ଉତ୍କେଲା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥ କୋକୋମୁଣ୍ଡା ଗ୍ରାମର ପେଟ୍ରୋଲ ପମ୍ପ ସାମ୍ନାରେ ସଡ଼କ ଦୁର୍ଘଟଣାରେ ରବିବାର ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଆହତ ଥିବା କୋକସରା ଥାନା ବେହେରା ଗ୍ରାମର ଶଙ୍କର ନାଏକଙ୍କ ପୁଅ ଅଶୋକ ନାଏକ (୨୫ ବର୍ଷ) ଙ୍କ ସୋମବାର ଭୋରରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଅନ୍ୟ ୨ ମୃତକଙ୍କ ସମ୍ପୂର୍ଣ୍ଣ ଠିକଣା ସୋମବାର ଜଣାପଡ଼ିଛି। ଜଣେ ମୃତକ ସମ୍ବଲପୁର ଜିଲ୍ଲା ଗୋବିନ୍ଦତୋଳା ନିବାସୀ ବସନ୍ତ ଦାଶଙ୍କ ପୁଅ ନିଶାନ୍ତ ଦାଶ (୨୯ ବର୍ଷ)। ସେ ଟିଟିଲାଗଡ଼ ବ୍ଲକ୍ରେ ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଜାନୁଆରି ୨୩ ତାରିଖରେ ତାଙ୍କର ନିର୍ବନ୍ଧ ଥିଲା। ଅନ୍ୟ ଜଣେ ଟିଟିଲାଗଡ଼ ଥାନା ଟିଟିଲାଗଡ଼ ଗ୍ରାମର ଭୈରବ ସରାଫଙ୍କ ପୁଅ ଓମପ୍ରକାଶ ସରାଫ (୨୧ ବର୍ଷ)। ତିନି ସାଙ୍ଗଙ୍କ ମଧ୍ୟରୁ ଜଣେ ସରକାରୀ ଚାକିରି କରିଥିବା ବେଳେ ଅନ୍ୟମାନେ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ।
ସୂଚନାଥାଉ କି ଏମାନେ ଭବାନୀପାଟଣା ଠାରୁ କେସିଙ୍ଗା ପଟେ ଗୋଟାଏ ବାଇକ୍ (ଓଡି୧୫ଏଲ୍-୧୨୫୫) ରେ ଯାଉଥିଲେ। ରବିବାର ରାତି ୮ଟାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ତାଳ ଗଛକୁ ଧକ୍କା ଦେଇଥିଲେ। ସୋମବାର ୩ ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କେସ୍ ନଂ ୨୮/୨୦୨୨ ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି କେସିଙ୍ଗା ଥାନା ଏସ୍ଆଇ ଧର୍ମାଲୁ ମୋହନ ପ୍ରକାଶ କରିଛନ୍ତି।