ଜୟପୁର: ବହୁ ପ୍ରତୀକ୍ଷିତ ୨୬ବର୍ଷ ତଳେ ଘଟିଥିବା କଳାହାଣ୍ଡି ଜିଲ୍ଲାର ଜୁନାଗଡ ନିକଟସ୍ଥ ଉପରଇନ୍ଦ୍ରାବତୀ ବାମ କେନାଲ ଖୋଳିବା କାମରେ ସରକାରୀ ଅର୍ଥ ତୋଷାରପାତ ମାମଲାରେ ଶୁଣାଣି କରି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତତ୍କାଳୀନ ୨ଜଣ ମୁଖ୍ୟଯନ୍ତ୍ରୀ ଅମ୍ବିକା ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ କୁମାର ଘୋଶଳ ଓ ତତ୍କାଳୀନ ନିର୍ବହୀ ଯନ୍ତ୍ରୀ ସଦାନନ୍ଦ ମିଶ୍ରଙ୍କୁ ତିନି ବର୍ଷ ସଶ୍ରମ କାରା ଦଣ୍ଡ ସହ ୫୦ହଜାର ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି। ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ୬ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ହେବାରୁ ତାଙ୍କୁ ମାମଲାରୁ ହଟାଇବା ସହ ବଳକା ୫ଜଣଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।
ସୂଚନା ଅନୁଯାୟୀ, ୧୯୯୬ ମସିହା ଫେବ୍ରୁଆରି ୯ତାରିଖ ବେଳେ ଉପରକୋଲାବ ବାମ କେନାଲ ଜୁନାଗଡ଼ର କେନାଲ ଖୋଲା କାମ ଚାଳିଥିଲା। ଏହି କେନାଲ କାମର ୭୩କିଲୋ ମିଟର ଠାରୁ ୮୪କିଲୋମିଟର ମଧ୍ୟରେ୭୭.୦୨୬କିଲୋମିଟର ଠାରୁ ୮୩କିଲୋମିଟ ପର୍ଯ୍ୟନ୍ତ ହୋଇଥିବା କାମରେ ଅଧିକା ୧କୋଟି ୬୬ଲକ୍ଷ ୪୧ହଜାର ୭୯୮ ଟଙ୍କା ଖର୍ଚ୍ଚ କରିଥିବା କେସ୍ ବୁକରେ ଦର୍ଶାଇ ଜାଲିଆତି କରି ଠିକାଦାର ଶ୍ରୀ ଅଗ୍ରୱାଲଙ୍କୁ ଦେଇ ସରକାରୀ ଅର୍ଥ ତୋଷାରପାତ ହୋଇଥିବା ଅଭିଯୋଗ ଭିଜିଲାନସ୍ ନିକଟରେ ୨୦୦୧ ମସିହା ସେପ୍ଟମ୍ବର ୨୫ତାରିଖ ଦିନ ହୋଇଥିଲା। ଭିଜିଲାନସ୍ ତଦନ୍ତ କରି ୯ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଠିକାଦାର ଜଣକ ଏହି କାମକୁ ୫କୋଟି ଟଙ୍କାରେ ନେଇଥିବା ବେଳେ କାମ ସାରିଥିଲେ ହେଁ ଅଧିକା ଟଙ୍କା ନେଇଥିବା ଅଭିଯୋଗକୁ ନେଇ ଭିଜିଲାନସରେ ମାମଲା ରୁଜୁ ହେବା ପରେ ସେ ଫାଇନାଲ ବିଲ୍ ଏ ଯାଏଁ ବି ପାଇ ନାହିଁ। ୫ ତତ୍କାଳୀନ ବୈଷୟିକ ଯନ୍ତ୍ରୀ ତଥା ଅଭିଯୁକ୍ତ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଶୁଭେନ୍ଦ୍ରୁ କୁମାର ମହାପାତ୍ର, ରାଜେନ୍ଦ୍ର କୁମାର ପଟ୍ଟନାୟକ, ପ୍ରାଣବନ୍ଧୁ ବେହେରା ଓ ଠିକାଦାର ଡମ୍ବୁରୁଧର ଅଗ୍ରୱାଲ ଏହି ମାମଲାରେ ସଂପୃ୍କ୍ତି ନଥିବା ମାମଲାର ଶୁଣାଣି ବେଳେ ଜଣା ପଡ଼ିବା ପରେ ସମସ୍ତଙ୍କୁ ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସେହିଭଳି ଅଭିଯୁକ୍ତ ଥିବା ବୈଷୟିକ ଯନ୍ତ୍ରୀ ରଘୁମଣି ପଟ୍ଟନାୟକଙ୍କର ଗତ ଜୁନ ୨୪ତାରିଖରେ ମୃତ୍ୟୁ ହୋଇଥିବାରୁ ଏହି ମାମଲାରୁ ତାଙ୍କୁ କାଟି ଦିଆଯାଇଛି। ଅନ୍ୟ ତିନି ଅଭିଯୁକ୍ତ ତତ୍କାଳୀନ ୨ଜଣ ମୁଖ୍ୟଯନ୍ତ୍ରୀ ଶ୍ରୀ ତ୍ରିପାଠୀ, ଶ୍ରୀ ଘୋଷଳ ଓ ତତ୍କାଳୀନ ନିର୍ବହୀ ଯନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତିନି ବର୍ଷ ସଶ୍ରମ କାରା ଦଣ୍ଡ ସହ ୫୦ହଜାର ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ରହିବାକୁ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପ୍ରଦୀପ କୁମାର ଦୋରା ମାମଲା ପରିଚାଳନା କରୁଥିଲେ। ତିନି ଦୋଷୀଙ୍କ ମଧ୍ୟରୁ ସଦାନନ୍ଦ ମିଶ୍ର ଆଜି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ କୋର୍ଟରୁ ଜାମିନରେ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ମାମଲାର ଶୁଣାଣି ସମୟରେ ଅନୁପସ୍ଥିତ ରହିଥିଲେ। ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଉଭୟ ଅଭିଯୁକ୍ତଙ୍କ ନାଁରେ ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଗିରଫ ପାରୱାନା ଜାରି କରିଥିବା କହିଛନ୍ତି ସ୍ବତନ୍ତ୍ର ପିପି ଦୋରା।