ସମୁଦ୍ରରେ ନିଖୋଜ ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ପୁଲିସ ଓ ସ୍ଥାନୀୟ ଯୁବକମାନେ ଲାଗିପଡ଼ିଥିଲେ। ଯୁବକଙ୍କର ପତା ମିଳୁନାହିଁ। ସବୁଠାରୁ ବଡ଼କଥା ହେଲା ସଂଜ୍ଞାହୀନ ଅବସ୍ଥାରେ ଜଣକୁ ଉଦ୍ଧାର କରି ମେଡିକାଲକୁ ତାର ତାର ନିଶ୍ୱାସ ଓ ପ୍ରଶ୍ୱାସ ରହିବାରୁ ଅନ୍ୟ ଡାକ୍ତରଙ୍କ ମତ ସେ ମୃତ। କିନ୍ତୁ ଅସ୍ତରଙ୍ଗରେ ଅଧିକ ପରୀକ୍ଷା କରିବାକୁ ସୁବିଧା ନଥିବାରୁ ଏଭଳି ଜଣେ ବ୍ୟକ୍ତି ମୃତ ନା ଜୀବିତ ତାହା କାର୍ଯ୍ୟରତ ଡାକ୍ତର ନିଷ୍ପତ୍ତି ନେଇପାରୁନାହାନ୍ତି। ଘଟଣା ସମ୍ପର୍କରେ ପଚାରିବାରେ ଇସିଜି କରାଗଲେ ସେ ମୃତ ନା ଜୀବିତ ତାହା ଜଣାପଡିବ ବୋଲି କାର୍ଯ୍ୟରତ ଡାକ୍ତର ମୁଜାଫର୍ ଖାଁ ସିଧାସଳଖ ଉତ୍ତର ରଖିଛନ୍ତି।
ଅନ୍ୟପକ୍ଷରେ ନିଖୋଜକୁ ଉଦ୍ଧାର କରିବା ପାଇଁ ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅଗ୍ନିଶମ ଓ ପୁଲିସ ବିଭାଗ ପକ୍ଷରୁ ଖୋଜା ଖୋଜି ଜାରି ରହିଛି। ସ୍ଥାନୀୟ ଅଞ୍ଚଳର ସଂଗ୍ରାମ ବିଶ୍ୱାଳ, ଜଗବନ୍ଧୁ ବେହେରା, ବାବୁନି ନାୟକ ଓ ପୀର ଜାହାନିଆଁ ବ୍ୟବସାୟୀ ସଂଘ, କଇଁଛ ସୁରକ୍ଷା କର୍ମୀ ନିହାର ବିଶ୍ୱାଳ, ସହଜାନ୍ ଅଲ୍ଲୀସା ଓ ସୌମ୍ୟରଞ୍ଜନ ବିଶ୍ୱାଳ ଉଦ୍ଧାରକାରୀ କାର୍ଯ୍ୟରେ ଲାଗିଛନ୍ତି।