ସାତକୋଶିଆରେ ତିନି ହାତୀ ଅସୁସ୍ଥ

ଅନୁଗୁଳ : ସାତକୋଶିଆରେ ଆହୁରି ଦୁଇଟା ହାତୀ ଅସୁସ୍ଥ ଥିବା ସୂଚନା ମିଳିଛି। ପୂର୍ବରୁ ସାତକୋଶିଆ ନିକଟସ୍ଥ ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ଗୋଟିଏ ଛୁଆ ହାତୀ ଅସୁସ୍ଥ ରହିଛି। ସେ କିଛି ବି କିଛି ଖାଇପାରୁନାହିଁ। ତଣ୍ଟି ଫୁଲିଥିବାବେଳେ ତା’ର ମା’ ଛୁଆଟିକୁ ଧରି ଏବେ ଗାଁ ମୁହାଁ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ଅଭାବରୁ ହାତୀଛୁଆର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଏବେ ୩ହାତୀ ଅସୁସ୍ଥତା ଜାଣିବା ସତ୍ତ୍ବେ ବନବିଭାଗ ପକ୍ଷରୁ ଚିକିତ୍ସା ଆରମ୍ଭ କରାଯାଇନାହିଁ। ଫଳରେ, ଜାଣିଶୁଣି ହାତୀକୁ ମରିବାକୁ ଛାଡ଼ି ଦିଆଯାଉଛି ବୋଲି ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ତିନିଟା ହାତୀ ମଧ୍ୟରୁ ସବୁଠାରୁ ବେଶି ଗୁରୁତର ଅବସ୍ଥାରେ ଅଛି ମା’ ସାଙ୍ଗେ ବୁଲୁଥିବା ଛୁଆ ଦନ୍ତାହାତୀ। ଏହାର ବୟସ ପ୍ରାୟ ୪ବର୍ଷ ହେବ। ଗଲା ପ୍ରାୟ ତିନିଦିନ ତଳେ ମା’ ସହ ଏ ଛୁଆ ଦନ୍ତାହାତୀକୁ ସାତକୋଶିଆ ବନଖଣ୍ଡ ଟାଇଁସି ନିକଟସ୍ଥ କୁମୁରୀ ଗାଁ ନିକଟରେ ଦେଖିବାକୁ ମିଳିଥିଲା। ତା’ ପାଟିରୁ ନାଳ ବାହାରୁଥିବା ବେଳେ ବେକ ଫୁଲିଛି। ଖାଦ୍ୟକୁ ଚୋବାଇ ପାରୁଛି କିନ୍ତୁ ଗିଳି ପାରୁନାହିଁ। ଛୁଆଟିର ଅସୁସ୍ଥତାକୁ ନଜରରେ ରଖି ମା’ ହାତୀଟି ଛୁଆକୁ ନେଇ ଏବେ ଜନବସତି ମୁହାଁ ହୋଇଛି। ସମ୍ଭବତଃ ହାତୀ ଛୁଆକୁ ‘ହର୍ପିସ୍‌’ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ଛୁଆଟିକୁ ଚିକିତ୍ସା କରିବାକୁ ହେଲେ ମା’ ହାତୀଠାରୁ ଅଲଗା କରିବାକୁ ପଡ଼ିବ। ମା’ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଗଲା ତିନିଦିନ ହେଲା ହାତୀ ଛୁଆର ଅସୁସ୍ଥତା କଥା ଜାଣିବା ପରେ ବି ବନ ବିଭାଗ ଚିକିତ୍ସା ଆରମ୍ଭ କରୁ ନଥିବା ଅଭିଯୋଗ ଉଠୁଛି।

ସେହିଭଳି, ଗତକାଲି ସାତକୋଶିଆର କ୍ଷେତ୍ର ନିର୍ଦ୍ଦେଶକ ସାତକୋଶିଆ ଇଲାକା ବୁଲୁଥିବାବେଳେ ବଡ଼କ୍ଷେତାରେ ଏକ ଦନ୍ତାକୁ ଦେଖିଥିଲେ। ଦନ୍ତାର ଚାଲିଚଳଣରୁ ଏହା ଅସୁସ୍ଥ ଥିବା ଅନୁଭବ ହୋଇଥିଲା। ଦନ୍ତାଟି ଯଦିଓ ଜଙ୍ଗଲ ଭିତରେ ରହୁଛି କିନ୍ତୁ ତା’ର କଣ ହୋଇଛି, ସେନେଇ ବିଭାଗୀ ପକ୍ଷରୁ ଆଦୌ ତନାଘନା କରାଯାଇନାହିଁ। ଆହୁରି ବି ସାତକୋଶିଆ ବନଖଣ୍ଡର ପମ୍ପାସର ସୀମାରେ ଏକ ମାଈ ହାତୀ ବି ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଏ ହାତୀଟି ଅନୁଗୁଳ ବନଖଣ୍ଡର ହିଞ୍ଜାଡୋଲି ଇଲାକାରେ ଗଲା ଦୁଇଦିନ ତଳେ ଠାବ ହୋଇଥିଲା। ସେ ଏବେ ସାତକୋଶିଆ ମୁହାଁ ହୋଇଛି। ହାତୀଟି ବେଶ୍ ଦୁର୍ବଳ ହୋଇପଡ଼ିଛି। କିନ୍ତୁ, ହାତୀର ଚିକିତ୍ସା କରାଯାଇନାହିଁ।

ଏ ସମ୍ପର୍କରେ ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡା କହିଛନ୍ତି, କୁମୁରୀ ଗାଁ ନିକଟରେ ଅସୁସ୍ଥ ଛୁଆ ହାତୀର ଖବର ଆମେ ପାଇଛୁ। ଛୁଆଟି ମା’ ସାଥୀରେ ଅଛି। ତାକୁ ହର୍ପିସ୍‌ ହୋଇଥିବା ଆଶଙ୍କା କରାଯାଉଛି। ଛୁଆକୁ ଚିକିତ୍ସା କରିବାକୁ ହେ‌ଲେ, ମା’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ହେବ। ସେଥିପାଇଁ ଛୁଆକୁ ଚିକିତ୍ସା କରିବା ପୂର୍ବରୁ ହାତୀର ମଳ ସଂଗ୍ରହ କରି ଭୁବନେଶ୍ବରକୁ ପଠାଯାଇଛି। କି ରୋଗ ହୋଇଛି ତାହା ଜଣାପଡ଼ିବା ପରେ ଚିକିତ୍ସା କରାଯିବ ବୋଲି ‌େସ‌ କହିଛନ୍ତି। ସେହିପରି ବଡ଼କ୍ଷେତାଠାରେ ଚିହ୍ନଟ ହୋଇଥିବା ଦନ୍ତାହାତୀଟି ଜଙ୍ଗଲ ଭିତରେ ରହିଛି। ତାର ବି ମଳ ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଅନୁଗୁଳ ବନଖଣ୍ଡରେ ଦୁର୍ବଳ ହୋଇପଡ଼ିଥିବା ମାଈ ହାତୀ ସମ୍ପର୍କରେ ଅନୁଗୁଳ ଡିଏଫ୍‌ଓ ବିବେକ କୁମାର କହିଛନ୍ତି, ହାତୀଟି ଦୁର୍ବଳ ଥିବା କଥା ଆମେ ସୂଚନା ପାଇଥିଲୁ। ତାର ମଳ ନମୁନା ପରୀକ୍ଷାଗାରକୁ ପଠାଯାଇଥିଲା। କିନ୍ତୁ, ସେଥିରେ ସେମିତି କିଛି ଅସୁସ୍ଥତାର ଲକ୍ଷଣ ଆସିନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର