ଟ୍ରେନ୍‌ ଧକ୍କାରେ ୩ ହାତୀ ମୃତ୍ୟୁ ଘଟଣା: ଡାଙ୍ଗୁଆପଶିରେ ହେବ କଣ୍ଟ୍ରୋଲ ରୁମ୍‌

ବନ ବିଭାଗ ଓ ରେଳବାଇ ମଧ୍ୟରେ ସମନ୍ବୟ ବୈଠକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବାଂଶପାଣିସ୍ଥିତ ବେହେରାହଟିଂ ନିକଟରେ ୧୯ ତାରିଖ ସନ୍ଧ୍ୟା ସାଢ଼େ ୭ଟାବେଳେ ଟ୍ରେନ୍‌ ଧକ୍କାରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ହାତୀ ମୃତ୍ୟୁ ରୋକିବା ପାଇଁ ବନ ବିଭାଗ ଏବଂ ରେଳବାଇ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଆଜି କେନ୍ଦୁଝର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ବନ ବିଭାଗ ଓ ରେଳବାଇ ମଧ୍ୟରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମତ ପ୍ରକାଶ ପାଇଛି।

ଅଣ୍ଡରପାସ୍‌, ଓଭରପାସ୍‌ ନିର୍ମାଣ ପାଇଁ ଖୁବଶୀଘ୍ର ଜାଗା ଚିହ୍ନଟ
ରେଳବାଇ ଓ ବନ ବିଭାଗ ପକ୍ଷରୁ ହେବ ମିଳିତ ପାଟ୍ରୋଲିଂ

ବୈଠକରେ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଥିଲେ, ବନ ବିଭାଗ ଏବଂ ରେଳବାଇ ମଧ୍ୟରେ ସମନ୍ବୟ ଅଭାବରୁ ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟୁଛି। ଏହାକୁ ରୋକିବା ପାଇଁ ଉଭୟ ବିଭାଗର ଅଧିକାରୀମାନେ ବ୍ୟାପକ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ପୂର୍ବତଟ ରେଳବାଇ ଓ ଦକ୍ଷିଣପୂର୍ବ ରେଳବାଇର ରେଳଧାରଣରେ ବିଭିନ୍ନ ସମୟରେ ଟ୍ରେନ୍‌ ଧକ୍କାରେ ହାତୀଙ୍କ ମୃତ୍ୟୁ ଘଟୁଛି। ଦୁର୍ଘଟଣା ରୋକିବା ନାଲି ପତାକା ଓ ନାଲି ସ୍ପଟ୍‌ଲାଇଟ ଆପାତକାଳୀନ ସମୟରେ ବ୍ୟବହାର କରିବା ଉପରେ ଆଲୋଚନା ହୋଇଥିଲା। ଡାଙ୍ଗୁଆପଶିରେ ଏକ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା, ବ୍ୟାରିକେଡ, ଅଣ୍ଡରପାସ ଏବଂ ଓଭରପାସ୍‌ ନିର୍ମାଣ କରିବା ସହ ହାତୀ ଚଳାଚଳ ନେଇ ସତର୍କତା ସୂଚନାଫଳକ ଲଗାଇବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ହାତୀ ଚଳାଚଳ ପାଇଁ ଅଣ୍ଡରପାସ୍‌ ଏବଂ ଓଭରପାସ୍‌ ନିର୍ମାଣ କରିବାକୁ ଜାଜା ଚିହ୍ନଟ ହୋଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଅଣ୍ଡରପାସ୍‌ ଏବଂ ଓଭରପାସ ସପ୍ତାହେ ମଧ୍ୟରେ ଜାଗା ଚିହ୍ନଟ କରାଯିବ ବୋଲି ବୈଠକରେ କୁହାଯାଇଛି। ରେଳଧାରଣା ନିକଟରୁ ବୁଦା ସଫେଇ କରିବା ସହ ବନ ବିଭାଗ ଓ ରେଳବାଇ ପକ୍ଷରୁ ଯୁଗ୍ମ ପାଟ୍ରୋଲିଂ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଉଭୟ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ହାତୀ ଓ ବନ୍ୟପ୍ରାଣୀଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ସେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ବୟ ବୈଠକରେ ପୂର୍ବତଟ ରେଳବାଇ ଖୋର୍ଦ୍ଧା ଡିଭିଜନର ସିନିଅର ଡିଭିଜନାଲ ଅପରେସନାଲ ମ୍ୟାନେଜର କେ. ସନ୍ଦୀପ, ଆସିଷ୍ଟାଣ୍ଟ ଡିଭିଜନାଲ ଇଞ୍ଜିନିୟର ବିଜୟପାଲ ବନ, ଡିଭିଜନାଲ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ରାଉତ, ଚକ୍ରଧରପୁର ଦକ୍ଷିଣ-ପୂର୍ବ ରେଲବାଇର ଡାଙ୍ଗୁଆପଶି ଆସିଷ୍ଟାଣ୍ଟ ରେଲୱେ ମ୍ୟାନେଜର ବିନୟ କୁମାର ସିଂ, ଡାଙ୍ଗୁଆପଶି ଆସିଷ୍ଟାଣ୍ଟ ଡିଭିଜନାଲ ଇଞ୍ଜିନିୟର ରାଜେଶ କୁଆଁବତ୍, ଦକ୍ଷିଣ-ପୂର୍ବ ରେଲୱେର ଡିଭିଜନାଲ ଟ୍ରାଫିକ ଇନ୍‌ସପେକ୍ଟର ଗଗନ ବିହାରୀ ବେହେରା, ବନ ବିଭାଗର ଏସିଏଫ୍ ଘନଶ୍ୟାମ ମହାନ୍ତ, ଘଟଗାଁ ରେଞ୍ଜର ପ୍ରଭାତ ରଞ୍ଜନ କୁଅଁର, ସଦର ରେଞ୍ଜର ବିଦ୍ୟାଧର ସାହୁ, ଚମ୍ପୁଆ ରେଞ୍ଜର ସଞ୍ଜୀବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର