କୋଭିଡ୍‌ରେ ମୃତ ମହିଳାଙ୍କ ଶବ ଦାହ କଲେ ୩ ବନ୍ଧୁ

ସୁନ୍ଦରଗଡ଼: ମଶାଣିର ବନ୍ଧୁ ଭାବେ ପରିଚିତ ସିଦ୍ଧାନ୍ତ ପଣ୍ଡା, ମନୋଜ ତ୍ରିପାଠୀ ଓ ଶିଶିର ବେହେରା ଆଜି ପୁଣି ଜଣେ କୋଭିଡ ସଂକ୍ରମଣରେ ମୃତ ମହିଳାଙ୍କ ଶବ ସତ୍କାର କରିଛନ୍ତି। ସ୍ଥାନୀୟ ଭବାନୀଭବନ ଅଞ୍ଚଳର ନାରାୟଣ ଦଲୱାନିଙ୍କ ପତ୍ନୀ ଇନ୍ଦିରା (୬୦)ଙ୍କ ରାଉରକେଲା ହାଇଟେକ କୋଭିଡ଼ ହସ୍ପିଟାଲରେ ସକାଳ ୯ଟାରେ ପ୍ରାଣ ହରାଇଥିଲେ। ଶବ ସୁନ୍ଦରଗଡ଼ ପହଞ୍ଚିଥିଲେ ମଧ୍ୟ ପରିବାର ଲୋକେ ଶବ ସତ୍କାର କରିବାକୁ ୩ ବନ୍ଧୁଙ୍କୁ ଖୋଜିଥିଲେ। ଅପରାହ୍ନ ୧ଟାରେ ପିପିଇ କିଟ ପିନ୍ଧି ୩ ବନ୍ଧୁ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ପାଳନ ପୂର୍ବକ ଶବ ସତ୍କାର କରିଥିଲେ। ଏମାନଙ୍କ ଏ ମହତ କାର୍ଯ୍ୟକୁ ପ୍ରଥମେ ‘ସମ୍ବାଦ’ ଲୋକଲୋଚନକୁ ଆଣିବା ପରେ ଜିଲ୍ଲା ସମେତ ଜିଲ୍ଲା ବାହାର ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନରୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ସ୍ଥାନୀୟ ବିଧାୟିକା କୁସୁମ ଟେଟେ ଓ ରୋଟାରି କ୍ଲବ ସମ୍ମାନିତ କରିଥିଲେ।

ତେବେ ମହାମାରୀ କରୋନା ସମୟରେ ଲୋକ ଭୟରେ ଶବର ପାଖ ମାଡ଼ୁ ନଥିବା ବେଳେ ୩ ବନ୍ଧୁ ନିଜ ଜୀବନକୁ ବାଜି ଲଗାଇ ବିନା ଦ୍ଵିଧାରେ ଶବ ସତ୍କାର କରି ଆସୁଛନ୍ତି। କିନ୍ତୁ ପ୍ରଶାସନ, ସରକାର ଏମାନଙ୍କ ପ୍ରତି ଅଣଦେଖା କରୁଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଡାକ୍ତର, ନର୍ସ, ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଓ ପୁଲିସ ପରି ଏମାନେ ମଧ୍ୟ ସେବା ଜାରି ରଖିଥିବାରୁ ସରକାର ୩ ବନ୍ଧୁଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେଇ ସମ୍ମାନିତ କରିବାକୁ ଜିଲ୍ଲାରୁ ଦାବି ଉଠିଛି।

ସମ୍ବନ୍ଧିତ ଖବର