ନୂଆଁଖାଇ ପୂର୍ବରୁ ପରିବାର ଛାରଖାର : ସ୍ତ୍ରୀ, ଝିଅଙ୍କୁ ବିଷ ପିଆଇ ନିଜେ ପିଇଦେଲେ; ୩ ମୃତ

ବରଗଡ଼/ବିଜେପୁର : ହର୍ଷ ଓ ଉଲ୍ଲାସର ପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଗୋଟିଏ ପରିବାର ଛାରଖାର୍ ହୋଇଯାଇଛି। ପାରିବାରିକ କହଳର କରୁଣ ପରିଣତି ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ ବେନିଆଚାଲ୍‌ ଗାଁରେ। ଘରର ମୁରବୀ ନିଜେ ବିଷ ପିଇବା ସହ ସ୍ତ୍ରୀ ଓ ୧୨ ବର୍ଷର ଝିଅକୁ ମଧ୍ୟ ବିଷ ପିଆଇ ଦେଇଥିଲେ। ଏଥିରେ ସମସ୍ତ ୩ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ସଂଧ୍ୟାରେ ଘଟିଥିବା ଏହି ଅଘଟଣ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ମୁତାବକ, ବେନିଆଚାଲ ଗାଁର ରଥ ମହାନନ୍ଦ (୪୫)ଙ୍କ ୪ ଝିଅ। ନିଜ ବଡ଼ ଝିଅକୁ ସେ ଯୁଗୀପାଲି ଗାଁରେ ବାହା ଦେଇଥିଲେ। ସେ ଝିଅ ଏବେ ଚାରି ମାସର ଗର୍ଭବତୀ। କିନ୍ତୁ ଶାଶୂଘର ସହ କିଛି ମତାନ୍ତର ଥିବାରୁ ସେ ବାପଘରେ ରହୁଥିଲେ। ଶନିବାର ଅପରାହ୍‌ଣରେ ରଥ ମହାନନ୍ଦଙ୍କ ଜ୍ବାଇଁ ଏବଂ ତାଙ୍କ କିଛି ସଂପର୍କୀୟ ବେନିଆଚାଲ ଗାଁକୁ ଆସିଥିଲେ। ସେମାନେ ବୋହୂକୁ ସାଂଗରେ ନେଇ ଯିବାକୁ ଜିଦ୍‌ କରିଥିଲେ। ହେଲେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପରେ ବୋହୂକୁ ନ ନେଇ ସମସ୍ତେ ଫେରି ଯାଇଥିଲେ। ଏହାପରେ ରଥ ମହାନନ୍ଦ ନିଜ ସ୍ତ୍ରୀ କୁମୁଦିନୀ ଏବଂ ସାନ ଝିଅ କବିତାକୁ ବିଷ ପିଆଇ ଦେଇଥିଲେ। ଆଉ ନିଜେ ମଧ୍ୟ ବିଷ ପିଇ ଦେଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଜେପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ସାନ ଝିଅ କବିତାଙ୍କ ମୃତ୍ୟୁ ଘଟିଥିଲା। ରଥ ଏବଂ ତାଙ୍କ ସ୍ତ୍ରୀ କୁମୁଦିନୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗୁରୁତର ଅବସ୍ଥାରେ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ରଥଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ବୋଲି ବିଜେପୁର ଥାନାଧିକାରୀ ରାଜେନ୍ଦ୍ର ସିଆଲ ସୂଚନା ଦେଇଛନ୍ତି। କୁମୁଦିନୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌କୁ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପାରିବାରିକ କହଳରୁ ହିଁ ଏଭଳି ଘଟିଥିବା ପୁଲିସ୍‌ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର