ସ୍କୁଟି ଉପରେ ଚଢ଼ିଗଲା ବସ୍‌ : ୩ ଫୁଟ୍‌ବଲ୍‌ ଖେଳାଳି ମୃତ

ରାଜଗାଙ୍ଗପୁର : ଫୁଟ୍‌ବଲ୍‌ ଖେଳ ସାରି ଗୋଟିଏ ସ୍କୁଟିରେ ଫେରୁଥିଲେ। ଏହି ସମୟରେ ଏକ ଯାତ୍ରୀବାହୀ ବସ୍‌ ସେମାନଙ୍କୁ ଧକ୍କା ଦେଲା। ଘଟଣାସ୍ଥଳରେ ହିଁ ୩ ଜଣ ଖେଳାଳିଙ୍କର ପ୍ରାଣବାୟୁ ଉଡ଼ିଗଲା। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷଠାରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଖବର ଲେଖା ହେଲାବେଳକୁ ଉତ୍ତେଜନା ପ୍ରଶମିତ ହୋଇ ନ ଥିବା ଜଣାପଡ଼ିଛି।

ମୃତ ଯୁବକମାନେ ହେଲେ, ହେମନ୍ତ ବାଡା, ସନ୍ଦୀପ ପ୍ରଧାନ ଓ କ୍ରିଷ୍ଣା ପ୍ରଧାନ। ଆହତ ଯୁବକ ହେଉଛନ୍ତି ଦେବେନ୍ଦ୍ର ରାଉତ। ସୂଚନା ଅନୁସାରେ, ସେମାନେ ସମସ୍ତେ ସାନବର୍ଷାଠାରେ ଆୟୋଜିତ ଏକ ଫୁଲବଲ୍‌ ପ୍ରତିଯୋଗିତାରେ ଭାଗ ନେଇ ଖେଳ ଶେଷ ହେବା ପରେ ଘରକୁ ଫେରୁଥିଲେ। କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଦଲ୍‌କି ଅଞ୍ଚଳର ଏହି ୪ ଜଣ ଯୁବକ ଓଆର୍‌ ୧୬ଏଫ ୪୫୬୫ ନମ୍ବର ହୋଣ୍ଡା ଆକ୍ଟିଭା ଭିକ୍ଟର୍‌ ସ୍କୁଟିରେ କୁତ୍ରା-ଦଲ୍‌କି ରାସ୍ତାରେ ଆସୁଥିଲେ। ଲକ୍ଷ୍ମୀପୋଷର ଜ୍ଞାନପାଲିଠାରେ ସେମାନଙ୍କ ସ୍କୁଟି ସହିତ ଓଆର ୧୪ଏଲ୍‌ ୧୨୭୯ ନମ୍ବର ‘ପବନପୁତ୍ର ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ଟି ସ୍କୁଟି ଉପରେ ଚଢିଯିବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିବା ଦେବେନ୍ଦ୍ର ରାଉତଙ୍କୁ ଚିକିତ୍ସା ପାଇଁ ଜାମବାହାଲ ହସ୍ପିଟାଲ୍‌କୁ ନିଆଯାଇଥିଲା।

ପରେ ତାଙ୍କୁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ଏବଂ ଲାଞ୍ଜିବେର୍ଣ୍ଣା ଫାଣ୍ଡି ଅଧିକାରୀ କୈଳାସ ମୁଣ୍ଡା ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ସେମାନଙ୍କୁ ବୁଝାଇ ଶାନ୍ତ କରିବାଲାଗି ଚେଷ୍ଟା କରୁଥିବା ଜଣାପଡ଼ିଛି। ତେବେ, ଖବର ହସ୍ତଗତ ହେବା ସୁଦ୍ଧା ସେଠାରେ ଉତ୍ତେଜନା ହ୍ରାସ ପାଇନାହିଁ। ଅନ୍ୟପକ୍ଷରେ, ଦୁର୍ଘଟଣା ଘଟିବା ପରେ ବସ୍‌ର ଚାଳକ ପୁଲିସ୍‌ ପହଞ୍ଚିବା ପୂର୍ବରୁ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର