ବିଷ ପିଇଲେ ତିନି ବଉଳ : ଦୁଇ ବିବାହିତ, ଜଣେ ଅବିବାହିତ, ଜଣଙ୍କ ମୃତ୍ୟୁ, ଆଉ ଦୁଇ ସଙ୍କଟାପନ୍ନ, ଭୁବନେଶ୍ବର ସ୍ଥାନାନ୍ତର

ପୁରୀ : କରୋନା ମାଡ଼ରେ ଜୀବନର ସ୍ବାଦ ପାଣିଚିଆ ଲାଗିଲାଣି। ମାନସିକ ଅବସାଦ ବି ବଢ଼ିଚାଲିଛି। ଜୀବନ-ଜୀବିକା ଭିତରେ ପେଶି ହେଉଥିବା ମଣିଷ ବଂଚିବା ପାଇଁ ସଂଘର୍ଷ କରୁଥିବା‌ ବେଳେ କିଛି ଅସ୍ବାଭାବିକ ଘଟଣା ଛାତି ଥରାଇ ଦେଉଛି। ଯାହା କେବେ କାନ ଶୁଣିନଥିଲା, ଆଖି ଦେଖିନଥିଲା ସେ ସବୁ ଏବେ ଦେଖିବାକୁ ମିଳିଛି। ଏମିତି ଏକ ବିରଳ ତଥା କରୁଣ ଘଟଣା ସମସ୍ତଙ୍କୁ ହତବାକ କରି ଦେଇଛି। ପୋଖରୀ ହୁଡ଼ାରେ ବସି ତିନି ସାଂଗ ( ବଉଳ) ବିଷକୁ ଚିୟର୍ସ କରି ପିଇଦେବା ଘଟଣା ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଶାଶୁ ଘରୁ ବାପ ଘରକୁ ଫେରିବା ପରେ ଡକାହକା ହୋଇ ମିଳିତ ଭାବେ ତିନି ବଉଳ ଏଭଳି ଏକ ଭୟଙ୍କର ନିଷ୍ପତ୍ତି ନେଇଥିଲେ। ସେଥିରୁ ଜଣେ ଆଖିବୁଜି ସାରିଥିବା ବେଳେ ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଜୀବିତ ଦୁଇ ବଉଳଙ୍କୁ ଆଜି ପୁରୀର ଏକ ଘରୋଇ ମେଡିକାଲରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ କେଉଁ କାରଣରୁ ତିନି ବଉଳ ବିଷ ପିଇଲେ ତାହା ସ୍ପଷ୍ଟ ହୋଇନାହିଁ। ବାପା ଘର କି ଶାଶୁ ଘର ଲୋକ ଏ ନେଇ କିଛି କହିପାରୁନାହାନ୍ତି। ତେବେ ବାପ ଘର ସୁଖ ଶାଶୁଘରେ ମିଳିଲାନି, ପାରିବାରିକ ଅଶାନ୍ତି ବା ମାନସିକ ଚାପର ବଶବର୍ତ୍ତୀ ହୋଇ ‌ସେମାନେ ଏଭଳି ନିଷ୍ପତ୍ତି ନେଉଥିବା କୁହାଯାଉଛି। ପରସ୍ପର ସୁଖ ଦୁଃଖରେ ଭାଗିଦାର ଥିବା ତିନି ଜଣ ବଉଳ ପରସ୍ପରକୁ ଜୀବନ ଭଳି ଭଲ ପାଉଥିଲେ ବି ହଠାତ ଶାଶୁ ଘରୁ ବାପଘରକୁ ବୁଲିବାକୁ ଆସି ଏଭଳି ନିଷ୍ପତ୍ତି କାହିଁକି ନେଲେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ବି ଏହି ଘଟଣା ସମାଜ ପାଇଁ ଚିନ୍ତାଜନକ।

ଘଟଣା ମୁତାବକ, ଗତ ବୁଧବାର ଦିନ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କୁଶୁବେଣ୍ଟି ପଞ୍ଚାୟତର ନାଣ୍ଡିପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖରାବେଳେ ଗାଁର ତିନି ଜଣ ସାଂଗ ଡଲି ନାୟକ, ରଶ୍ମିତା ନାୟକ (ଉଭୟ ନବ ବିବାହିତା) ଓ ଗାଁର କୁମାରୀ ବର୍ଷା ନାୟକ ତିନିଜଣ ଡକାହକା ହୋ‌ଇ ଗାଁର ଏକ ଚିଙ୍ଗୁଡ଼ି ପୋଖରୀ ପାଖକୁ ଯାଇଥିଲେ। ତେବେ ତିନି ଜଣ ମିଳିତ ଭାବେ କୀଟନାଶକ( ବିଷ)କୁ ପିଇ ଦେଇଥିଲେ। ବିଷ ପିଇବାର କିଛି ସମୟ‌ ପରେ ଡଲି ନାୟକ ଗୁରୁତର ହୋଇ ବେହୋସ ହୋଇପଡ଼ିଥି‌ଲେ। ଗାଁ ଲୋକେ ଏହା ଦେଖିବା ପରେ ତିନିଜଣଙ୍କୁ ସ୍ଥାନୀୟ ରେବଣା ନୂଆ ଗାଁ ମେଡିକାଲକୁ ନେଇଥିଲେ। ସେଠାରୁ ପୁରୀ ସଦର ମେଡିକାଲ ପରେ ପୁରୀର ଏକ ଘରୋଇ ମେଡିକାଲକୁ ନେଇଥିଲେ।
ଗତକାଲି ଡଲିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଏବେ ବି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଡଲି ଗତ ଦୁଇ ମାସ ତଳେ ସାନ ବନ୍ଧକେରା ଗାଁରେ ବିବାହ କରିଥିଲେ। ସେହିଭଳି ରଶ୍ମିତା ମଧ୍ୟ ପୁରୀ ସଦର ଅଞ୍ଚଳର ତିନି କୁଦି ଗାଁରେ ୮ ମାସ ତଳୁ ବିବାହ କରିଥିଲେ। ତେବେ ତିନି ଜଣଙ୍କ ମଧ୍ୟରୁ ଡଲି ଓ ରଶ୍ମିତା ଗତ ୪ ଦିନ ତଳେ ବାପଘରକୁ ବୁଲିବାକୁ ଆସିଥିଲେ। ଗାଁରେ ତିନି ବଉଳଙ୍କ ବନ୍ଧୁତାକୁ ସମସ୍ତଙ୍କୁ ଜଣାଥିବା ବେଳେ ଏହି ତିନି ବଉଲ ହଠାତ୍ ମିଳିତ ଭାବେ ବିଷ ପାନ କରିବାକୁ କାହିଁକି ନିଷ୍ପତ୍ତି ନେ‌ଲେ ତାହା ଚିନ୍ତାଜନକ। ଏ ସଂପର୍କରେ ବାପଘର ଓ ଶାଶୁଘର ଲୋକ ମଧ୍ୟ କାରଣ ଖୋଜି ପାଉନାହାନ୍ତି। ପାରିବାରିକ ଜୀବନକୁ ନେଇ ସେମାନେ ଅଶାନ୍ତି ଥିଲେ ନା ଅନ୍ୟ କିଛି କାରଣ ରହିଛି ପୁଲିସ ଏହାର ତଦନ୍ତ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର