ତିନି ଦିନରେ ୨ ମୃତ ହାତୀ ଠାବ; ୩ ବନ କର୍ମଚାରୀ ନିଲମ୍ବିତ

ବୌଦ୍ଧ: ବୌଦ୍ଧ ରେଞ୍ଜ ବଘିଆପଡ଼ା ଅଞ୍ଚଳରେ ପୁଣି ଏକ ଦନ୍ତାହାତୀର ଶବ ଠାବ ହୋଇଛି। ତିନି ଦିନରେ ଏହା ଦ୍ବିତୀୟ ଘଟଣା। ମଙ୍ଗଳବାର ସଂଧ୍ୟାରେ ଭୁର୍କିପଡ଼ା ନିକଟ ଜାମୁଖୋଲ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀର ଶବ ମିଳିଥିଲା। ବଘିଆପଡ଼ା ସେକ୍‌ସନ ଅନ୍ତର୍ଗତ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲର ୮ନଂ କମ୍ପାର୍ଟମେଣ୍ଟର ଏକ ନାଳରେ ବନ ବିଭାଗ ପୁଣି ଏକ ଦନ୍ତାହାତୀ ଶବ ଠାବ କରାଯାଇଛି।

ସୂଚନା ଅନୁସାରେ, ବଘିଆପଡ଼ା ସେକ୍‌ସନ ଅନ୍ତର୍ଗତ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ବୁଧବାର ଠାବ ହୋଇଥିବା ହାତୀର ମୁହଁ ନିକଟରେ କାଟି ଦିଆଯାଇଛି। ତେବେ, ଘଟଣାକୁ ଚପାଇ ଦେବା ପାଇଁ ବନ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଥିଲା। ରାତାରାତି ଜେସିବିରେ ଗାତ ଖୋଳି ଶବକୁ ପୋତି ଦିଆଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଗଣମାଧ୍ୟମ ପ୍ରତିନିଧିମାନେ ବୁଧବାର ରାତି ସାରା ଫୋନରେ ବନ ଅଧିକାରୀ ଓ କର୍ମଚାରୀଙ୍କ ସହ‌ ଯୋଗାଯୋଗ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ଗୁରୁବାର ସକାଳେ ଗଣମାଧ୍ୟମ ପ୍ରତିନିଧିମାନେ ଜଙ୍ଗଲରେ ଖୋଜି ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଘଟ ହୋଇଛି। ଡିଏଫ୍‌ଓ ଦେବପ୍ରିୟ କମ୍ପ ଦନ୍ତା ଶିକାର ବିଷୟରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ପ୍ରଥମ ଦିନ ଠାବ ହୋଇଥିବା ହାତୀ ଦନ୍ତା ଥିଲା। ତାକୁ ଦାନ୍ତ ପାଇଁ ଶିକାର କରାଯାଇଥିବା ଜଣାଯାଇଛି। ହେଲେ ଶରୀରରେ ଗୁଳି ଥିବା ମେଟାଲ ଡିଟେକ୍ଟରେ ଜଣାଯାଇ ନାହିଁ। ଦ୍ବିତୀୟ ହାତୀର ଲିଙ୍ଗ ଚିହ୍ନଟ ହୋଇ ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି।

ବୌଦ୍ଧ ବନାଞ୍ଚଳରେ ୩ ଦିନ ମଧ୍ୟରେ ଦୁଇଟି ହାତୀଙ୍କ ମୃତଦେହ ଠାବ ହୋଇଛି। ଦାୟିତ୍ବରେ ଅବହେଳା କରିଥିବା ଅଭିଯୋଗରେ ୩ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବୌଦ୍ଧ ଡିଏଫ୍‌ଓ ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି। ସେମାନେ ହେଲେ ହାତୀ ସୁରକ୍ଷା ଦାୟିତ୍ବରେ ଥିବା ଫ‌ରେ‌ଷ୍ଟର ସୁଶୀଲ ହୋତା, ସଂପୃକ୍ତ ଅଞ୍ଚଳର ଫରେଷ୍ଟଗାର୍ଡ ଜ୍ୟୋତି ରଞ୍ଜନ ବାରିକ ଓ ଶରତ ଚନ୍ଦ୍ର ନାଏକ।

ସମ୍ବନ୍ଧିତ ଖବର