ବାରିପଦା‌ : ଗତ ୩ ବର୍ଷ ଭିତରେ ମୟୂରଭଞ୍ଜ ଜିଲ୍ଲା‌ରେ ୩ ଜଣ ମହିଳା ପ୍ରଶାସନିକ ଅଧିକାରୀ ଦୁର୍ନୀତିରେ ଲିପ୍ତ ହୋଇ ଚାକିରିରୁ ନିଲମ୍ବିତ ହେବା ସହ ନିଜ ବୃତ୍ତିକୁ ଅସମ୍ମାନ କରିଛନ୍ତି। ସେମାନେ ହେଲେ ଶ୍ୟାମାଖୁଣ୍ଟା ବ୍ଲକର ତତ୍କାଳୀନ ତହସିଲଦାର ସବିତା ସାହୁ, ବେତନଟୀ ତହସିଲଦାର ଅନିଶା ଦାସ ଓ ବଡ଼ସାହି ତହସିଲଦାର ମମତାଜ୍ ମହାରଣା।

Advertisment

ସବିତା ୨୦୧୪ରେ ଶ୍ୟାମାଖୁଣ୍ଟାର ତହସିଲଦାର ଥିବାବେଳେ ଏକ ଇଟାଭାଟି ପାଇଁ ଅନୁମତି ଦେବାକୁ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଓ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍‌ସ ହାତରେ ଧରାପଡ଼ିଥିଲେ। ଏହି ଘଟଣାରେ ସେ ଚାକିରିରୁ ନିଲମ୍ବିତ ହୋଇଥିଲେ। ନିକଟରେ କୋର୍ଟ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନିଶା ୨୦୨୦ରେ ବେତନଟୀ ତହସିଲଦାର ଥିଲା ବେଳେ ବାଲି ମାଫିଆଙ୍କ ସହ ତାଙ୍କର ବାର୍ତ୍ତାଳାପର ଅଡିଓ ଭାଇରାଲ୍‌ ହୋଇଥିଲା। ବାଲି ମାଫିଆଙ୍କ ସହ ସମ୍ପୃକ୍ତି ଥିବାର ପ୍ରମାଣ ମିଳିବାରୁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଏହି ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ସେ ହାଇକୋର୍ଟରୁ ଜାମିନ୍‌ ଆଣିଛନ୍ତି।

ଦୁର୍ନୀତି ମାମଲାରେ ସଦ୍ୟତମ ଉଦାହରଣ ହେଉଛନ୍ତି ବଡ଼ସାହି ବ୍ଳକର ତହସିଲଦାର ମମତାଜ ମହାରଣା। ନିଜ କାର୍ଯ୍ୟକାଳ ଭିତରେ ବାଲି ମାଫିଆ ଓ ଲିଜ୍‌ଧାରୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ସରକାରଙ୍କ ୧୭ କୋଟି ୭୨ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି କରିଛନ୍ତି ମମତାଜ। ଏ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି)ଙ୍କ ହସ୍ତକ୍ଷେପ ପରେ ପ୍ରଶାସନ ପକ୍ଷରୁ ତାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଗିରଫଦାରୀ ଏଡ଼ାଇବା ପାଇଁ ଏପ୍ରିଲ ୩୦ ତାରିଖରୁ ସେ ଫେରାର ଅଛନ୍ତି। ଗତକାଲି ତାଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି।