ଭଗବାନ ସାମଲ ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ ଜେଲ୍ ଜାମିନରେ ଆସି ଜଣେ ଅଭିଯୁକ୍ତ ହତ୍ୟାର ଶିକାର ହୋଇଥିଲେ

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ଜାହାଡ଼ା ଗ୍ରାମରେ ୨୦୧୩ ଡିସେମ୍ବର ୧୧ ତାରିଖରେ ଘଟିଥିବା ଭଗବାନ ସାମଲ ହତ୍ୟାକାଣ୍ଡର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଆସିକା ଅତିରିକ୍ତ ଗଞ୍ଜାମ ଜିଲ୍ଲା ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ମାମଲାର ବିଚାରଣା କରି ତିନିଜଣ ଅଭିଯୁକ୍ତ ଭଗବାନ ଖଟେଇ, କାଳିଆ ପ୍ରଧାନ ଓ ହେମନ୍ତ ସ୍ଵାଇଁକୁ ଦୋଷୀ ସାବ୍ୟସ୍ତ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟସ୍ଥଳେ ଅଧିକ ୪ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି।

ଘଟଣା ଦିନ ସନ୍ଧ୍ୟାରେ ଭଗବାନ ନିଜ ଘର ପିଣ୍ଡାରେ ବସିଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଭଗବାନ, ପ୍ରତାପ ଖଟେଇ, କାଳିଆ ଓ ହେମନ୍ତ ତାଙ୍କୁ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଭଗବାନଙ୍କ ମୃତ୍ୟୁ ଘଟିଥିଲା। ପତ୍ନୀ ପ୍ରଭାସିନୀଙ୍କ ଅଭିଯୋଗ ଆଧାରରେ ଧରାକୋଟ ଥାନାରେ କେସ୍ ନମ୍ବର ୧୨୭/୧୩ରେ ହତ୍ୟା ମାମଲା ରୁଜୁ ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

ତେବେ କିଛିଦିନ ପରେ ଅଭିଯୁକ୍ତମାନେ ଜାମିନରେ ଆସିଥିଲେ। ଦୁଇବର୍ଷ ତଳେ ଅଭିଯୁକ୍ତ ପ୍ରତାପଙ୍କୁ ପ୍ରତିପକ୍ଷ ଗୋଷ୍ଠୀର ଲୋକେ ହତ୍ୟା କରିଥିଲେ। ପୁଲିସ ଚାର୍ଜସିଟ୍ ଦାଖଲ ପରେ ଆସିକା ଏଡିଜେ କୋର୍ଟରେ ମାମଲାର ବିଚାରଣା ଚାଲିଥିଲା। ତତ୍କାଳୀନ ଧରାକୋଟ ଥାନାଧିକାରୀ ରାମଚନ୍ଦ୍ର ବିଶ୍ବାଳଙ୍କ ସମେତ ମୋଟ ୧୧ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଆଜି ଏଡିଜେ ଶ୍ରୀ ଚୌଧୁରୀ ଉପ‌ରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ସୁଧାଂଶୁ କୁମାର ପଣ୍ଡା ଓ ଜି. ସୂର୍ଯ୍ୟପ୍ରକାଶ ରାଓ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର