ଭଦ୍ରକ: ଜିଲା ତଥା ଦୌରା ଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ତିହିଡିର ବହୁଚର୍ଚ୍ଚିତ କାଳିଆ ଓରଫ ପ୍ରସନ୍ନ ହତ୍ୟା ମାମଲାର ଦୋଷୀ ତଥା ପିରାହାଟ ଗ୍ରାମର ନାଳତେଇ ଗ୍ରାମର ଦେବେନ୍ଦ୍ର ପତି, ଇତିଶ୍ରୀ ପତି, ସୁକୁନୁ ଓରଫ ଦେବେନ୍ଦ୍ର ପାଢୀଙ୍କୁ ୩୦୨ ଦଫାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁଣି ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ସେହିପରି ହତ୍ୟାର ଷଡଯନ୍ତ୍ର ଓ ସହାୟତା କରିଥିବା କାରଣରୁ ଇତିଶ୍ରୀର ଅନ୍ୟ ଦୁଇ ଭାଇ ଦାମୋଦର ପାଢ଼ୀ ଓ ନାରାୟଣ ପାଢୀଙ୍କୁ ୨୦୧ ଦଫାରେ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଓ ଅନାଦେୟ ପୁଣି ୬ ମାସ ଦଣ୍ଡାଦେଶ ଶୁଣାଇଛନ୍ତି।
ଘଟଣାରୁ ପ୍ରକାଶ ଯେ ୨୦୨୦ମାର୍ଚ୍ଚ ୩ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ଗ୍ରାମର ମନୋଜ ସାହୁଙ୍କ ପତ୍ନୀ ସାବିତ୍ରୀ ସାହୁ ଅଭିଯୋଗ କରିଥିଲେ ଯେ ସେ ବିବାହ ପରେ ନିଜ ବାପ ଘର ପିରାହାଟ ଥାନା ଅନ୍ତର୍ଗତ ଶଙ୍କିଲୋ ଗ୍ରାମରେ ରହି ସେହି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପାଚିକା ଭାବେ କାମ କରୁଥିଲା। ମାତ୍ର ତାଙ୍କ ପୁତ୍ର ପ୍ରସନ୍ନ ଓରଫ କାଳିଆ (୨୪) ତାଙ୍କ ବାପ ଘରେ ପିଲାବେଳୁ ରହି ଆସୁଥିଲା ସେ ୪/୫ ମାସ ହେବ ଭଦ୍ରକ ପୌରପାଳିକାରେ କାମ କରୁଥିଲା ଓ ରାତିରେ ଫେରି ଆସି କୋହ୍ଲ ବଜାରରେ ଥିବା ଏକ କ୍ଲବରେ ଅନେକ ସମୟରେ ରାତ୍ରି ଜାପାନ କରେ। ସେଠାରୁ ଗତ ୨୦୨୦ ମସିହା ଜାନୁଆରି ମାସ ୨୫ ତାରିଖରୁ ସେ ନିଖୋଜ ଥିଲା। ଏ ବିଷୟରେ ପୋଲିସକୁ ଗତ ୨୦୨୦ ମସିହା ଫେବ୍ରୁଆରି ମାସ ୨ ତାରିଖରେ ସାବିତ୍ରୀ ଜଣାଇ ଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ପରେ ସେ ସେହି ବର୍ଷ ମାର୍ଚ ମାସ ୫ ତାରିଖରେ ତିହିଡି ଥାନାରେ ଏକ ଲିଖିତ ଏତେଲା ଦେଇ ଅଭିଯୋଗ କରିଥିଲେ ଯେ ପ୍ରାୟ ବର୍ଷେ ତଳେ ପିରାହାଟ ଥାନା ନାଳତେଇପୁର ଗ୍ରାମର ସୁକନ ଓରଫ ଦେବ ପାଢି ସହ ବର୍ଷେ ତଳେ ମାନମତାନ୍ତର ଓ ଝଗଡା ହୋଇଥିଲା ଓ ଏହା ମିଳାମିଶା ହୋଇ ଯାଇଥିଲା। ସେ ଦିନରୁ ଦେବ ତାଙ୍କ ପୁଅ ସହ ମିଳାମିଶା କରୁଛି। ପୂର୍ବ ରାଗରୁ ଦେବ ହୁଏ ତ ତାଙ୍କ ପୁଅକୁ ଅପହରଣ କରି ନେଇ ଲୁଚେଇ ରଖିଛି କିମ୍ବା ମାରି ଦେଇଛି। ତେବେ ସେଦିନ ରାତିରେ ତାଙ୍କ ପୁଅ କାଳିଆ ସହ କୋହ୍ଲ ବନମାଟିଆ ଗ୍ରାମର କଟୁ ପଣ୍ଡା ପିତା- ନୃଶିଙ୍ଘ, ବନମାଟିଆ ସାହିର ପବନା ମାହାଳିକ ପିତା- ପୀତବାସ, ନାଳତେଇ ପୁର ଗ୍ରାମର ଧନୀ ପାଢିଙ୍କ ପୁଅ ଦେବେନ୍ଦ୍ର ପାଢି (ଶୁକନ) ମିଶି ଖାଇବା ପିଇବା କରିଛନ୍ତି। ଏହି ଏତେଲାକୁ ଭିତ୍ତି କରି ତିହିଡି ଥାନାରେ କେସ ନଂ- ୭୪/୨୦୨୦ ଦଫା-୩୬୩, ୩୬୫, ୩୪ରେ ଏକ ମାମଲା ରୁଜୁ ହୋଇଥିଲା।
ତଦନ୍ତ ସମୟରେ ପୁଲିସ ସୁକୁନା ଓରଫ ଦେବେନ୍ଦ୍ରକୁ ସେହି ବର୍ଷ ମାର୍ଚ୍ଚ ମାସ ୧୨ ତାରିଖରେ ଥାନାକୁ ଆଣି ପଚରାଉଚୁରା କରିବା ବେଳେ ସେ ସ୍ଵୀକାର କରିଥିଲା ତାଙ୍କ ବିବାହିତା ଭଉଣୀ ଇତିଶ୍ରୀ ସହ କାଳିଆର ଅନୈତିକ ସମ୍ପର୍କ ଥିଲା ଓ ଇତିଶ୍ରୀର ସ୍ଵାମୀ ଦେବେନ୍ଦ୍ର ପତି ଏହା ଜାଣି ଯିବାରୁ ସେ କାଳିଆକୁ ରାସ୍ତାରୁ ହଟେଇବା ପାଇଁ ଚାହୁଁ ଥିଲା। ଦେବେନ୍ଦ୍ର କୋଲକତାରେ ରହୁଥିବାରୁ ଇତିଶ୍ରୀକୁ ସାଥିରେ ନେଇ ଯାଇଥିଲା। ଗତ ଜାନୁଆରି ୨୩ ତାରିଖ ଦିନ ତା ଭଉଣୀ ଇତିଶ୍ରୀ ଓ ଭିଣେଇ ଦେବେନ୍ଦ୍ର କୋଲକତାରୁ ଫେରିଥିଲେ ଓ କାଲିଆକୁ ତାଙ୍କ ଘରକୁ ସାଥିରେ ଡାକି ଆଣିବା ପାଇଁ ତାକୁ କହିଥିଲେ। କାଳିଆକୁ ସେ ସାଥିରେ ନେଇ ଯାଇଥିଲା ଓ ସେଠାରେ ପହଞ୍ଚିବା ପରେ ଇତିଶ୍ରୀ ଓ ଦେବେନ୍ଦ୍ର ଓରଫ ସୁକୁନୁ ଏକ ପ୍ଲାଷ୍ଟିକ ରଶିରେ କାଳିଆକୁ ବାନ୍ଧି ଦେଇ ଖଟ ଉପରେ ଶୁଆଇ ଦେଇଥିଲେ ଓ ଇତିଶ୍ରୀର ସ୍ଵାମୀ ଦେବେନ୍ଦ୍ର ପତି ତାକୁ ପିଟିପିଟି ସେହିଠାରେ ମାରି ଦେଇଥିଲା। ସେ ମରିଯିବା ପରେ ଇତିଶ୍ରୀ ନିଜର ଅନ୍ୟ ଦୁଇ ଭାଇ ଦାମୋଦର ପାଢି ଓ ନାରାୟଣ ପାଢିଙ୍କୁ ଖବର ଦେବାରୁ ସେମାନେ ଆସି ପହଞ୍ଚିଥିଲେ ଓ ସମସ୍ତେ ମିଶି କାଳିଆର ମୃତ ଶରୀରକୁ ସେହି ଗ୍ରାମର ବୋଇଷ୍ଣବ ଗୋହିରୀ କେନାଲ ନିକଟରେ ଗାତ ଖୋଳି ପୋତି ଦେଇଥିଲେ। ସେ ପୋଲିସ ସହ ଯାଇ କାଳିଆ ପୋତା ଯାଇଥିବା ସ୍ଥାନକୁ ଚିହ୍ନେଇ ଦେଇଥିଲା। ସେହି ଅନୁଯାୟୀ ପୋଲିସ ଦେବେନ୍ଦ୍ର ପତି ତାଙ୍କ ପତ୍ନୀ ଇତିଶ୍ରୀ, ଇତିଶ୍ରୀର ୩ ଭାଇ ଦେବେନ୍ଦ୍ର ପାଢି, ନାରାୟଣ ପାଢି, ଦାମୋଦର ପାଢିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବିଚାର ଶେଷରେ ଆଜି ମାନ୍ୟବର ଜିଲ୍ଲା ବିଚାରପତି ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଦେବେନ୍ଦ୍ର ପତି ତାଙ୍କ ପତ୍ନୀ ଇତିଶ୍ରୀ, ଇତିଶ୍ରୀର ୩ ଭାଇ ସୁକୁନୁ ଓରଫ ଦେବେନ୍ଦ୍ର ପାଢି ବିଚାରାଧୀନ ବନ୍ଦୀ ଭାବରେ ଜେଲରେ ସେହି ଦିନରୁ ଅଟକ ରହିଥିବା ବେଳେ ଇତିଶ୍ରୀର ଅନ୍ୟ ଦୁଇ ଭାଇ ନାରାୟଣ ପାଢି, ଦାମୋଦର ପାଢି ଜାମିନରେ ଅଛନ୍ତି। ସରକାରଙ୍କ ତରଫରୁ ପବ୍ଲିକ ପ୍ରାସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ ମାମଲା ପରିଚାଳନା କରୁଥିଲେ।