ପରଲୋକରେ ୩ ପ୍ରତିଷ୍ଠିତ ସାରସ୍ୱତ ସାଧକ

ପରଲୋକରେ ୩ ପ୍ରତିଷ୍ଠିତ ସାରସ୍ୱତ ସାଧକ

ଭୁବନେଶ୍ୱର : ରାଜ୍ୟର ତିନି ଜଣାଶୁଣା ତଥା ପ୍ରତିଷ୍ଠିତ ସାରସ୍ୱତ ସାଧକଙ୍କ ପରଲୋକ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ଡ. ଅଜାମ୍ବର ମଲ୍ଲ ଓ ସାହିତ୍ୟିକ ମହେନ୍ଦ୍ର ପ୍ରସାଦ ବାରିକଙ୍କ ଆଜି ପରଲୋକ ଘଟିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଇହଧାମରୁ ବିଦାୟ ନେଇଥିଲେ ସୁସାହିତ୍ୟିକ ବଳରାମ ନାଗ। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ତିନି ସାହିତ୍ୟିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି। ଓଡ଼ିଆ ନାଟ୍ୟ ସାହିତ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ବୀ ନାଟ୍ୟକାର, କବି, ଶିକ୍ଷାବିତ୍ ତଥା ସୃଜନ ଶ୍ରୀକ୍ଷେତ୍ରର ଅଧ୍ୟକ୍ଷ ଥିଲେ ସ୍ବର୍ଗତ ବାରିକ। କଟକରେ ଚିକିତ୍ସାଧୀନ ଅବସ୍ଥା‌ରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।

ଟିଟିଲାଗଡ଼ ଡିଏଭି କଲେଜର ପୂର୍ବତନ ପ୍ରାଧ୍ୟାପକ, ବାଗ୍ମୀ, ଗାଳ୍ପିକ ତଥା ସ୍ତମ୍ଭକାର ଡ. ମଲ୍ଲ କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗୀରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ଭୋର୍‌ ପ୍ରାୟ ୫ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। କେନ୍ଦ୍ରାପଡ଼ା ଆଳି ନିକଟସ୍ଥ ସାହୁପଡ଼ା ଗ୍ରାମରେ ୧୯୪୭ ମାର୍ଚ୍ଚ ୧ରେ ଜନ୍ମ ହୋଇଥିଲେ। ରୁକ୍ମିଣୀ ଓ ପରମେଶ୍ୱର ମଲ୍ଲଙ୍କ ସୁଯୋଗ୍ୟ ସନ୍ତାନ ଡ. ମଲ୍ଲ ରେଭେନ୍ସାରୁ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିଥିଲେ। ଶିକ୍ଷା ସମାପ୍ତି ପରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ୩୦ ବର୍ଷରୁ ଊର୍ଧ୍ବ କାଳ ଧରି ଅଧ୍ୟାପନା କ୍ଷେତ୍ରରେ କାର୍ଯ୍ୟ କରି ୨୦୦୭ରେ ଅବସର ଗ୍ରହଣ କରିଥିଲେ। ୨୦୧୦ରେ ‘ଦିଗ୍‌ବଳୟ ତଳେ’ ତାଙ୍କର ପ୍ରଥମ ପୁସ୍ତକ ପ୍ରକାଶ ପାଇଥିଲା। ଅଧ୍ୟାପନା ତାଙ୍କ ଜୀବନର ପେସା ହୋଇଥିବା ସ୍ଥଳେ ସାହିତ୍ୟ ସାଧନାରେ ସେ ଶେଷ ପର୍ଯ୍ୟନ୍ତ ମଗ୍ନ ଥିଲେ। ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ନିଜର ସାରସ୍ୱତ ସୃଷ୍ଟି ପାଇଁ ଅନେକ ସମ୍ମାନ ସହ ୨୦୧୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ସାରସ୍ୱତ ସମ୍ବର୍ଦ୍ଧିତ ପ୍ରତିଭା ପ୍ରାପ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe