ସୁନ୍ଦରଗଡ଼ : କନ୍ଦାଉଛି କରୋନା। ମଣିଷ ଆଖିରେ ଲୁହ ଶୁଖୁନି। ପ୍ରତି ଦିନ ହସ୍ପିଟାଲରୁ ମଶାଣି ଯାଏ ଦେଖିବାକୁ ମିଳୁଛି ଛାତି ଥରା ଦୃଶ୍ୟ। କେଉଁଠି ବାପା ଆଗରେ ପୁଅ ଆଖି ବୁଜୁଛି ତ କେଉଁଠି କୁନି ପିଲାଙ୍କୁ ଛେଉଣ୍ଡ କରି ଚାଲି ଯାଉଛନ୍ତି ବାପାମା। ପୁଣି କେଉଁଠାରେ ସଦ୍ୟ ବିବାହିତ ଝିଅ ମଥାରୁ ଲିଭିଛି ସିନ୍ଦୁର। ଏପରିକି ଗୋଟିଏ ପରିବାରର ଜଣକ ପରେ ଜଣେ ବାପା, ପୁଅ, ଭାଇ ମଶାଣିରେ ଶୋଇଯାଉଥିବା ଘଟଣା ଛାତିରେ ଛନକା ସୃଷ୍ଟି କରିଛି।
ସୁନ୍ଦରଗଡ଼ ସହର ରଙ୍ଗାଢିପାସ୍ଥିତ ବହିଦାର ପରିବାର ଏପରି ଦୁଃଖଦ ଘଟଣାକୁ ସାମ୍ନା କରିଛି। ସାତ ଦିନ ମଧ୍ୟରେ ଗୋଟିଏ ପରିବାର ୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ବାପା ପରେ କାକା ଓ ଶେଷକୁ ପୁଅ। ରଙ୍ଗାଢିପାର ଦୁଃଖିଜୀବନ ବହିଦାର ୮ ଦିନ ତଳେ କରୋନା ସଂକ୍ରମିତ ଜଣାପଡ଼ିଥିଲେ। କିନ୍ତୁ ବିଶେଷ ଲକ୍ଷଣ ନଥିବାରୁ ଗୃହ ସଂଗରୋଧରେ ଥିଲେ। ତେବେ ସଂକ୍ରମଣର ଦୁଇ ଦିନ ନଯାଉଣୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ମୃତ ଦୁଃଖିଜୀବନଙ୍କ ଭାଇ ହାଡ଼ୁ ବହିଦାର ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେ ମଧ୍ୟ ଗୃହ ସଂଗରୋଧରେ ଥାଇ ମେ’ ୧୫ରେ ପ୍ରାଣ ହରାଇଥିଲେ। ସୋମବାର ସକାଳ ସାଢ଼େ ୮ଟାରେ ଜୟପ୍ରକାଶ ହସ୍ପିଟାଲରେ ପୁଅ ବିକାଶ ବହିଦାର ଆଖି ବୁଜିଲେ। ବାପା, କାକାଙ୍କ ମୃତ୍ୟୁ ପରେ ବିକାଶ ସଂକ୍ରମିତ ଜଣାପଡ଼ିଥିଲା। ସଂକ୍ରମଣ ପରେ ସେ ସାମାନ୍ୟ ଅସୁସ୍ଥ ହେବାରୁ ମାତ୍ର ୨ ଦିନ ତଳେ ତାଙ୍କୁ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ରାଉରକେଲା ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା। ଏବେ ଘରେ ବିଧବା ମା’ ଓ ଭାଇ ଶୋକରେ ବୁଡ଼ିଛନ୍ତି। ଅନ୍ୟପଟେ କାକା ହାଡ଼ୁ ବହିଦାରଙ୍କ ପୁଅ ମଧ୍ୟ କରୋନା ସଂକ୍ରମଣରେ ଗୁରୁତର ହୋଇ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି।
ପ୍ରକାଶଯୋଗ୍ୟ, ବିକାଶ ୨ ମାସ ତଳେ ବିବାହ କରିଥିଲେ। କିନ୍ତୁ କୌଣସି ଏକ ଘଟଣାକୁ ନେଇ ନବ ବିବାହିତା ବିବାହ ପରଦିନ ହିଁ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏ ଘଟଣାରେ ସାରା ପରିବାର ଭାଙ୍ଗି ପଡ଼ିଥିବା ବେଳେ ମାତ୍ର ୭ ଦିନରେ ଭେଣ୍ଡିଆ ପୁଅ ସମେତ ୩ ଜଣଙ୍କ ମୃତ୍ୟୁ ପରିବାର ମୁଣ୍ଡରେ ଚଡ଼କ ପକାଇଛି।