କୁଶଭଦ୍ରାରେ ଭାସିଗଲେ ୩ ଛାତ୍ର

ନିମାପଡ଼ା/ପୁରୀ: ଆଜି ଅପରାହ୍ନରେ ନିମାପଡ଼ା ନିକଟସ୍ଥ କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ତିନି ଜଣ ଛାତ୍ର ଭାସି ଯାଇଛନ୍ତି। ଘଟଣାସ୍ଥଳରେ ଖୋଜାଖୋଜି କରିବା ପରେ ସନ୍ଧ୍ୟା ସୁଦ୍ଧା ଦୁଇ ଜଣ ଛାତ୍ରଙ୍କର ମୃତ ଦେହ ମିଳିଛି। ମୃତକ ଛାତ୍ରଦ୍ବୟ ହେଲେ ନିମାପଡ଼ା ସ୍ବୟଂଶାସିତ କଲେଜର ବାଣିଜ୍ୟ ବିଭାଗ ଛାତ୍ର ତେଜେଶ୍ବର ମହାନ୍ତି ଓ ନିମାପଡ଼ା ଡିଏଭି ସ୍କୁଲର ଦଶମ ଶ୍ରେଣୀ ଛାତ୍ର କମଳ ଲୋଚନ ଜେନା। ତେଜେଶ୍ବରଙ୍କ ଘର ପୁରୀ ମାଟିଆପଡ଼ାରେ ହୋଇଥିବା ବେଳେ କମଳଙ୍କ ଘର ନିମାପଡ଼ାରେ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍‌ ଟିମ୍‌ ଅନ୍ୟ ଜଣଙ୍କୁ ଖୋଜିବା ଜାରି ରଖିଛନ୍ତି। ତେବେ ଖବର ଲେଖା ହେବା ସୁଦ୍ଧା ନିଖୋଜ ଛାତ୍ର ଜ୍ୟୋତିରଂଜନ ସାହୁଙ୍କର ପତ୍ତା ମିଳିନାହିଁ। ଜ୍ୟୋତିରଂଜନ ନିମାପଡ଼ା ସ୍ବାଧୀନ ଆବାସିକ ଜୁନିଅର୍‌ କଲେଜ୍‌ର ଛାତ୍ର ଏବଂ ତାଙ୍କ ଘର ନିମାପଡ଼ା ନିକଟସ୍ଥ ଶ୍ୟାମସୁନ୍ଦରପୁରରେ ବୋଲି ସୂଚନା ମିଳିଛି।

ଆଜି ଅପରାହ୍ନରେ ଏହି ଛାତ୍ରମାନେ କୁଶଭଦ୍ରା ନଦୀର ପ୍ରହରାଜ ସାହି ଘାଟକୁ ଗାଧୋଇବାକୁ ଯାଇଥିଲେ। ସେମାନେ ନଦୀରେ ଭାସିଯାଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ କର୍ମଚାରୀମାନେ ନଦୀ ଭିତରେ ଖୋଜାଖୋଜି ଆରମ୍ଭ କରିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅଗ୍ନିଶମ କର୍ମଚାରୀ ତେଜେଶ୍ବରଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ କଟକରୁ ଆସିଥିବା ଓଡ୍ରାଫ୍‌ ଟିମ୍‌ ରାତି ୯ଟା ୪୫ରେ କମଳ ଲୋଚନଙ୍କ ଶବ ଉଦ୍ଧାର କରିଥିଲେ। ଏବେ ନଈରୁ ବାଲି ଖୋଳା ଯାଇଥିବାରୁ ଖାଲରେ ପଡ଼ି ଏହି ତିନି ଛାତ୍ର ନିଖୋଜ ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଛନ୍ତି। ତିନି ଜଣ ଛାତ୍ର ତିନୋଟି ଅଲଗା ଅଲଗା ଶିକ୍ଷାନୁଷ୍ଠାନର ହୋଇଥିବାରୁ ସେମାନେ କିପରି ଏକାଠି ହେଲେ ତାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର